କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ପ୍ରୟାସ

ଆସିକା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ଗତ ୨୦୨୨ ମସିହା ଡିସେମ୍ବର ମାସରୁ ପୃଥକୀକୃôତ ଶୁକ୍ରାଣୁ (ସର୍ଟେଡ୍‍ ସିମେନ୍‍) କୃତ୍ରିମ ପ୍ରଜନନ ଆରମ୍ଭ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଧାଂଶୁ କୁମାର ବେହେରା ଓ ପ୍ରାଣୀ ଚିକତ୍ସକ ଡାକ୍ତର ଆଶୁତୋଷ ଚୌଧୁରୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପ୍ରାଣୀଧନ ନୀରିକ୍ଷକ କେ.ଇଶ୍ୱର ରାଓ, ସୁଶାନ୍ତ ଡାକୁଆ, ସସ୍ମିତା ପଣ୍ଡା, ସୁଦର୍ଶନ ନାୟକ, ପିଆଜନ କହଁର, ଆଲୋକ ପାତ୍ର, ସ୍ମୃତିରଂଜନ ବିଶ୍ୱାଳଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଆସିକା ଏନ୍‍ଏସି ସମେତ ସିଦ୍ଧନଇ, ଗୁଣ୍ଠପଡା, ନିମିନା, ନଳବଣ୍ଟା, ବାଲିସିରା, ଗହଙ୍ଗୁ, ବାବନପୁର ପ୍ରାଣୀଧନ ନୀରିକ୍ଷକଙ୍କ କାର୍ଯ୍ୟାଳୟ ସମେତ ଆସିକା ବ୍ଳକ ପରିସରଭୁକ୍ତ ସମସ୍ତ ଅଞ୍ଚଳରେ ପ୍ରୟାସ ଜାରି ରଖିଥିବା ଜଣାପଡିଛି । ବିଗତ କିଛି ବର୍ଷ ହେଲା ଚାଷକାର୍ଯ୍ୟରେ ଟ୍ରାକ୍ଟରର ବହୁଳ ବ୍ୟବହାର ଯୋଗୁୂଁ ଅଧିକାଂଶ ଚାଷୀ ଆଉ ଅଣ୍ଡିରା ବାଛୁରୀକୁ ବଳଦ ଭାବେ ବ୍ୟବହାର କରୁନାହାନ୍ତି । ଯାହାରି ଫଳରେ ଷଣ୍ଢଙ୍କ ସଂଖ୍ୟା ଆଶାତୀତ ଭାବେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆସିକା ସହର ତଥା ଏହାର ଆଖପାଖ ଅଧିକାଂଶ ଅଞ୍ଚଳର ରାସ୍ତାଘାଟରେ ବୁଲା ଷଣ୍ଢଙ୍କ ଅବାଧ ବିଚରଣ ଦେଖିବାକୁ ମିଳୁଛି । ଏଭଳି ଅଭାବନୀୟ ସ୍ଥିତି ଓ ସମସ୍ୟାର ସମାଧାନ ପାଇଁ ପ୍ରାଣୀସଂପଦ ବିଭାଗ ପକ୍ଷରୁ ଜାରି ରହିଥିବା ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଂଶସା କରାଯାଉଥିବା ଦେଖିବାକୁ ମିଳୁଛି । ଅଣ୍ଡିରା ବାଛୁରୀଙ୍କ ତୁଳନାରେ ମାଈ ବାଛୁରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ସର୍ଟେଡ୍‍ ସିମେନ୍‍ (ପୃଥକୀକୃତ ଶୁକ୍ରାଣୁ) ପ୍ରାଣୀସଂପଦ ବିଭାଗ ପକ୍ଷରୁ ଉପଯୋଗ କରାଯାଉଛି । ଗୋପାଳନ କରୁଥିବା ଚାଷୀ ଓ ସାଧାରଣ ଲୋକେ ଘରେ ଗାଈ ଲାଳନପାଳନ କରୁଥିବା ବେଳେ ମାଈ ବାଛୁରୀ ଜନ୍ମ ହେଲେ ତାକୁ ଘରେ ରଖି ଦୁଗ୍ଧ ଚାଷକୁ ବୃଦ୍ଧି କରିଥାନ୍ତି । ଅତୀତରେ ଅଣ୍ଡିରା ବାଛୁରୀ ଜନ୍ମ ହେଲେ ଡାକ୍ତର ପଦ୍ଧତିରେ ତାକୁ ବଳଦ କରିଦିଆଯାଉଥିଲା । ମାତ୍ର ଏହି ବଳଦ ବିଲରେ ଚାଷକାମରେ ଚାଷୀଙ୍କୁ ସହଯୋଗ କରୁଥିଲା । ଖୁବ୍‍ କମ୍‍ ସଂଖ୍ୟକ ଗୋପାଳକ ଓ ଘରୋଇ ଲୋକ ମାନସିକ ଉଦ୍ଦେଶ୍ୟରେ ଅଣ୍ଡିରା ବାଛୁରୀକୁ ଷଣ୍ଢ କରି ଛାଡି ଦେଇଥାନ୍ତି । ପରେ ଏହି ଷଣ୍ଢ ଗୋବଂଶ ବୃଦ୍ଧିରେ କେତେକ ପରିମାଣରେ ସହାୟତ ହୋଇଥାଏ । ମାତ୍ର କିଛି ବର୍ଷ ହେଲା ଜମିବାଡି କାମରେ ଟ୍ରାକ୍ଟରର ବହୁଳ ବ୍ୟବହାର ବୃଦ୍ଧି ପାଇଛି । କମ୍‍ ଖର୍ଚ୍ଚ ଓ ସହଜ ଚାଷ ପାଇଁ ଆଉ ଅଧିକାଂଶ ଚାଷୀ ବଳଦ ସହାୟତାରେ ହଳଲଂଗଳ କରିବାକୁ ଆଗ୍ରହ ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ଯାହାରି ଫଳରେ ବଳଦ ପାଳିବାକୁ ପୂର୍ବଭଳି ଚାଷୀ ଇଛୁକ ନଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ଅଣ୍ଡିରା ବାଛୁରୀଙ୍କ ସଂଖ୍ୟା କମାଇବା ଓ ଗୋସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ପକ୍ଷରୁ ଦୀର୍ଘମିଆଦି ଭାବେ ଗତ ୨୦୨୨ ମସିହା ଡିସେମ୍ବର ମାସ ଠାରୁ ମାଈ ଛୁଆ ଜନ୍ମ ପାଇଁ କୃତ୍ରିମ ଉପାୟରେ ନିଆଯାଉଥିବା ଶୁକ୍ରାଣୁରେ ବିଶେଷ ପରିବର୍ତ୍ତନ ଆସିଥିବା ଦେଖିବାକୁ ମିଳୁଛି । ପୁନେ ଓ ଗୁଜରାଟରେ ପ୍ରସ୍ତୁତ ହେଉଥିବା ଏହି ସର୍ଟେଡ୍‍ ସିମେନ୍‍ ବା ପୃଥକୀତ୍କୃତ ଶୁକ୍ରାଣୁ ଆଣି ଗାଈକୁ ଦିଆଯାଉଛି । ଏହି ଶୁକ୍ରାଣୁରେ ମାଈ ବାଛୁରୀ ଜନ୍ମ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଚଳିତ ୨୦୨୪ ମସିହା ନଭେମ୍ବର ମାସ ୮ ତାରିଖ ସୁଦ୍ଧା ଆସିକା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ୨୯୯ଟି ଗାଈକୁ ଏହି ଯୋଜନା ମାଧ୍ୟମରେ ପୃଥକୀକୃତ ଶୁକ୍ରାଣୁ ଦିଆଯାଇ ସାରିଥିବା ବେଳେ ସେଥି ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭୪ଟି ମାଈ ବାଛୁରୀ ଜନ୍ôମଗ୍ରହଣ କରିଥିବା ଜଣାପଡିଛି । କେନ୍ଦ୍ର ସରକାରଙ୍କ ଆକ୍ସିଲେରେଟେଡ୍‍ ବ୍ରିଡ୍‍ ଇମ୍ପ୍ରୁଭ୍‍ମେଣ୍ଟ କାର୍ଯ୍ୟକ୍ରମ ଜରିଆରେ ଗତ ୨୦୨୨ ମସିହାରୁ ସର୍ଟେଡ୍‍ ସିମେନ୍‍ ତ୍କୃତ୍ରିମ ପ୍ରଜନନ ପ୍ରକ୍ରିୟାକୁ ରାଜ୍ୟ ସରକାରଙ୍କ ପ୍ରାଣୀସଂପଦ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ଆସିକାରେ ୪୩ ପ୍ରତିଶତ ସଫଳତା ପାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ