ଆଜି ମାର୍ଗଶୀର ମାସର ଦ୍ୱିତୀୟ ଗୁରବାର ରାସ୍ତା କଡରେ ପୂଜା ସାମଗ୍ରୀ ପସରା
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସନ୍ତାକାଲି ମାର୍ଗଶୀର ଦ୍ୱିତୀୟ ଗୁରବାର । ହିନ୍ଦୁଧର୍ମାବଲମ୍ବୀଙ୍କ ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିଲା ବେଳେ ମାର୍ଗଶୀର ମାସ ଗୁରବାରର ଏକ ସ୍ୱତନ୍ତ୍ରତା ରହିଛି । ଏହି ପବିତ୍ର ଦିନରେ ଘରେ ଧନଧାନ୍ୟ ବୃଦ୍ଧି ନିମନ୍ତେ ମା’ ମହାଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ମାଣବସା ଗୁରବାର ଅବସରରେ ହିନ୍ଦୁ ସଂପ୍ରଦାୟର ଗୃହିଣୀ ମାନେ ଅତ୍ୟନ୍ତ ନିଷ୍ଠାର ସହ ବୁଧବାର ଠାରୁ ଘରକୁ ଲିପାପୋଛା କରି ଦୁଆର ମୁହଁକୁ ଗୋବର ପାଣିରେ ଧୋଇ ଝୋଟି ପକା କାମରେ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି । ମାଣବସା ଗୁରବାର ଦିନ ଗୃହିଣୀ ମାନେ ଭୋର୍ ସମୟରୁ ଉଠି ସ୍ନାନାଦି କାର୍ଯ୍ୟ ସାରି ଖଟୁଳି ଉପରେ ମାଣ ରଖି ସେଥିରେ ଧଳାଧାନ ଭର୍ତ୍ତି କରି ମା’ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ପାଇଁ ଆବଶ୍ୟକ ପଡୁଥିବା ଧାନ, ଆଖୁ, କଦଳିପତ୍ର, ଫୁଲ ଓ ଇତ୍ୟାଦି ଫଳମୂଳ କିଣିବା ଲାଗି ରାସ୍ତାକଡ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହେଉଛି । ଗୃହିଣୀ ମାନେ ଘରର କାନ୍ଥବାଡରେ ନୂତନ ଚାଉଳର ପିଠଉରେ ଝୋଟି ଚିତ୍ତା ପକାଇବା ସହ ମା’ ମହାଲକ୍ଷ୍ମୀଙ୍କ ପାଦଚିହ୍ନ ଆଙ୍କୁଥିବା ଦେଖିବାକୁ ମିଳିଛି । ଆସିକା ସହରର ହାଟପଦା, ବଜାର ସାହି, ବସ୍ଷ୍ଟାଣ୍ଡ, ଲକ୍ଷ୍ମୀବଜାର, ଓଡିଆ ସାହି ସମେତ କାଳଷଣ୍ଢପୁର ଗ୍ରାମପଞ୍ଚାୟତର ମୁକୁନ୍ଦପୁର ଗ୍ରାମ ଓ ଚିନିଶିଳ୍ପ ନୂଆଗାଁରେ ଆସନ୍ତା କିଛି ଦିନ ପରେ ଆରମ୍ଭ ହେବାକୁ ଥିବା ମା’ ମହାଲକ୍ଷ୍ମୀଙ୍କ ପାଇଁ ବର୍ତ୍ତମାନ ଠାରୁ ପରିବେଶ ଚଞ୍ଚଳ ଚଞ୍ଚଳ ହୋଇ ଥିବା ଲକ୍ଷ୍ୟ କରାଯାଇଛି । ମାର୍ଗଶୀର ମାସ ଦ୍ୱିତୀୟ ଗୁରବାର ପୂଜା ନିମନ୍ତେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ରାସ୍ତାକଡରେ ପୂଜା ସାମଗ୍ରୀ ପସରା ପଡିଥିବା ଦେଖିବାକୁ ମିଳିଛି । ମାର୍ଗଶୀର ମାସ ଗୁରବାର ପୂଜା ପାଇଁ ବଜାରରେ ଅଁଳା ଡାଳ, ବେଲ ଡାଳ, ଆମ୍ବ ଡାଳ, ଦୁବ, ବରକୋଳି ପତ୍ର, ଗେଣ୍ଡୁ ଫୁଲ, କଇଁ ଫୁଲ, ପଦ୍ମ ଫୁଲ, ନୂଆ ଧାନ, କଦଳୀ ପତ୍ରର ପସରା ପଡିଥିବା ଦେଖିବାକୁ ମିଳିଛି । ରାତି ପାହିଲେ ମାର୍ଗଶିର ମାସର ଦ୍ୱିତୀୟ ଗୁରବାର । ନମସ୍ତେ କମଳା ମାଗୋ ସାଗର ଦୁଲହଣୀ, ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ……… । ଏହି ଗୀତ ଆସନ୍ତାକାଲି ଭୋର୍ ସମୟରୁ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ଘରେ ବାଜି ଉଠିବ । ହୁଳହୁଳି ନାଦରେ ପ୍ରକମ୍ପିତ ହେବ ଗାଁ ଠୁ ସହର । ଚାରି ଦିଗରୁ ଭାସିଆସିବ ଲକ୍ଷ୍ମୀପୁରଣାର ସୁଲଳିତ ଗୀତ । ମା ମା ଲକ୍ଷ୍ମୀ ଶ୍ରୀୟା ଚଣ୍ଡାଳୁଣୀଙ୍କ ଭକ୍ତିରେ ପ୍ରସନ୍ନ ହୋଇ ମୃତ୍ୟୁ ଯାଏଁ ଐଶ୍ଚର୍ଯ୍ୟବନ୍ତ ହୋଇ ଆଶୀର୍ବାଦ ପ୍ରଦାନ କରିବେ । ଆସନ୍ତାକାଲି ମାର୍ଗଶୀର ମାସର ଦ୍ୱିତୀୟ ଗୁରବାର ଥିବାରୁ ଆଜି ବୁଧବାର ଦିନତମାମ ଆଧ୍ୟାତ୍ମିକପ୍ରେମୀ ଗୃହିଣୀମାନେ ନିଜ ନିଜ ଘରଦ୍ୱାର ସଫା କରି ଝୋଟି ଚିତା ପକାଇବାରେ ନିମଗ୍ନ ଥିବା ଦେଖିବାକୁ ମିଳିିଥିଲା ।