ତହଁର ଗ୍ରାମରେ ପାଗଳ ମାଙ୍କଡ ଆତଙ୍କ ମାଙ୍କଡ କାମୁଡାରେ ୧୫ରୁ ଉର୍ଦ୍ଧ୍ଵ ଗୁରୁତର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ତହଁର ଗ୍ରାମରେ ରବିବାର ଅପରାହ୍ନରେ ପାଗଳ ମାଙ୍କଡ ଆତଙ୍କ ଦେଖାଦେଇଛି । ପାଗଳ ମାଙ୍କଡ କାମୁଡାରେ ସଂପୃକ୍ତ ଗ୍ରାମର ୧୫ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷ ଆହତ ହୋଇଛନ୍ତି। ଆହତ ମାନେ ହେଲେ ହିଞ୍ଜିଳି ଥାନା ତହଁର ଗ୍ରାମର ବୃନ୍ଦାବନ ଦାଶ, ନିରଞ୍ଜନ ପଣ୍ଡା, ଅଚ୍ୟୁତ ପ୍ରଧାନ, ଟିକି ବାଡତ୍ୟା, ବିପ୍ର ସାହୁ, ଜଗନ୍ନାଥ ଦଳେଇ, ମନୋରଞ୍ଜନ ରଥ, ବିଜୟ ମହାରଣା, ବିଷ୍ଣୁପ୍ରିୟା ପଟ୍ଟନାୟକ, ଶେରଗଡ଼ ଥାନା ପଥରପୁଞ୍ଜି ଗ୍ରାମର ବିଜୟ ପ୍ରଧାନ, । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅନ୍ୟ ପକ୍ଷରେ ମାଙ୍କଡ କାମୁଡାରେ ସ୍ଥାନୀୟ ଗ୍ରାମର ଆହୁରି ୫/୬ ଜଣ ସାମାନ୍ୟ ଆହତ ହୋଇଥିବା ବେଳେବେଳେ ସେମାନଙ୍କୁ ପିତଳ ପ୍ରାଥମିକ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ରବିବାର ଅପରାହ୍ନରେ ତହଁର ଗ୍ରାମରେ ପାଗଳ ମାଙ୍କଡ ଆତଙ୍କ ଦେଖାଦେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ପାଗଳ ମାଙ୍କଡକୁ କାବୁ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି ଜଣାଇଛନ୍ତି। ଏ ନେଇ ଶେରଗଡ଼ ବନ ଉପଖଣ୍ଡ ବନପାଳ ହରିକୃଷ୍ଣ ବାରିକଙ୍କୁ ପଚାରିବାରୁ ସେ କୁହନ୍ତି ଖବର ପାଇ ବନବିଭାଗର ୩ ଜଣ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ପାଗଳ ମାଙ୍କଡକୁ କାବୁ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଖବର ଲେଖା ହେବା ସୁଦ୍ଧା ପାଗଳ ମାଙ୍କଡକୁ କାବୁ କରାଯାଇପାରିନାହିଁ ।