ସମାଜସେବୀ ଲକ୍ଷ୍ମୀଧର ମହାପାତ୍ରଙ୍କ ବିୟୋଗରେ ଶୋକସଭା
ବାଲେଶ୍ୱର, (ସରୋଜ ପଣ୍ଡା):ସହର ଉପକଣ୍ଠରେ ଥିବା କୁରୁଡ଼ା ଗ୍ରାମପଞ୍ଚାୟତର ଶ୍ରୀବନ୍ତପୁର ଗ୍ରାମନିବାସୀ ତଥା ବାଲେଶ୍ୱର ଜିଲ୍ଲାପାଳଙ୍କ ଦପ୍ତରର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଓ ସମାଜସେବୀ ସ୍ୱର୍ଗତ ଲକ୍ଷ୍ମୀଧର ମହାପାତ୍ରଙ୍କ ଏକାଦଶାହ ଉପଲକ୍ଷେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ମହାପାତ୍ରଙ୍କ ବାସଭବନ ପରିସରରେ ଅନୁଷ୍ଠିତ ଶୋକସଭାରେ ଡ. କେଶବ ଚରଣ ପଣ୍ଡା ସଭାପତିତ୍ୱ କରିଥିଲେ । ବହୁ ବିଶିଷ୍ଟ ବ୍ୟକ୍ତି ଏହି ସଭାରେ ଯୋଗଦେଇ ସ୍ୱର୍ଗତ ମହାପାତ୍ର ଜଣେ ସଚ୍ଚୋଟ କର୍ମଚାରୀ ଭାବେ ସରକାରୀ ଚାକିରିରୁ ଅବସର ନେବା ପରେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ବହୁ ସାମାଜିକ ସଂଗଠନରେ ମୃତ୍ୟୁ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କର ପ୍ରିୟପାତ୍ର ହୋଇପାରିଥିଲେ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଶ୍ରୀରାମ ଚରିତ ମାନସ କମିଟିର ଉପସଭାପତି କବି ଜଳଧର ପଣ୍ଡା ସ୍ୱଲିଖିତ କବିତା ପାଠ କରିଥିଲେ ।ଏହି ଶୋକସଭାରେ ରେମୁଣା ବ୍ଲକ୍ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ପ୍ରାକ୍ତନ ବିଧାୟକ ସୁଦର୍ଶନ ଜେନା, ପୂର୍ବତନ ସରପଞ୍ଚ ଗଣେଶ ପଣ୍ଡା, ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଶରତ କୁମାର ଜେନା, ମହେଶ ଚଣ୍ଡ, ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ସାମ୍ବାଦିକ ରବି ପାଣିଗ୍ରାହୀ, ଅବସରପ୍ରାପ୍ତ ପୋଲିସ୍ ଅଫିସର ଭାସ୍କର ଚନ୍ଦ୍ର ପଣ୍ଡା, ମନୋଜ ପଣ୍ଡା, ନୟନ ରାୟ, ଗଜେନ୍ଦ୍ର ଚଣ୍ଡ ଓ ପରିବାରର ସଦସ୍ୟ, ପୁତ୍ର, ପୁତ୍ରବଧୂ, କନ୍ୟା, ଜାମାତା ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ସ୍ୱର୍ଗତ ମହାପାତ୍ରଙ୍କ ସୁଗୁଣାବଳୀର ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିôଲେ । ସଭାକାର୍ଯ୍ୟ ଆରମ୍ଭରେ ନିରବ ପ୍ରାର୍ଥନା କରାଯାଇଥିଲା ।


