ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ କପିଳେନ୍ଦ୍ର ମଲ୍ଲିକକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ କୋର୍ଟ ଅଭିଯୁକ୍ତକୁ ୫୦ ହଜାର ଟଙ୍କାର ଜୋରିମାନା ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ସେହିପରି ନାବାଳିକାଙ୍କୁ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଜରିଆରେ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ନିକିରାଇ ଥାନା ଅନ୍ତର୍ଗତ ଏକ ଗ୍ରାମର ୯ବର୍ଷର ନାବାଳିକା ଜଣଙ୍କ ଗତ ୨୦୨୨ ମସିହା ଜୁନ ୬ ତାରିଖରେ ଘରୁ ବାହାରି ଜଣେ ସାଙ୍ଗ ସହ ଶୌଚ ହେବା ପାଇଁ ସାଙ୍ଗକୁ ଡାକିବାକୁ ତାଙ୍ଗ ଘରକୁ ଯାଇଥିଲେ । ହେଲେ ସେତେବେଳେ ତାଙ୍କ ସାଙ୍ଗ ଘରେ ନଥିଲେ । ସେ ଗ୍ରାମ ପୋଖରୀରେ ବାସନ ମାଜୁଥିବା ପରିବାର ଲୋକେ କହିଥିଲେ । ଫଳରେ ନାବାଳିକା ଜଣକ ଉକ୍ତ ପୋଖରୀ ନିକଟକୁ ଯାଇ ଦେଖିଥିଲେ ତାଙ୍କ ସାଙ୍ଗ ବାସନ ମାଜୁଛି । ତାଙ୍କ ସାଙ୍ଗ କହିଥିଲେ ଟିକେ ଅପେକ୍ଷା କର, ବାସନ ମାଜି ସାରିବା ପରେ ଶୌଚ ହେବା ପାଇଁ ଯିବା । ଫଳରେ ନାବାଳିକା ଜଣକ ଏକ ଗଛ ମୂଳେ ସାଙ୍ଗକୁ ଅପେକ୍ଷା କରିଥିଲେ । ଏହି ସମୟରେ ଅଭିଯୁକ୍ତ କପିଳେନ୍ଦ୍ର ସେହି ରାସ୍ତାରେ ଯାଉଥିଲେ । ଅଭିଯୁକ୍ତ କପିଳେନ୍ଦ୍ର ନାବାଳିକାଙ୍କ ପଡୋଶୀ ଥିଲେ । ଅଭିଯୁକ୍ତ ନାବାଳିକାଙ୍କୁ ତାଙ୍କ ଘରକୁ ଡାକିଥିଲେ । ପଡୋଶୀ ହୋଇଥିବାରୁ ନାବାଳିକା ଜଣକ ତାଙ୍କ ଘରକୁ ଯାଇଥିଲେ । ଏହାପରେ ଅଭିଯୁକ୍ତ କପିଳେନ୍ଦ୍ର ଘର କବାଟ ଦେଇ ନାବାଳିକାଙ୍କ ସହ ଯୋର ଜବରଦସ୍ତ ବଳାତ୍କାର କରିଥିଲେ । ବଳାତ୍କାର କରି ସାରିବା ପରେ ଘଟଣା ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ଫଳରେ ନାବାଳିକା ଜଣକ ଘରକୁ ଫେରିଥିଲେ ମଧ୍ୟ ଘଟଣା ସଂପର୍କରେ କାହାକୁ କିଛି କହିବାକୁ ଭୟ କରିଥିଲେ । ହେଲେ କିଛି ସମୟ ପରେ ନାବାଳିକାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଫଳରେ ପରିବାର ଲୋକେ ନାବାଳିକାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ଏହାପରେ ଘଟଣା ଜଣାପଡିଥିଲା । ଡାକ୍ତର ସ୍ପଷ୍ଟ କରିଥିଲେ ଯେ ନାବାଳିକଙ୍କ ସହ ବଳାତ୍କାର ହୋଇଛି । ଏ ନେଇ ନାବାଳିକାଙ୍କ ପରିବାର ଲୋକେ ନିକିରାଇ ଥାନାରେ ଏତଲା ଦେଇଥିଲେ । ଏତଲା ପାଇବା ପରେ ପୋଲିସ ଏକ ବଳାତ୍କାର ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । ପୋଲିସ ଘଟଣାର ତଦନ୍ତ କରି ଅଦାଲତରେ ଅଭିଯୋଗପତ୍ର ଦାଖଲ କରିଥିଲା । ଏହାପରେ ମାମଲାର ବିଚାର ଆରମ୍ଭ ହୋଇଥିଲା । ବିଚାର ସମୟରେ ୧୯ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ସମସ୍ତ ସାକ୍ଷ୍ୟ ଓ ପ୍ରମାଣଙ୍କୁ ଭିତ୍ତି କରି ଜଜ୍ ପ୍ରଜ୍ଞା ପରମିତା ରାଉଳ ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଆଇନ୍‌ଜୀବୀ ମନୋଜ ସାହୁ ଅଦାଲତରେ ମାମଲା ପରିଚାଳନା କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ