ମୋହନ ଦାସଙ୍କ ବାସଭବନରେ ୮୮ ବର୍ଷ ବୟସରେ ପରଲୋକ

ବାଲେଶ୍ବର, (ସରୋଜ ପଣ୍ଡା):ଓଡ଼ିଆ ସାହିତ୍ୟ ଜଗତର ଅନ୍ୟତମ ଉଜ୍ଜ୍ବଳ ନକ୍ଷତ୍ର ସ୍ବାଭିମାନୀ କବି, ପ୍ରାବନ୍ଧିକ ଏବଂ ଗାଳ୍ପିକ ଶୁଭେନ୍ଦୁ ମୋହନ ଦାସଙ୍କର ତାଙ୍କ ବାସଭବନରେ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସତୁରୀ ଦଶକରୁ ଅଦ୍ୟାବଧି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଯଥା କବିତା, ଗଳ୍ପ ଏବଂ ପ୍ରବନ୍ଧ ସାହିତ୍ୟରେ ଲେଖନୀ ଚାଳନା କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲେ । ତାଙ୍କ ଲିଖିତ ‘ସବୁ ଶବ୍ଦ ହଜିଯାଏ’ କବିତା ପୁସ୍ତକ, ‘ସାହିତ୍ୟ ବିଷୟକ’ ପ୍ରବନ୍ଧ ପୁସ୍ତକ ଏବଂ ‘ବିଷଣ୍ଣ ଅପରାହ୍ଣ’ ଗଳ୍ପ ପୁସ୍ତକ ଆଦି ପ୍ରକାଶିତ ହେବା ପରେ ସାହିତ୍ୟରେ ଆଧୁନିକତାର ନବ୍ୟରୂପ ଏବଂ ପରୀକ୍ଷାଧର୍ମିତାର ଅନନ୍ୟ ଧାରା ସଂପର୍କରେ ପାଠକମାନେ ଅବହିତ ହୋଇଥିଲେ । ଏକଦା ଓଡ଼ିଶାର ସମସ୍ତ ପତ୍ରପତ୍ରିକାରେ ବହୁସଂଖ୍ୟାରେ ପ୍ରକାଶିତ ହୋଇ ଚହଳ ସୃଷ୍ଟିକରିଥିଲା । ଓଡ଼ିଆ ଗଳ୍ପସାହିତ୍ୟର ଅନ୍ୟତମ ଧୂରୀଣ ସ୍ରଷ୍ଟା ସ୍ବର୍ଗତଃ କହ୍ନେଇଲାଲ୍ ଦାସଙ୍କର ସେ ଥିଲେ ମୁଖ୍ୟ ସାରସ୍ବତ ଦିଗଦର୍ଶକ । ବିଶିଷ୍ଟ ଅନୁବାଦକ ସୁଖେନ୍ଦୁମୋହନ ଦାସଙ୍କ ସାନଭାଇ ଶୁଭେନ୍ଦୁମୋହନ ୧୯୭୭ରେ ‘ଏକକ’, ୧୯୭୧ରେ ‘ମିନିବୁକ୍’ ,୧୯୬୭ରେ ‘ସାଂପ୍ରତିକ’ ଭଳି ପତ୍ରିକା ପ୍ରକାଶ କରିବା ସହିତ ବ୍ରଜନାଥ ରଥ, ପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ସହ ମିଶି ସେ ‘ତିନିଟି ନିଃଶ୍ବାସର ଆକାଶ’ ନାମରେ ଏକ ପୁସ୍ତକ ମଧ୍ୟ ଲେଖିଥିଲେ । ମୃତ୍ୟ ବେଳକୁ ତାଙ୍କ ଝିଅ ରଞ୍ଜିତା ଏବଂ ପ୍ରିତମଙ୍କ ସହ ବିଶିଷ୍ଟ ସାହିତ୍ୟିକ ଶ୍ରୀଦେବ, ଅଭୟ ଦାସ, ଉଦୟ ନାରାୟଣ ଦାସ, ଗୋପୀକୃଷ୍ଣ ମହାନ୍ତି, କାଳୀପଦ ପଣ୍ଡା, ରାଧାରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଦିବଙ୍ଗତ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ