୩୨ ହଜାର ଲୋକ କରିନାହାନ୍ତି ରାସନକାର୍ଡ ଇ କେ.ୱାଇ ସି, କଣ୍ଟ ପୁରିବାକୁ ୧୨ ଦିନ ବାକି

ହାଟଡିହି, (ବିକାଶ ବିଶ୍ୱାଳ):‘ଇ-କେୱାଇସି’ ଯାଞ୍ଚକୁ ନେଇ ଚିନ୍ତାରେ ହିତାଧିକାରୀ । ଯେଉଁ ଅଯୋଗ୍ଯ ହିତାଧିକାରୀ ବର୍ଷବର୍ଷ ହେବ ନିୟମକୁ ଫାଙ୍କି ରାସନ ଚାଉଳ-ଗହମ ହାତେଇ ଆସୁଥିଲେ, ସେମାନଙ୍କ କାର୍ଡ ଖୁବ୍‌ଶୀଘ୍ର କଟିବାକୁ ଯାଉଛି। ସରକାର ଆସନ୍ତା ୧୫ ତାରିଖ ଯାଏ କଣ୍ଟ ଦେଇଛନ୍ତି। ଆଜି ସୁଦ୍ଧା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକରେ ପାଖାପାଖି ୭୯ପ୍ରତିଶତ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସରିଥିବା ବେଳେ ଆହୁରି ୨୧ପ୍ରତିଶତ ଲୋକଙ୍କର ଇ କେୱାଇସି ବାକି ରହିଛି । ଅର୍ଥାତ୍ ଏମାନେ ଗାଁରେ ହେଉଥିବା କେୱାଇସି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି। କାର୍ଡ କଟିଯିବା ଭୟରେ ଏହି ଅଯୋଗ୍ୟ ହିତାଧିକାରୀ କେୱାଇସି କରୁନାହାନ୍ତି ନା’ ଏହା ପଛରେ ଆଉ କିଛି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। କଣ୍ଟ ପୂରିବାକୁ ହାତରେ ଆଉ ମାତ୍ର ୧୩ଦିନ ବାକି । ଏହି ସମୟ ଭିତରେ ଯଦି ସେମାନେ କେୱାଇସି ନ କରନ୍ତି, ତେବେ ନଭେମ୍ବର ୧୫ ପରେ ୩୦ତାରିଖ ଯାଏ ଏମାନଙ୍କର କ୍ଷେତ୍ରସ୍ତରରେ ଯାଞ୍ଚ କରାଯିବ। ଏହି ପ୍ରକ୍ରିୟା ସରିବା ପରେ ଜିଲ୍ଲାରେ ଅଯୋଗ୍ୟ ହିତାଧିକାରୀ ସଂଖ୍ୟା ପଦାକୁ ଆସିବା ସହିତ ମୃତକ ତଥା ଭୂତ କାର୍ଡ ଧରାପଡ଼ିଯିବ ବୋଲି ବ୍ଲକ ଯୋଗାଣ ଅଧିକାରୀ ଦିଲିପ କୁମାର ସାହୁ ସୂଚନା ଦେଇଛନ୍ତି । କିନ୍ତୁ ଏବେ ମଧ୍ୟ ହିତାଧିକାରୀ ମାନେ ପୂର୍ବପରି ରାସନ ସାମଗ୍ରୀ ଉଠାଇ ପାରିବେ ବୋଲି ସେ କହିଛନ୍ତି। କିଛିଦିନ ପୂର୍ବେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ କହିଥିଲେ କେୱାଇସି ଯାଞ୍ଚ ଜରିଆରେ ରାଜ୍ୟରୁ ୨୦ଲକ୍ଷ ଅଯୋଗ୍ୟ ହିତାଧିକାରୀ କଟିବେ | ନଭେମ୍ବର ଶେଷ ସୁଦ୍ଧା ୧୦ଲକ୍ଷ ଯୋଗ୍ୟଙ୍କୁ ନୂଆ ରାସନକାର୍ଡ ମିଳିବା ସହିତ ଅଯୋଗ୍ୟଙ୍କୁ ବାଦ୍ ଦେଇ ଯୋଗ୍ୟଙ୍କୁ ତାଲିକାରେ ଯୋଡ଼ିବା ପାଇଁ ସରକାର ଅଗଷ୍ଟ ୨୨ରୁ ଇ-କେୱାଇସି ଆରମ୍ଭ କରିଥିଲେ। ଗାଁରେ ଗାଁରେ ଅନଲାଇନ୍ ମାଧ୍ୟମରେ ହିତାଧିକାରୀଙ୍କ ଆଧାର ନମ୍ବର ସଂଯୋଗୀକରଣ କରାଯିବା ସହିତ ଟିପ ଚିହ୍ନ ନିଆଯାଇଥିଲା। ଏହି ପ୍ରକ୍ରିୟା ଆସନ୍ତା ୧୫ତାରିଖ ଯାଏ ଚାଲିବାକୁ ଥିବା ବେଳେ ଆଜି ସୁଦ୍ଧାହାଟଡିହି ବ୍ଳକରେ ୩୨ହଜାର ୬୭୩ ଜଣ ହିତାଧିକାରୀଙ୍କ ଇ-କେୱାଇସି ହୋଇନାହିଁ | ବ୍ଲକ ଯୋଗାଣ ଅଧିକାରୀଙ୍କ ସୂଚନାନୁଯାୟୀ ବ୍ଳକରେ ବର୍ତ୍ତମାନ ୧ଲକ୍ଷ ୫୬ହଜାର ୪୩୮ହିତାଧିକାରୀଙ୍କୁ ରାସନ ମିଳୁଛି। ସେମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୧ଲକ୍ଷ ୨୩ହଜାର ୭୬୫ଜଣଙ୍କ କେୱାଇସି ସରିଛି । ଇ କେୱାଇସି ପାଇଁ ୪୪ଟି କେନ୍ଦ୍ର ଖୋଲାଯାଇ କେୱାଇସି କରାଯାଉଛିି। ବାକି ରହିଯାଇଥିବା ହିତାଧିକାରୀଙ୍କୁ ଡିଲର୍‌ଙ୍କ ଜରିଆରେ କେୱାଇସି କରିବାକୁ ବାରମ୍ବାର କୁହାଯାଇଥିଲେ ବି ସେମାନେ କରୁନାହାନ୍ତି। ସେମାନେ ଧାର୍ଯ୍ୟ ସମୟ ମଧ୍ୟରେ ଯଦି ସ୍ବତଃ ଆସି ନ କରନ୍ତି, ତେବେ ୧୫ତାରିଖ ପରେ କ୍ଷେତ୍ରସ୍ତରରେ ଯାଞ୍ଚ କରାଯିବ । କାଳେ ଯଦି ଯୋଗ୍ୟ ହିତାଧିକାରୀ କୌଣସି କାରଣ ପାଇଁ କରିପାରୁ ନଥିବେ, ସେଥିପାଇଁ ଏହି ଯାଞ୍ଚ ହେବ। ସମସ୍ତ ହିତାଧିକାରୀଙ୍କ ଆଧାର ନମ୍ବର ସହିତ ବ୍ୟାଙ୍କ୍ ଆକାଉଣ୍ଟ୍‌ ସଂଯୋଗୀକରଣ ହୋଇଛି। ତେଣୁ ଆଧାର ନମ୍ବରରୁ ହିଁ ହିତାଧିକାରୀଙ୍କ ପରିବାରର ଆର୍ଥିକ ସ୍ବଚ୍ଛଳତା ତଥା ରୋଜଗାର ଜଣାପଡ଼ିଯିବ। ଏହାବାଦ୍ ମୃତ୍ୟୁ ପରେ ବି ଯଦି କୌଣସି ହିତାଧିକାରୀଙ୍କ ନାଁରେ ରାସନ ଉଠୁଥିବ, ତାହା ଜଣାପଡ଼ିଯିବ । କେୱାଇସି ପରେ ବ୍ଳକରୁ ଅଯୋଗ୍ୟ ହିତାଧିକାରୀଙ୍କ ବାସ୍ତବ ସଂଖ୍ୟା ଜଣାପଡ଼ିଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ