ଆସୁଛି ବାତ୍ୟା, ବୃକ୍ଷର ସୁରକ୍ଷା ଲୋଡା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମାଡି ଆସୁଛି ସାମୁଦ୍ରିକ ଝଡ ‘ଦାନା’ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଏହା ଓଡିଶା ଉପକୂଳରେ ମାଡ ହେବ । ଏନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଜାରି ରହିଛି । ଯେପରିକି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ରିଲିଫ, ଆଶ୍ରୟସ୍ଥଳୀକୁ ଜନସାଧାରଣଙ୍କୁ ସ୍ଥାନାନ୍ତରଣ, ଜିରୋ କାଜୁଆଲିଟି, ରାସ୍ତା ଉପରେ ଉପୁଡି ପଡିଥିବା ଗଛକୁ ପରିଷ୍କାର, ଜଳବନ୍ଦୀ ଇତ୍ୟାଦି କାର୍ଯ୍ୟ ଉପରେ ସରକାର ଫୋକସ୍ କରିଛନ୍ତି । କିନ୍ତୁ ଦୁଃଖର ବିଷୟ ଯାହା ପାଇଁ ଆମ ଜୀବନ ତିଷ୍ଠି ରହିଛି ତା’ର ସୁରକ୍ଷା କଥା କେବେ କେହି ଚିନ୍ତା କରୁନାହାଁନ୍ତି । ୧୯୯୯ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ୧୩ଟି ସାମୁଦ୍ରିକ ଝଡକୁ ଓଡିଶା ସାମ୍ନା କରିଛି । ଅନୁଧ୍ୟାନ କଲେ ଜଣାପଡେ ପ୍ରତି ବାତ୍ୟାରେ ଆମର ଲକ୍ଷାଧିକ ଗଛ କ୍ଷତିଗ୍ରସ୍ଥ ହୋଇଥାଏ । ବାତ୍ୟାର ପରବର୍ତ୍ତୀ ସମୟରେ ଉଦ୍ଧାରକାରୀ ଟିମ୍ ଅତ୍ୟାଧୁନିକ ବୈଦ୍ୟୁତିକ ଧାରୁଆ ଯନ୍ତ୍ର ସାହାଯ୍ୟରେ ଚେର ଉପୁଡି ପଡିଥିବା ଜୀଅନ୍ତା ବୃକ୍ଷର ଶରୀରକୁ ଖଣ୍ଡ ବିଖଣ୍ଡିତ କାଟି ରାସ୍ତା ପରିଷ୍କାର କରି ଚାଲି ଯାଇଥାନ୍ତି । ଏହାକୁ ନେଇ ପରିବେଶବିତ୍ ସୁଶାନ୍ତ ସାହୁ ଚିନ୍ତାପ୍ରକଟ କରିବା ସହ ଉଦ୍ବେଗ ପ୍ରକାଶ କରିଛନ୍ତି । ଏ ସଂପର୍କରେ ସେ କୁହନ୍ତି ଗଛ ଗୁଡିକୁ ହତ୍ୟା ନକରି ସେଗୁଡିକୁ ପୁନଃ ପ୍ରତିରୋପଣ କରାଯାଆନ୍ତା ତେବେ ଆମର ବୃକ୍ଷ ସଂପଦକୁ ସୁରକ୍ଷା କରିପାରନ୍ତେ । ଜାଣି ରଖିବା ଉଚିତ୍ ଗଛର ଜୀବନ ଅଛି, ସେ ତା’ ନିଜ ପାଇଁ ବଞ୍ôଚ ରହୁନି । ତା’ରି ପାଇଁ ହିଁ ଆମ ଜୀବନ । ରାସ୍ତା ପରିଷ୍କାର ଆଳରେ ଜୀଅନ୍ତା ବୃକ୍ଷକୁ ହତ୍ୟା ନ ହେଉ । ଚେର ଉପୁଡି ପଡିଥିବା ବୃକ୍ଷ ଗୁଡିକୁ ଟ୍ରି-ଟ୍ରାନ୍ସପ୍ଲାଣ୍ଟ ମେସିନ୍ ସାହାଯ୍ୟରେ ପୁନଃ ପ୍ରତିରୋପଣର ବ୍ୟବସ୍ଥା କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗର ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଶ୍ରୀ ସାହୁ ଏକ ପ୍ରେସ୍ ବିବୃତ୍ତିରେ ଦାବୀ କରିଛନ୍ତି ।