ବୁଢ଼ାବଳଙ୍ଗ ନଦୀରେ ଉନ୍ନତ କିସମର ଆଙ୍ଗୁଳିକା ମତ୍ସ୍ୟ ଯାଆଁଳ ଛାଡିବା କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାରେ ମତ୍ସ୍ୟ ବିଭାଗ ପକ୍ଷରୁ ଆଜି ସକାଳ ଘ. ୯.୩୦ ମି ସମୟରେ ବୁଢ଼ାବଳଙ୍ଗ ନଦୀରେ ଉନ୍ନତ ମାନର ଯାଆଁଳ ଛାଡିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ସଦର ବ୍ଲକର ବାଲିଘାଟଠାରେ ପ୍ରାୟ ୧୪ ଲକ୍ଷ ରୋହି, ଭାକୁର, ମିରିକାଳି ମାଛର ଆଙ୍ଗୁଳିକା ଯାଆଁଳ ଛଡାଯାଇଥିଲା I ଉକ୍ତ କାର୍ଯ୍ୟକ୍ରମକୁ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ I ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ବେହେରା ସ୍ୱାଗତ ଭାଷଣ ଦେବା ସହିତ ଉପମତ୍ସ୍ୟ ନିର୍ଦ୍ଦେଶକ (ବାଲେଶ୍ୱର) ଶ୍ରୀ ଦୀପ୍ତି କୁମାର ମହାପାତ୍ର ନଦୀରେ ମତ୍ସ୍ୟ ଯାଆଁଳ ଛାଡିବାର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ I ମାନ୍ୟବର ବିଧାୟକ ସଦର ଶ୍ରୀ ମାନସ ଦତ୍ତ ନଦୀରେ ମତ୍ସ୍ୟ ଯାଆଁଳ ଛାଡିବା ଦ୍ୱାରା ମତ୍ସ୍ୟଜୀବି ପରିବାର କିପରି ଉପକୃତ ହେବେ ତାହା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ I ଅନ୍ୟତମ ଅତିଥିଭାବେ ବାଲେଶ୍ୱର ପୌରପାଳିକା ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ୨୫ ନ. ଜୋନର ଜିଲ୍ଲା ପରିଷଦ ମାନ୍ୟବର ସଦସ୍ୟ ଶ୍ରୀ ଗୟାଧର ବେହେରା, ସଦର ବିଧାୟକଙ୍କ ପ୍ରତିନିଧି ଶ୍ରୀ ଗୌରାଙ୍ଗ ଚରଣ ଦାସ ଓ ବୁଆଁଳ ପଞ୍ଚାୟତର ଅଗ୍ରଣୀ ଚାଷୀ ତଥା ପୂର୍ବତନ ସମିତି ସଭ୍ୟ ଶ୍ରୀ ରବିନାରାୟଣ ମହାପାତ୍ର ଯୋଗଦାନ କରିଥିଲେ I ଏଥିସହିତ ବଇଞ୍ଚା ଗ୍ରାମ ପଞ୍ଚାୟତର ଏକାଧିକ ମତ୍ସ୍ୟଜୀବି, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଲୋକ ପ୍ରତିନିଧି ଓ ଜନସାଧାରଣ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ I ଶେଷରେ ବଇଞ୍ଚା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ରବି ନାରାୟଣ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I