ଡିଜିଟାଲ ଡ୍ରଗ୍ସ

ସମୟ ଆଗକୁ ଦୌଡୁଛି କେବେ ତ ପଛକୁ ଦୌଡୁଛି କେବେ. ଆଗକୁ ଦୌଡୁଥିବା ସମୟରେ ଆଜି ଡିଜିଟାଲ ଡ୍ରଗ୍ସର ପ୍ରଭାବରେ କେହି କେହି ପଛକୁ କି ଆଗକୁ ଦୌଡୁଥିଲେ ଜାଣିପାରୁନଥିବା ବେଳେ, ପିତା ଶିବଶଙ୍କର ଭାବୁଥିଲେ କେତେ ଭଲ ଥିଲା ତାଙ୍କ ସମୟ. ବାପାଙ୍କ କଥା ମାନି ବଳୟ ଭିତରେ ରହି ନୀତି ନିୟମ ଓ ଶୃଙ୍ଖଳା ଶୃଙ୍ଖଳରେ ଆବଦ୍ଧ ହୋଇ ମଣିଷ ହେଉଥିଲେ ସମୟ ଅନୁଯାୟୀ. ଗୋଟେ ନୁହେଁ ବରଂ ଦୁଇ ଚାରି ପୁଅଙ୍କୁ ଶୃଙ୍ଖଳିତ କରିବାରେ ବାପା ଥିଲେ ଦୂର ପାହାଡ଼ର କଠିନ ଶିଳା ପରି ମଜଭୂତ ଉପରକୁ କିନ୍ତୁ ଭିତରେ ପ୍ରବାହିତ ହେଉଥିଲା ସ୍ନେହ ପାରାବାର . ଶିବଶଙ୍କରଙ୍କର ମନେ ଅଛି ଏହି ପିତୃଦତ୍ତ ନାମ ପାଇ ସେ କେତେ ବିମୁଖ ଥିଲେ. ବୋଉ ବୁଝେଇଦିଏ କେତେ ଶିବ ପୂଜି ପାଇଛି ତତେ ସେଇଥିପାଇଁ ତୋ ନାମ ଶିବଶଙ୍କର. ଆମର ତେତ୍ରୀଶସହକୋଟି ଦେବା ଦେଵୀ ଭିତରେ ହର ହର ମହାଦେବଙ୍କର କୋପେ ବର ତ ତପେ ବର. ବୁଝିନପାରି ଶିବଶଙ୍କର ଓରଫ ଜଗା ଚାହାଁନ୍ତି ବୋଉକୁ ପ୍ରଶ୍ନ ପଚାରିବା ଆଖିରେ ଆଉ ପଚାରନ୍ତି ଜଗନ୍ନାଥ?ସିଏ ତ ଜଗତର ରକ୍ଷାକର୍ତ୍ତା, ସମସ୍ତଙ୍କର ପିତା. ତୁ ଯଦି ପିତା ମାତାଙ୍କ କଥା ମାନୁଥିବୁ ତେବେ ଜଗନ୍ନାଥ ଓ ଶିବ ତଥା ବ୍ରହ୍ମା ବିଷ୍ଣୁ ମହେଶ୍ୱର ତୋ ଉପରେ ସନ୍ତୁଷ୍ଟ ରହିବେ. ସନ୍ତୁଷ୍ଟ ରହିଲେ କଣ ହେବ ମୋର ପଚାରିବସନ୍ତି ଶିବଶଙ୍କର ଓରଫ ଜଗା ତ ବୋଉ କହେ ମୋ ଧନକୁ ସୁଖ, ଶାନ୍ତି, ସମ୍ମାନ ସହ ଆୟୁଷ ଆଶିଷ ଓ ନିରୋଗ ରହିବା ବର ମିଳିବ. ଆଉ ଆଉ କଣ କେତେ ପ୍ରଶ୍ନ ମନରେ ଉଙ୍କି ମାରୁଥିବା ବେଳେ ବାପା ବଡ଼ ପାଟି କରନ୍ତି ଆଜି ସକାଳ ପଢା କରିଛୁ ନା ବୋଉ ପାଖେ ଗେଲେଇ ହେଉଛୁ?ଜଗା ସେହିଦିନୁ ବୋଉ କଥା ମନେ ରଖି ବାପାଙ୍କ କଥା ମାନନ୍ତି. ପାଠ ଶାଠ ପଢି ଚାକିରୀ କରିବା ପରେ ମୋବାଇଲ ଦରକାର ବୋଲି ଯାହା ବ୍ୟବହାର କରନ୍ତି. ଏବେ ତାଙ୍କ ପୁଅ ଓଳିଆରୁ ପଡ଼ି ଗଜା. ମୋବାଇଲ ଦେଖିଲେ ଖାଇବ, ମୋବାଇଲରୁ ଗୀତ ଶୁଣି ଶୋଇବ ଆଉ ଏଇ ଅଭ୍ୟାସରୁ ଆଜି ସେ ଡିଜିଟାଲ ଡ୍ରଗ୍ସର ଶୀକାରରେ କବଳିତ.
ଗୋଟିଏ ବୋଲି ପୁଅ ତ୍ରିଶୁଲ ଆଜି ମୋବାଇଲ ସହ କାନରେ ଇଅର କର୍ଡ ଦେଇ ପାଠ୍ୟ ଓ ପାଠ୍ୟ ବିଷୟଭିତ୍ତିକ ତଥ୍ୟ ଶୁଣୁ ଶୁଣୁ ଉଚ୍ଚ ଧ୍ୱନିସମ୍ପର୍ଣ୍ଣ ସଂଗୀତ ଶୁଣିବାର ଅଭ୍ୟାସ ଆଜି ତାକୁ ଡ୍ରଗ୍ସ ପରି କବଳିତ କରିଛି. ଉଚ୍ଚ ସ୍ବରର ସଂଗୀତ ନଶୁଣିଲେ ତା ପାଖରେ ଡ୍ରଗ୍ସ ଅଭାବରେ ପରିଲିକ୍ଷିତ ହେଉଥିବା ଲକ୍ଷଣ ଗୁଡିକ ଭଳି ଲକ୍ଷଣ ଯଥା ଚିଡ଼ିବା, ରାଗିବା, ବଡ଼ସାନନମାନିବା, ସ୍ଥାନକାଳପାତ୍ରର ବିବେଚନା ନକରିବା ଆଦି ଗୁଣ ପ୍ରକାଶ ପାଉଛି. ଏହି ଉଚ୍ଚ ସଂଗୀତରେ ଦୁଇଟି ଭିର୍ନ୍ନ ଫ୍ରିକ୍ୱେନ୍ସିର ସଂଗୀତ ତରଙ୍ଗ କାନ ଦ୍ୱାରା ମସ୍ତିଷ୍କକୁ ଯାଇ ମନୋରଞ୍ଜନ ଯୋଗାଏ ସତ କିନ୍ତୁ ଏହା ଦ୍ୱାରା ମାଦକଦ୍ରବ୍ୟ ଖାଇବା ଭଳି ଅନୁଭୂତ ହୁଏ. ସୋସିଆଲ ମିଡ଼ିଆରେ ଏଭଳି ସଂଗୀତର ଅଡିଓ ଓ ଭିଡ଼ିଓ ଯାହା ଦେଖି ଶୁଣି ପୁଅ ତ୍ରିଶୁଲ ଆଜି ମାନସିକ ଅସୁସ୍ଥତାର ଶୀକାର ହୋଇଛି. ପ୍ରାଥମିକ ଅବସ୍ଥାରେ ଏହି ବାଇନୋରଲ ବିଟ୍ସର ସହଜରେ ଶୀକାର ହେଉଥିବା ଆବାଳବୃଦ୍ଧବନିତା ପରବର୍ତ୍ତୀ ସମୟରେ ଉଚ୍ଚ ଫ୍ରିକ୍ୱେନ୍ସିର କେବଳ ସଂଗୀତ ନୁହେଁ ବରଂ କଥାବାର୍ତ୍ତା ଶୁଣିବାକୁ ଭଲ ପାଆନ୍ତି. ଯାହା ସବୁ ଏକପ୍ରକାର ମାନସିକ ବିକାରତା ନୁହେଁ ବରଂ ସାମାଜିକ ବିକାରତା. ଉଚ୍ଚ ଧ୍ୱନି ସଂଗୀତ କିମ୍ବା କଥାବାର୍ତ୍ତା, ଯେମିତିକି ଡିଜେ ବାଜା ଆଖପାଖର ପରିବେଶକୁ ଖରାପ କରିଥାଏ. ଅନ୍ୟମାନଙ୍କ ପାଇଁ ଏସବୁ ଶ୍ରୁତିକଟୁ ହେବା ସ୍ୱାଭାବିକ. ଏହାକୁ ନେଇ ବହୁ ଅଭାବନୀୟ ଘଟଣାର ଦୃଷ୍ଟାନ୍ତ ଥିଲାବେଳେ ଶିବଶଙ୍କରଙ୍କୁ ବିଚଳିତ କରିଛି ପୁଅର ଏହି ମନସ୍ତାତ୍ତ୍ଵିକ ରୋଗ. ଡିଜିଟାଲ ଡ୍ରଗ୍ସ ବା ବାଇନୋରଲ ବିଟ୍ସ ବା ଅଡିଓ ଭିଡ଼ିଓ ଡ୍ରଗ୍ସ କବଳରୁ ପୁଅ ତ୍ରିଶୁଲକୁ ରକ୍ଷା କରିବା ପାଇଁ ପୁଅକୁ ଆଶ୍ରମ ସ୍କୁଲରେ ଛାଡ଼ିବା ବ୍ୟତୀତ ଅନ୍ୟଉପାୟ ନଥିଲା ଶିବଶଙ୍କରଙ୍କ ପାଖରେ. ସେଠାରେ ଶୃଙ୍ଖଳିତ ନିୟମ ସହିତ ଜୀଵନଜାପନ ଶୈଳୀ ସହ ଯୋଗ, ବ୍ୟାୟାମ, ପ୍ରଣାୟମ, କ୍ରୀଡା କୌଶଳ, ଜଗିଂ, ମର୍ଣ୍ଣିଙ୍ଗୱାକ ଦ୍ୱାରା ହୁଏତ ଏହି କୁଅଭ୍ୟାସ ଦୂରହୋଇପାରେ ଭାବି ଶିବଶଙ୍କର ପୁଅକୁ ଏକ ଭଲ ଶୃଙ୍ଖଳିତ ଆଶ୍ରମ ସ୍କୁଲରେ ଛାଡିଥିଲେ ମଧ୍ୟ ଫଳ ଶୂନ ଥିଲା. ଆଶ୍ରମ ଅନ୍ତେବାସୀ ଓ କର୍ମକର୍ତ୍ତାମାନେ ଧର୍ଯ୍ୟ ରଖିବାକୁ କହିଥିଲେ ପିତାଙ୍କୁ.
ଆଶ୍ରମର ପଠନଶୈଳୀ, ଖେଳକୁଦ ଓ ବାୟାମ ଭିତରେ ଗଳ୍ପ ପଠନ ଓ ଶ୍ରବଣର ସୁଯୋଗ ଥିଲା. ସେଦିନ ଗଳ୍ପଟିଏ କୁହାଯାଉଥିଲା ତ ତ୍ରିଶୁଲ ମନଦେଇ ଶୁଣୁଥିଲା. ଆଜକୁ ଦୁଇହଏଗାର ବର୍ଷ ପୂର୍ବେ ସେତେବେଳର ପୃଥିବୀକୁ ଡଗଷ୍ଟାର ସିରିୟସରୁ ଏକ ଜନଜାତି ପୃଥିବୀ ଉପରେ ଆକ୍ରମଣ କରିଥିଲେ. ସେମାନେ ଦେଖିବାକୁ ମନୁଷ୍ୟ ଭଳି ଥିଲେ ମଧ୍ୟ ସେମାନଙ୍କ କାନ୍ଧରେ ସବୁଜପର ଆଚ୍ଛାଦିତ ଦୁଇଟି ଡେଣା ଓ ଗୋଟିଏ ନାରଙ୍ଗୀ ରଙ୍ଗର ଲମ୍ବା ଲାଞ୍ଜ ଥିଲା. ମଣିଷ ମାନଙ୍କ ପାଖରେଥିବା ଅସ୍ତ୍ରଶସ୍ତ୍ର ଯଥା ବୁଲେଟ, ସାଧାରଣ ବୋମା, ଓ ଗ୍ୟାସ ପରି ଆତ୍ମରକ୍ଷା ସାଧନସବୁକୁ ବ୍ୟବହାର କରି ମଧ୍ୟ ମନୁଷ୍ୟମାନେ ପରାସ୍ତ ହୋଇଥିଲେ. ନକ୍ଷେତ୍ରଜୀବଙ୍କ ବିରୁଦ୍ଧରେ ଜୀବାଣୁ ଓ ବାକ୍ଟେରିଆ ଭଳି କ୍ଷୁଦ୍ର କ୍ଷୁଦ୍ର ଜୀବାଣୁ ପ୍ରୟୋଗ କରି ନକ୍ଷେତ୍ରବାସୀଙ୍କୁ ମାରିଦେବା ଛାଡ଼ ରୋଗାକ୍ରାନ୍ତ ବା କୌଣସି କ୍ଷତି ପହଞ୍ଚେଇବା ବା କିଛିବି ପ୍ରଭାବ ପକେଇବାରେ ମଣିଷମାନେ ଅସଫଳ ଥିଲେ. ତାହାର ଏକମାତ୍ର କାରଣ ସେମାନେ ପୃଥିବୀବାସୀଙ୍କ ତୁଳନାରେ ଖୁବ ବୁଦ୍ଧିମାନ ଓ ସୁସ୍ଥ ମସ୍ତିଷ୍କ ସମ୍ପର୍ଣ୍ଣ ରହି ଗଣିତ ବିଷାରଦ ଥିଲେ.ସେମାନେ ସମଗ୍ର ଆକାଶଗଙ୍ଗା ବା ମିଳ୍କ ଓ୍ବେ ଗାଲାସ୍କିରେ ସର୍ବଶ୍ରେଷ୍ଠ ଗଣିତଜ୍ଞ ଥିଲେ କହିଲେ ଆତ୍ୱ୍ୟୁକ୍ତି ହେବନାହିଁ. ତାଙ୍କ ବୁଦ୍ଧି ଓ କୌଶଳ ପ୍ରୟୋଗ କରି ମଣିଷମାନଙ୍କଭିତରୁ କେତେକଙ୍କୁ ହତ୍ୟା କରିବା ସହ କେତେକଙ୍କୁ କ୍ରୀତଦାସ ବା ଚାକର ରୂପେ ରଖି ମଣିଷ ଯେପରି ଘୋଡା, ଗାଈଗୋରୁ, ଛେଳିମେଣ୍ଢା ଓ ବୁଲାଜନ୍ତୁଙ୍କ ପ୍ରତି କୁବ୍ୟବହାର ପଦର୍ଶନ କରୁଛି ସେହିଭଳି ଶ୍ରମିକ ପରି ଖଟାଉଥିଲେ. ନକ୍ଷେତ୍ରବାସୀ ବ୍ୟବହାର କରୁଥିବା ଭାଷା ସରଳ ସହଜ ଓ ସୁଲଭ୍ୟ ଥିଲେ ମଧ୍ୟ ଏହା ବୁଝିବା ପୃଥିବୀବାସୀଙ୍କ ପକ୍ଷରେ ସମ୍ଭବ ନଥିଲା.
ଯୁଗେ ଯୁଗେ ମଣିଷର କଷ୍ଟ ଦେଖି ଭଗବାନ ଅବତାରୀ ରୂପେ ଅବତାର ଗ୍ରହଣ କରି କେବେ ରାମ, କୃଷ୍ଣ, ଜଗନ୍ନାଥ, ବୁଦ୍ଧ, ସତ୍ୟସାଇ ଇତ୍ୟାଦିଙ୍କ ଭଳି ଓ କେବେ ଦଶଅବତାର ଗ୍ରହଣ କଲାଭଳି ମନୋବିଜ୍ଞାନୀ ନୋଓ୍ୱାଲ ନାମକ ଜଣେ ସାହାସୀ, ଧନୀ,ସୁସ୍ଥ ଧୀଶକ୍ତିସମ୍ପର୍ଣ୍ଣ ବ୍ୟକ୍ତି ଗ୍ରୀନଲାଣ୍ଡର ଅଵ୍ୟନ୍ତରୀଣ ଅଞ୍ଚଳକୁ ଖସି ପଳାୟନ କରି ନକ୍ଷେତ୍ରବାସୀ ବା ଆନ -ଭିଲମାନଙ୍କ ପରାସ୍ତ ପାଇଁ ସେମାନଙ୍କଠାରେ ମାନବିକ ଆବେଗ ସବୁକୁ ଭର୍ତ୍ତି କରିବା ପାଇଁ ଏକ ପଦ୍ଧତି ବାହାର କରିଥିଲେ ଯାହାର ନାମ ନୋଓ୍ୱାଲ -ହ୍ୟୁଗେସ ଇଲିନିସ୍କ କୌଶଳ. ଏହା ଦ୍ୱାରା ସେମାନଙ୍କ ଭିତରେ ପ୍ରେମ, ଘୃଣା, ଆକାଂକ୍ଷା, ଇର୍ଷା, ଶତ୍ରୁତା, ଆଶା, ଭୟ, ଲଜ୍ଜ୍ୟା ଇତ୍ୟାଦି ମାନବିକ ନାସ୍ତିସୂଚକ ଗୁଣଗୁଡିକ ଭରି କରିବା ସହ ଗୃହାଶକ୍ତି ବା ଗୃହ ପ୍ରତି ଆସକ୍ତିକୁ ଶେଷ ଅସ୍ତ୍ର ରୂପେ ପ୍ରୟୋଗ କରିବା ଦ୍ୱାରା ଆନ -ଭିଲମାନେ ଏଣିକି ପରସ୍ପର ମଧ୍ୟରେ ଶତ୍ରୁତା ଆଚରଣ କରି, ପରସ୍ପର ସହ ଯୁଦ୍ଧ ଓ ହତ୍ୟାରେ ଲିପ୍ତ ରହିବା ସହ ଯେଉଁ ନକ୍ଷେତ୍ରରୁ ଆସିଥିଲେ ସେହି ନକ୍ଷେତ୍ରକୁ ଫେରିଯିବାର ଇଛା ଜାଗ୍ରତ କଲେ. ସମସ୍ତେ ଚାଲିଯିବା ପରେ ମଧ୍ୟ ପୃଥିବୀରେ ଜନ୍ମ ଗ୍ରହଣ କରିଥିବା ଦୁଇଜଣ ଶିଶୁ ଆନ -ଭିଲ, ଜଣେ ପୁତ୍ର ଓ ଅନ୍ୟ ଜଣେ କନ୍ୟା ଯଥାକ୍ରମେ ଜିଜୋ ଓ ଜିଜାଙ୍କର ବହୁତ ଗଣିତ ଜ୍ଞାନ ଥିବାରୁ ପୃଥିବୀରେ ସକ୍ରିୟ ରହି ବହୁବର୍ଷ ପର୍ଯ୍ୟନ୍ତ ସେମାନଙ୍କ ସଂଖ୍ୟା ବଢ଼ାଇଚାଲିବାକୁ ସକ୍ଷମ ହୋଇଥିଲେ. ସେମାନଙ୍କ ସୁକ୍ଷ୍ମ, ସୁସ୍ଥ ତଥା ସକ୍ରିୟ ମସ୍ତିଷ୍କକୁ କୌଣସି ନାସ୍ତିସୂଚକ ଗୁଣ ପ୍ରବେଶ କରିପାରୁନଥିଲା. ଏହି ଗଳ୍ପଟି ଶୁଣିବା ପରେ ତ୍ରିଶୁଲ ଉଚ୍ଚ ସ୍ୱରରେ ସଂଗୀତ, ବାଦ୍ୟ, କଥାବାର୍ତ୍ତାଠାରୁ ଦୂରରେ ରହି ମସ୍ତିଷ୍କ ସୁସ୍ଥ ରଖିବାକୁ ଗଣିତ ଓ ବିଜ୍ଞାନ ଭଳି ବିଷୟକୁ ପ୍ରାଧାନ୍ୟ ଦେବା ସହ ସବୁ ବିଷୟରେ ପାରଙ୍ଗମ ହେବାକୁ ନିଷ୍ପତ୍ତି ନେଇ ମୋବାଇଲ ଛାଡି, ସମୟ ସହିତ ଆଗକୁ ଦୌଡିବା ପାଇଁ ଅଧୟନରତ ହୋଲା ବେଳେ ଆଉ ପଛକୁ ବୁଲି ଚାହିଁ ନଥିଲା କେବେ .
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ