ଦୃଢ ଇଚ୍ଛାଶକ୍ତି ଯୋଗୁ ହାଣ୍ଡିଶାଳରୁ ଓଏଏସ ପାଇଲେ ପ୍ରୀତିଲତା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଅନ୍ତର୍ଗତ ଦେଖାଳୀ ଗ୍ରାମରେ ରହୁଥିବା ପ୍ରୀତିଲତା ପାଢୀ ହାଣ୍ଡିଶାଳରୁ ପ୍ରସ୍ତୁତ ହୋଇ ଓପିଏସ୍ ସି ପରୀକ୍ଷାରେ କୃତକାର୍ଯ୍ୟ ଅର୍ଜନ କରି ଓଏଏସ ହୋଇଛନ୍ତି। ସେ ଜଣେ ଗୃହିଣୀ ଭାବରେ ଶାଶୁ, ଶ୍ବଶୁରଙ୍କ ସେବା ଠାରୁ ଆରମ୍ଭ କରି ପରିବାରର ସମସ୍ତ କାର୍ଯ୍ୟ କରିବା ସହ ଘରେ ସମସ୍ତଙ୍କୁ ରୋଷେଇ କରି ଖାଇବାକୁ ଦେବା ପରେ ଓପିଏସ୍ ସି ପରୀକ୍ଷା ପାଇଁ ଦୈନନ୍ଦିନ ୧୦ ଘଣ୍ଟା କଠିନ ପରିଶ୍ରମ କରୁଥିଲେ। ଏପରିକି ରାତି ୩ଟା ଯାଏଁ ପ୍ରତିଦିନ ପଢୁଥିଲେ। ବିଫଳତା ଆଗରେ ହାର ନମାନି ଲଗାତାର ଉଦ୍ୟମ ଏବଂ ଦୃଢ ଇଚ୍ଛାଶକ୍ତି ତାଙ୍କୁ ଏହି ସଫଳତା ଦେଇଥିବା ସେ କହିଛନ୍ତି। ତୃତୀୟ ଥର ପାଇଁ ସେ ଏହି ପରୀକ୍ଷା ଦେଇଥିଲେ।କିନ୍ତୁ ଫଳକୁ ଆଶା ରଖିନଥିଲେ। ପରୀକ୍ଷାଫଳ ପ୍ରକାଶ ପାଇବା ପରେ ୨୫୦ ରେଙ୍କରେ ରହିଥିବା ପ୍ରୀତିଲତା ତାଙ୍କର ଏହି ସଫଳତା ପଛରେ ସ୍ବାମୀ ମୀନକେତନ ପାଢୀଙ୍କ ଯଥେଷ୍ଟ ସହଯୋଗ ଓ ଶାଶୁ ଶ୍ଵଶୁର, ପିତା ମାତାଙ୍କ ଆଶୀର୍ବାଦ ରହିଥିବା ଜଣାଇଛନ୍ତି।