ମା’ବେଲ ମଙ୍ଗଳାପୀଠରେ କବିତା ପାଠୋତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଉତ୍କଳୀୟ ନୈାବାଣିଜ୍ୟ ପରମ୍ପରା ଓ ସଂସ୍କୃତିର ସ୍ମୃତିଚାରଣ ଉଦେଶ୍ୟରେ କପାଳେଶ୍ୱର ମା’ବେଲ ମଙ୍ଗଳା ପୂଜା କମିଟି ପକ୍ଷରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମା’ ବେଲମଙ୍ଗଳା ପୀଠରେ ଏକ କବିତା ପାଠୋତ୍ସବ ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ଯୋଗଦେଇ କହିଲେ ଯେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ସ୍ମୃତିଚାରଣ କରିବା ପାଇଁ କବିତାହିଁ ଉପଯୁକ୍ତ ମାଧ୍ୟମ । କବିତା ମାଧ୍ୟମରେ ଆମ ସଂସ୍କୃତି ଓ ପରମ୍ପରାର ସ୍ମୃତିଚାରଣ କରାଗଲେ ଏହା ଭବିଷ୍ୟତ ପୀଢିଙ୍କୁ ପ୍ରେରଣା ଯୋଗାଇ ଦେବ ବୋଲି ମୁଖ୍ୟ ଅତିଥି ଶ୍ରୀ ଦାଶ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ସତୀର୍ଥର ଅମର ପ୍ରସାଦ ରାଉତ, ସାରଥୀ କାନୁନଗୋ, ଗଗନବିହାରୀ ଜେନା ଓ ଧନେଶ୍ୱର ବାବା ପ୍ରମୁଖ ଯୋଗଦେଇଥିଲେ । କବି ଶୈଳଜାଶଙ୍କର ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଶତାଧିକ କବି ଓ କବୟିତ୍ରୀମାନେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିବା ବେଳେ କମିଟି ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ । ବେଲ ମଙ୍ଗଳା ପୂଜା କମିଟିର ମୁଖ୍ୟ ପୁରୋଧା ରବିନାରାୟଣ ମହାପାତ୍ର ମଙ୍ଗଳାଚରଣ ପାଠ କରିଥିଲେ । କମିଟିର ସଦସ୍ୟ ଉମାକାନ୍ତ ମହାନ୍ତି ଓ ସୁରେଶ ପାଣି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।