ଅପରାଧିନୀ

ଝଡ଼ର ବିଭୀଷିକା ରୋକିବା ପାଇଁ ଵ୍ୟକ୍ତି, ପ୍ରଶାସନ, ଆଞ୍ଚଳିକ ତଥା ରାଜ୍ୟ ସ୍ତରରେ ସମସ୍ତେ ତତ୍ପର.ମାନବ ଜୀଵନ ଅଟେ ମୂଲ୍ୟବାନ ତେଣୁ ଘନ ଘନ ଘୋଷଣା କରି ଲୋକଙ୍କୁ ସତର୍କ କରିଦିଆଯାଉଛି କି ଭୟ କରନ୍ତୁନି ବରଂ ନିରାପଦ ଆଶ୍ରୟସ୍ଥଳକୁ ଚାଲିଆସନ୍ତୁ. ବାତ୍ୟାଆଶ୍ରୟସ୍ଥଳୀକୁ ଆଶ୍ରୟ ନେବାକୁ ଲୋକେ ଆସନ୍ତି ବାତ୍ୟା ସମୟରେ ନିଜ ସାଥିରେ ବି ନେଇଆସନ୍ତି ନିଜ ଗୃହପାଳିତ ପଶୁ ଗାଈ ବଳଦ, କୁକୁର, ବିଲେଇ ଇତ୍ୟାଦିଙ୍କୁ. ବାତ୍ୟା ବିଭୀଷିକା ଛାଡିବା ପର୍ଯ୍ୟନ୍ତ ରହିଥିବା ଆଶ୍ରୟସ୍ଥଳୀ ବୋଲାଉଥିବା ସ୍କୁଲ ଘରର କ୍ଲାସ ରୁମ ଗୁଡିକରେ ରୁହନ୍ତି. ଶୁଖିଲା ଓ ରନ୍ଧା ଖାଦ୍ୟ ଖାଆନ୍ତି କିନ୍ତୁ ଗଲାବେଳେ ଭୁଲିଯାଆନ୍ତି ପରିସ୍କାର କରିବାକୁ ତ ଦହଗଞ୍ଜ ହୁଅନ୍ତି ସ୍କୁଲର ବଡ଼ ସାର ଓ ଗୁରୁମାଙ୍କ ସହିତ ତାଙ୍କ ସହକର୍ମୀ ବୃନ୍ଦ. ଏ ତିକ୍ତ ଅନୁଭବକୁ ଅନେକ ଥର ବରଦାସ୍ତ କରିଛନ୍ତି ଗତକାଲିର ବଡ଼ଗୁରୁମା କଳ୍ପିତା. ଭାବନ୍ତି ବିଚରା ମଣିଷ, ପଶୁ ପକ୍ଷୀମାନେ ଜୀଵନ ଭୟରେ, ନିଜ ଘରଦ୍ୱାରର ସ୍ଥିତି ଆଶଙ୍କରେ, ଛୋଟ ଶିଶୁ ଓ ମହିଳା ମାନଙ୍କ ସ୍ୱାସ୍ଥ୍ୟ ଖରାପ ଭିତରେ, ଗାଈ ଗୋରୁଙ୍କ ନିରୀହ ଚାହାଣୀ ଭିତରେ ଭଗବାନଙ୍କୁ ଡାକୁଥିବେ ସାହା ଭରସା ହେବା ପାଇଁ ତ ବାତ୍ୟା ଛାଡୁ ଛାଡୁ ଗ୍ରାମାଭିମୁଖୀ ହୋଇ ତରତରରେ ଚାଲିଯାଇଥିବେ ନିଶ୍ଚୟ ଭାବି ପକେଟରୁ ଖର୍ଚ୍ଚ କରନ୍ତି ସଫେଇରେ କଳ୍ପିତା.ଏବେ ଅବସର ନେଲା ପରେ ଭାବୁଥାଆନ୍ତି ନିଜ ଘରର ତଳ ପଟେ ଯଦି କେହି ରହିବେ ତ ବିନା ଦ୍ଵିଧାରେ ତାଙ୍କୁ ସାହାଯ୍ୟ ସହଯୋଗ ଯୋଗାଇଦେବା ତାଙ୍କର ପ୍ରକୃତ ମଣିଷପଣିଆ ହେବ. ସତକୁ ସତ ଯାତ୍ରିବାହୀ ବସ ଗୁଡ଼ିକ ଲାଗୁଥିଲା ଦୁଆରେ କାରଣ ପଡୋଶୀ କଲ୍ୟାଣୀ ମଣ୍ଡପରେ ରହିବା ବା ଆଶ୍ରୟ ନେବା ଥିଲା ସେମାନଙ୍କ ଉଦେଶ୍ୟ. କେତେଗୋଟି ଫେରିଯାଉଥିବା ବସର ଯାତ୍ରୀଙ୍କୁ ଦ୍ବିଗୁଣା ପଇସା ଦେଇ ରହିବା ପସନ୍ଦ ନଥିବାରୁ ଫେରିଯାଉଥିଲେ ବର୍ଷା ପବନକୁ ଖାତିର ନକରି ତ କଳ୍ପିତା ଚାହିଁ ବି ସାହାଯ୍ୟ ସହଯୋଗର ହାତ ବଢ଼େଇ ପାରୁନଥିଲେ କାରଣ ସ୍ୱାମୀ ସତର୍କ କରି କହୁଥିଲେ ପଡୋଶୀ କାଳେ ଭାବିବ ତା ବେଉସା ବୁଡ଼େଇବା ଯୋଜନା ଚାଲିଛି!ଚୁପ ରହିଥିଲେ କଳ୍ପିତା କିନ୍ତୁ ଭାବୁଥିଲେ ସତ କଥା ବିନା ପଇସାରେ ଆମେ ସାହାଯ୍ୟ କରୁଛୁ ନଭାବି ପଡୋଶୀ ଭାଇ ଭାବିବ ତା ବେଉସା ବୁଡ଼େଇବା ଚକ୍ରାନ୍ତରେ ଆମେ କାଳେ ଅଛୁ!ବାତ୍ୟା ଦାନା ତାର ଗତିପଥ ବଦଳାଇ ପାରାଦୀପ,ଅଭୟାରଣ୍ୟ ତଥା ଧାମରା ଆଡ଼େ ଲାଣ୍ଡଫଲ କରିବ ବୋଲି ସିନା ନହେଲେ ଏତେବେଳକୁ ପୁରୀରେ ଫନି ପରି ପରିସ୍ଥିତି ସୃଷ୍ଟି ହୁଅନ୍ତାଣି ଯେ ନିଜ ରକ୍ଷଣେ ଅସମ୍ଭବ ହୋଇପଡୁଥାଆନ୍ତା ପରିସ୍ଥିତି. ଜଗନ୍ନାଥଙ୍କ କଣ ଇଛା କେତେବେଳେ କିଏ କହିବ ଭାବି କଳ୍ପିତା ଗରମ ଦିନ ବା ଋତୁ ସାରା ଶୋଉଥିବା ପଛପଟ ଖୋଲାମେଲା ଜାଫ୍ରି ଘରଟାର ସୁରକ୍ଷା ପାଇଁ ଗ୍ରିଲ ଗେଟ ଖୋଲି ଦେଖନ୍ତିତ ଧୋବ ଫର ଫର ଧଳା ବିଲେଇଟେ ଆଶ୍ରୟ ନେଇଛି ଖଟତଳେ ପଡ଼ିଥିବା ସୂତା ମିଶା କପଡା ପାପୋଛ ଉପରେ.ମଣିଷପଣିଆ ରଖି ବିସ୍କୁଟ ଦି ଖଣ୍ଡ ପକେଇଦେଇ ବିଲେଇଟି ଆଡକୁ ମୁଦା ଗ୍ରିଲ କବାଟ ଆଉଜେଇ ଆଣିଲେ କଳ୍ପିତା.
ମନେ ପଡୁଥିଲା ଏମିତି ଗୋଟେ ବିଲେଇ ଥିଲା ତାଙ୍କର ପୋଷା. ଦେହରେ ଘଷି ହୁଏ କିନ୍ତୁ ଝାଡା ବାନ୍ତି ମାଡିଲେ ବାହାରକୁ ଯାଇ ମାଟି ବା ଘାସରେ ନକରି ଝାଡା ବାନ୍ତି କରେ ଖଟ ଉପରେ ବିଛା ଯାଇଥିବା ଗଦି ଉପରେ ପଡ଼ିଥିବା ବେଡ଼ସିଟ ଓ ଚାଦର ଉପରେ ତ ଧୋଇ ପରିସ୍କାର କରି କରି ନାକେଦମ ହୁଅନ୍ତି କଳ୍ପିତା. ତା ପରେ ପଡୋଶୀ ଭୁଆଠାରୁ ପରାସ୍ତ ହୋଇ ଖଣ୍ଡିଆ ଖାବେରା ହୋଇ ଘରକୁ ଫେରେ ଯେ ତା କ୍ଷତ ସଫା କରି ଘରୋଇ ଉପଚାର ପାଇଁ କେଵେ ମରା ନଡ଼ିଆତେଲ ମାରୁଥାନ୍ତି କଳ୍ପିତା ତ କେଵେ ନିଓସ୍ପ୍ରିନ ବା ବେଟାଡାଇନ. ଭୁଆ ବିଲେଇଟା ସେଦିନ ଗେଷ୍ଟଙ୍କ ପାଇଁ ଉଦିଷ୍ଟ ରୁମରେ କୋଉବାଟେ ପଶି ଖଟ ଉପରେ ଚଢି ପତଳା ଝାଡା କରି ଓ ଖଟତଳେ ପଡ଼ିଥିବା ପାପୋଛରେ ବାନ୍ତି କରିଦେଇଥିଲା ତ ସେଦିନ ଅପ୍ରସ୍ତୁତ ହୋଇପଡ଼ିଥିଲେ ଗେଷ୍ଟଙ୍କ ସମ୍ମୁଖରେ କଳ୍ପିତା. ଗେଷ୍ଟ ଗଲାପରେ ଛକି ଛକି ପ୍ରଥମ ଥର ଏମିତି ବାଡ଼ିଏ କଷିଦେଲେ ବିଲେଇଟାକୁ କଳ୍ପିତା ଯେ ପୂର୍ବ ଥର ଗୁଡିକ ପରି ଖସିଯାଇ ନପାରି ପଡୋଶୀ ଘର କଲ୍ୟାଣୀ ମଣ୍ଡପ ପରିବାର ଲୋକେ ପୋଷି ଥିବା ଭୁଆ ଦ୍ୱାରା କାମୁଡ଼ାରେ ଖଣ୍ଡିଆ ହୋଇଥିବା ଗୋଡ଼ରେ ହିଁ ବସିଥିଲା ପାହାର. ପ୍ରଥମ ଥର କଳ୍ପିତାଙ୍କ ହାତରୁ ସାଙ୍ଘାତିକ ପାହାର ଖାଇ ତଳ ଘରକୁ ଦଉଡି ପଳାଇଥିଲା ବେଳେ ଲୁଚିରହି ଛକିଥିବା ପୂର୍ବକ୍ତ ଭୁଆ ହାବୁଡ଼ରେ ପଡି ସାଙ୍ଘାତିକ ଅବସ୍ଥା ହୋଇଗଲା ତାର. ଘୁଷୁଡୁ ଥିବା ବିଲେଇଟାକୁ ସଂଧ୍ୟା ଗଡ଼ିଗଲା ପରେ ଉପରକୁ ଆଣି ଯେତେ ଉପଚାର କଲେ ବି ତା ଅବସ୍ଥା ସୁଧୁରିଲା ନାହିଁ. ଯେତେ ଆମିଷ ତା ପାଖେ ଥୋଇଲେ ମଧ୍ୟ ଖାଇଲା ନାହିଁ. ସହକର୍ମୀଙ୍କଠୁ ପଶୁଡାକ୍ତରଙ୍କ ଫୋନ ନମ୍ବର ନେଇ ଡକେଇଲେ କଳ୍ପିତା. ବିଲେଇର ସମସ୍ତ କେଶ ହିଷ୍ଟ୍ରି ଶୁଣି ଡାକ୍ତର ଆସିବା ପୂର୍ବରୁ ଆଖିମୁଜିଦେଲା ବିଲେଇ ହୁଣ୍ଡା ଆଉ ପରିବାର ଲୋକଙ୍କ ଆଖିରେ କଳ୍ପିତା ହେଲେ ହତ୍ୟାକାରୀ ପୁଣି ବିଲେଇର ତେଣୁ ମହାପାତକ ଦୋଷ ସାଙ୍ଗକୁ ଆଖିରୁ ଲୁହ ଶୁଖୁନଥିଲା ଅପରାଧୀନି କଳ୍ପିତାଙ୍କର. ନିଜକୁ ତ କ୍ଷମା କରିହେବନି କି ଏ ଘୋର ପାପର ପ୍ରାୟଶ୍ଚିତ ନାହିଁ ଜାଣି ଅନେକ ମୂଷା ଅନେକ କ୍ଷତି କରୁଥିଲେ ମଧ୍ୟ ଆଉ କୋଉ ବିଲେଇ ପାଳିବାକୁ ସାହାସ କରୁନଥିଲେ କଳ୍ପିତା.ଏବେ ବାତ୍ୟା ଦାନା ବାନ୍ଧୁଥିବା ବେଳେ ଅଳ୍ପ ଅଳ୍ପ ବର୍ଷା ପବନ ହେଉଥିବା ବେଳେ ଧଳା ବିଲେଇଟା ଦେଖାଯାଉଥିଲା ଠିକ ସେହି ପୋଷା ବିଲେଇ ଭଳି. ଆଉ ତାକୁ ନତଡି ଥରକୁ ଥର ଦେଇଆସୁଥିଲେ ଖାଦ୍ୟ ଓ ପାନୀୟ କଳ୍ପିତା. ଚବିଶ ମସିହା ଅକ୍ଟୋବର ଚବିଶ ତାରିଖ ଗୁରୁବାରରେ ଘରକୁ ଧଳା ବିଲେଇ ଆସି ତାଙ୍କ ମହାପାତକ ଛଡେଇ ନେବ କି ଭାବିବା ପରିବର୍ତ୍ତେ ସ୍ୱାମୀ ନିଆଁରେ ପାଣି ପକେଇଲା ପରି କହୁଥିଲେ ଏଣିକି ସବୁ ଶୁଭ ହିଁ ହେବ ଘରର.
ଆଶ୍ଚର୍ଯ୍ୟ କଥା ଥିଲା ଏହିକି ଖୁବ ବଡ଼ ରୁମଟାରେ ଦୁଇ ହଳ ବା ଦୁଇଯୋଡ଼ା ଡବଲ ଖଟ ପଡ଼ିଥିବା ବେଳେ ବିଲେଇଟା ଖଟ ଉପରେ କି ଗଦି କି ବେଡ଼ସିଟରେ ନଶୋଇ, ଶୋଇରହିଥିଲା ପା ପୋଚ୍ଛ ଉପରେ ନିର୍ଦୋନ୍ଦରେ. ବାତ୍ୟା ଦାନା ଦାନା ବାନ୍ଧିଲା. ପବନ ବର୍ଷା କିଛି କିଛି ହେବା ପରେ ଝଡ଼ ଥମିଲା. ଆକାଶ ସ୍ୱାଭାବିକ ଦେଖାଗଲା. କବାଟ ଖୋଲି ଦେଖିଲେ କଳ୍ପିତା ବିଲେଇଟା ନାହିଁ. ବିସ୍କୁଟ ଖାଇନି କି ପାଣି ପିଇଛି କି ନାହିଁ ଜଣାଅପଡୁନି କିନ୍ତୁ ଦୁର୍ଗନ୍ଧରେ ନାକ ଫାଟୁଛି ଘର. ବିଲେଇଟା ଜାଫ୍ରିବାଟେ ଗଳିକି ତ ଆସିଥିଲା ତେବେ ଗଳିକି ଯାଇ ନପାରି ମରିଗଲା କି ଆଉ ଭାବୁ ଭାବୁ କଳ୍ପିତା ଦେଖିଲେ ଦୁଇ ଯୋଡ଼ା ଖଟ ଉପର ତଳ, ଖଟତଳ ସବୁଆଡେ ଅର୍ଦ୍ଧ ଖଣ୍ଡିତ ମୂଷାମାନଙ୍କର ଛୀର୍ଣ୍ଣ ଅବୟବ ସବୁ ପଡ଼ିରହିଛି ଯାହା ଦୁର୍ଗନ୍ଧର କାରଣ ପାଲଟିଛି. ଫିନାଇଲ, ଡଷ୍ଟବିନ, କପଡା ସହିତ ଛିଣ୍ଡା ଅଖା ଧରି ସେଘରକୁ ପଶିବା ପୂର୍ବରୁ କଳ୍ପିତା କହୁଥିଲେ ଆସୁ ଦେବି ଟାଙ୍କେ ଛେଚି. ସ୍ୱାମୀ ରସିକତା କରି କହୁଥିଲେ ସେ ଭୁଲ କରନି. ଡବଲ ବିଲେଇ ହତ୍ୟା ଅପରାଧରେ ମୃତ୍ୟୁ ପରେ କୋଉ ଦଣ୍ଡ ପାଇବ କିଏ ଜାଣେ!
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ