କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜୟ ପଟ୍ଟନାୟକ ପୁଣି ଗଜପତିରେ ସକ୍ରିୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗତ ସାଧାରଣ ନିର୍ବାଚନ ଶେଷ ହୋଇ ବର୍ତ୍ତମାନ ତିନିମାସରୁ ଉର୍ଦ୍ଧ ସମୟ ବିତିଗଲାଣି। ଗତ ନିର୍ବାଚନରେ କଂଗ୍ରେସ ଦଳ ତରଫରୁ ପାରଳା ବିଧାନସଭା ଆସନରେ ପ୍ରାର୍ଥୀ ହୋଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଗତ କିଛି ଦିନ ତଳେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ. ବର୍ତ୍ତମାନ ସେ ପୁଣି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହୋଇ ଉଠିଛନ୍ତି. ଏନେଇ ଶ୍ରୀ ପଟ୍ଟନାୟକ ନିକଟ ଭବିଷ୍ୟତରେ ବିଜେପି ଦଳରେ ଯୋଗଦେବେ ବୋଲି ରାଜନୈତିକ ବିଶାରଦମାନେ ମତ ପ୍ରକାଶ କରୁଥିବା ସହ ସାଧାରଣରେ ବି ଏନେଇ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି. ଗତ ନିର୍ବାଚନ ପ୍ରଚାର ସମୟରେ ସେ ଆଦିବାସୀ ଅଧ୍ଯୁଷିତ ଗଜପତି ଗୁମ୍ମା ବ୍ଳକର ବିଭିନ୍ନ ଅଞ୍ଚଳ ଗସ୍ତ କରି ଗ୍ରାମବାସୀଙ୍କୁ ଭେଟି ସେମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ। ଆଦିବାସୀମାନେ ଅନେକ ସରକାରୀ ଯୋଜନାରୁ ବଞ୍ଚିତ ରହିଥିବା ଏବଂ ଗ୍ରାମାଞ୍ଚଳର ଅନେକ ଯୁବକ ବେକାର ହୋଇ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଅନେକ ଦାଦନ ଖଟିବା ପାଇଁ ବାହାର ରାଜ୍ୟରେ ରହୁଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେହିଭଳି ବିଭିନ୍ନ ବିଦ୍ଯାଳୟକୁ ଯାଇ ସେଠାକାର ପାଠପଢ଼ା କିପରି ଚାଲିଛି ସେ ନେଇ ପରଖିବା ସହ କିଛି ସମୟ ପାଇଁ ଛାତ୍ରଛାତ୍ରୀଙ୍କୁ ପାଠ ବି ପଢ଼ାଇଥିଲେ। ଏହି ଗସ୍ତ ଶ୍ରୀ ପଟ୍ଟନାୟକ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇଛନ୍ତିଯେ ସମସ୍ତ ବିଷୟ ନେଇ ଗଜପତି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରି କିଭଳି କୃଷିଭିତ୍ତିକ ଶିଳ୍ପ ଏଠାରେ ପ୍ରତିଷ୍ଠା ହୋଇପାରିବ ଏବଂ ସ୍ଥାନୀୟ ଲୋକେ କିଭଳି ଏଥିରେ ନିଯୁକ୍ତି ପାଇବେ, ବର୍ତ୍ତମାନ ସେ ସମ୍ପର୍କରେ ଅଧିକ ପଦକ୍ଷେପ ନେବା ଏବଂ ଏଠିକାର ଲୋକଙ୍କ ପାଇଁ କିଛି ବିକାଶମୂଳକ କାର୍ଯ୍ୟ କରିବା ସକାଶେ ସେ ପୁଣି ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ଅଞ୍ଚଳବାସୀଙ୍କ ବିକାଶ ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି. ଗତ ନିର୍ବାଚନରେ ପାରଳା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ବିଜୟ ପଟ୍ଟନାୟକ ଗତ କିଛି ଦିନ ତଳେ କଂଗ୍ରେସ ଦଳରୁ ଇସ୍ତଫା ପ୍ରଦାନ କରିଥିଲେ. ଏହି ଇସ୍ତଫା ଘଟଣା ପରେ ପୁଣି ଶ୍ରୀ ପଟ୍ଟନାୟକ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସକ୍ରିୟ ହୋଇ ଉଠିଥିବା ସହ ଜନସାଧାରଣଙ୍କ ନିକଟତର ହୋଇ ଲୋକଙ୍କ ବିଭିନ୍ନ ଅସୁବିଧାର ସମାଧାନ ପାଇଁ ଆଲୋଚନା ଓ ଲୋକଙ୍କ ବିକାଶ ଓ ଉନ୍ନତି ପାଇଁ ଲୋକଙ୍କ ନିକଟକୁ ଯିବେ ବୋଲି ଶ୍ରୀ ପଟ୍ଟନାୟକଙ୍କ ଘୋଷଣା ଆଦିକୁ ଲକ୍ଷ୍ୟ କଲେ ସେ ନିଶ୍ଚିତ ଭାବେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ରାଜନୈତିକ ବିଶାରଦମାନେ ମତ ପୋଷଣ କରୁଥିବା ସହ ସାଧାରଣରେ ବେଶ ଚର୍ଚ୍ଚା ଚାଲିଛି.