ଶିଳ୍ପ ପାଇଁ ବନ୍ଧା ପଡିଛି ଋଷିକୁଲ୍ୟା ?
ସୋରଡା ଜଳଭଣ୍ଡାରର ପୁନଃଉଦ୍ଧାର ପରିବର୍ତେ ପିପଳପଙ୍କାରେ ନୂତନ ଜଳଭଣ୍ଡାର ?
୧୪ ହଜାର ହେକ୍ଟର ଜମି ଦରକାର ହେବ,୧୨୦୦ ହେକ୍ଟର ଜଙ୍ଗଲ ନଷ୍ଟ ହେବ, ୨୦ରୁ ଉର୍ଦ୍ଧ ଖଣ୍ଡ ଗ୍ରାମ ନିଶ୍ଚିହ୍ନ ହେବା ସମ୍ଭାବନା
ସୋରଡା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକରେ ଗୋଛା ପଞ୍ଚାଯତ ଅନ୍ତର୍ଗତ ପିପଳ ପଙ୍କା ଠାରେ ଋଷିକୁଲ୍ୟା ନଦୀ ଜଳକୁ ବ୍ୟବହାର କରି ଏକ ନୂତନ ଜଳଭଣ୍ଡାର ପାଇଁ ସରକାରଙ୍କ ଦ୍ଵାରା ଆରମ୍ଭ ହେଇଥିବା ପ୍ରକ୍ରିୟା ଦିନକୁ ଦିନ ବିବାଦ ଆଡେ ଗତିକରୁଛି। ନିର୍ମାଣ ଆରମ୍ଭରୁ ହିଁ ବିରୋଧ କରଯାଉଥିବା ବେଳେ ବର୍ତମାନ ସ୍ଵତନ୍ତ୍ର ଭୂ ଅର୍ଜନ ତଥା ସୋରଡା ତହସିଲଦାରଙ୍କ ଅଫିସ ପକ୍ଷରୁ ଆଜି ୦୪/୧୨/୨୦୨୪ରେ ଜନ ଶୁଣାଣି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି କୌଣସି କାରଣରୁ ଜନ ଶୁଣାଣି ହୋଇପାରି ନାହି। ଏହି ପ୍ରକଳ୍ପ ସପକ୍ଷରେ ଏବଂ ବିପକ୍ଷରେ ସ୍ଥାନୀୟ ଜନସାଧାରଣଙ୍କ ମତାମତ ଲୋଡିଛନ୍ତି ସରକାର। ଗଞ୍ଜାମ ଜିଲ୍ଲା ସୋରଡାରେ ରାଜ୍ୟର ସବୁଠାରୁ ପୁରୁଣା ବ୍ରିଟିଶ ଅମଳର ଜଳଭଣ୍ଡାର ରହିଛି ଏହାକୁ ପୁନରୁଦ୍ଧାର କରିବା ପରିବର୍ତେ ଏକ ନୂତନ ଜଳଭଣ୍ଡାର ଏହି ବ୍ଲକରେ ମାତ୍ର ୨୦ କିଲୋମିଟର ଦୂରରେ ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟାୟ ଅଟକଳ କରି ରାଜ୍ୟ ସରକାରଙ୍କ ପଦକ୍ଷେପ ସର୍ବସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ସୋରଡାରେ ରାଜ୍ୟର ସବୁଠାରୁ ପୁରାତନ ଜଳଭଣ୍ଡାର ୧୮୯୫ ମସିହା ରେ ବ୍ରିଟିଶ ସରକାର ନିର୍ମାଣ କରିଛନ୍ତି। ଏହି ଜଳଭଣ୍ଡାର ଉପରେ ୮୦୦ ରୁ ଉର୍ଦ୍ଧ ମଚ୍ଛ୍ୟଜୀବୀ ନିଜର ପରିବାର ପ୍ରତିପୋଷଣ ପାଇଁ ନିର୍ଭର କରୁଛନ୍ତି। ୮୦୦ ରୁ ଉର୍ଦ୍ଧ ହେକ୍ଟର ଜମିରେ ଏହି ଜଳଭଣ୍ଡାର ରହିଛି। ଏହି ଜଳଭଣ୍ଡାରରୁ ଜଳ ସ୍ଥାନୀୟ ବାସିନ୍ଦାଙ୍କ ପାନୀୟ ଜଳ ଆବଶ୍ୟକତାକୁ ପୂରଣ କରିବା ସହ ଜରାଉ ନଦୀ ଓ କେନାଲ ମାଧ୍ୟମରେ ଜାନିବିଲି ପ୍ରକଳ୍ପ ଠାରୁ ବ୍ରହ୍ମପୁର ନିକଟସ୍ଥ ଦକ୍ଷିଣପୁର ଜଳଭଣ୍ଡାରରେ ମିଶୁଚି ଏବଂ ବ୍ରହ୍ମପୁର ବାସୀଙ୍କ ପାନୀୟ ଜଳ ଆବଶ୍ୟକତା ପୂରଣ କରିବା ସହ ୮୦ କିମି ଅଞ୍ଚଳର ଲୋକଙ୍କ ଚାଷଜମି ପାଇଁ ମଧ୍ୟ ସହାୟକ ହେଉଛି। ଏବେ ଦିନକୁ ଦିନ ଏହି ଜଳଭଣ୍ଡାର ପୋତି ହେବାରେ ଲାଗିଲାଣି। ବ୍ରହ୍ମପୁର ପାଇଁ ଅଧିକ ଜଳ ଆବଶ୍ୟକତା କୁ ପୂରଣ କରିବା କୁ ପୁଣିଥରେ ରାଜ୍ୟସରକାର ୪୦୦ କୋଟି ଟଙ୍କା ଖର୍ଚ କରି ପାଇପ ପକାଇ ଋଷିକୁଲ୍ୟା ନଦୀ ଓ ସୋରଡା ଜଳଭଣ୍ଡାରରୁ ପାଣି ନେବା ପାଇଁ ବ୍ୟବସ୍ଥା କରିଲେ । ଏବେ ଏହି ଜଳଭଣ୍ଡାର ସତ୍ତା ହରାଇବାରେ ଲାଗିଲାଣି। ୮୦୦ ହେକ୍ଟରରୁ ମାତ୍ର ୫୦ ରୁ ୧୦୦ ହେକ୍ଟରରେ ଏବେ ଜଳ ରହୁଛି। ଜଳଭଣ୍ଡାରରେ ଏବେ ଚାଷ ହେଉଛି। ୩୦୦୦ କେଜି ମାଛ ଜାଗାରେ ୧୫୦ କେଜି ମାଛ ଆଦାୟ ହେଉଛି, ସରକାର ଏହି ପୁରୁଣା ଜଳଭଣ୍ଡାରର ପୁନରୁଦ୍ଧାର ପାଇଁ ଟଙ୍କାଟିଏ ବ୍ୟବସ୍ଥା ନ କରି ବର୍ତମାନ ଏଠାରୁ ମାତ୍ର ୨୦ କିଲୋମିଟର ଦୂର ପିପଳପଙ୍କା ଠାରେ ଏକ ନୂତନ ଜଳଭଣ୍ଡାର ପାଇଁ ୧ ହଜାର ୧୩ କୋଟି ବ୍ୟୟରେ ଏକ ନୂତନ ଜଳଭଣ୍ଡାର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଆଜକୁ ପ୍ରାୟ ୩୦ ବର୍ଷ ତଳେ ଗୋପାଳପୁର ଠାରେ ଟାଟା ପ୍ରକଳ୍ପ ପାଇଁ ଅଧିକ ଜଳର ଆବଶ୍ୟକତାକୁ ନେଇ ସୋରଡା ବ୍ଲକ ପିପଳପଙ୍କା ଠାରେ ଏକ ବୃହତ ଜଳପ୍ରକଳ୍ପ ପାଇଁ ନିଷ୍ପତି ନେଇଥିଲେ। ଏହି ପ୍ରକଳ୍ପ ପାଇଁ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ନରସିଂହ ରାଓ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ, ଏହା ପରେ ବାଦ ବିବାଦ ଆରମ୍ଭ ହୋଇଥିଲା ଏବଂ ଏହି ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ଆଣ୍ଠେଇ ଯାଇଥିଲା। ପ୍ରମୁଖ କଥା ହେଲା ଏହି ପ୍ରକଳ୍ପ ପାଇଁ ପ୍ରାୟ ୯୯୪ ହେକ୍ଟର ସଂରକ୍ଷିତ ଜଙ୍ଗଲ ଓ ପ୍ରାୟ ୧୮୨ ହେକ୍ଟର ରାଜସ୍ୱ ଜଙ୍ଗଲ ଆବଶ୍ୟକତା ପଡିବ। ପ୍ରାୟ ୧୧ସହ ହେକ୍ଟର ଜମି ରେ ଏହି ଜଳଭଣ୍ଡାର ନିର୍ମାଣ ହେବା ପାଇଁ ଯୋଜନା ରହିଛି। ଏଥିରେ ଋଷିକୁଲ୍ୟା ନଦୀ ରେ ଥିବା କେନାଲ ବ୍ୟବସ୍ଥା ମାଧ୍ୟମ ରେ ୧୪୫୦ ମିଟର ଲମ୍ବ ବିଶିଷ୍ଟ ଜଳ ନିର୍ଗତ ବ୍ୟବସ୍ଥା କରାଯିବ ଏବଂ ଏହା ଗାଜଲବାଡି, ଶିକୁଳାପଦର, ଓ ଗଣପଙ୍କାଳ ମଉଜା ରେ ନିର୍ମାଣ କରାଯିବ। ଏହି ଜଳଭଣ୍ଡାର ପାଇଁ ଋଷିକୁଲ୍ୟା କେନାଲ ବ୍ୟବସ୍ଥାରେ ୧୨,୬୭୫ ହେକ୍ଟର ଜମି ସହ ସୋରଡା ତହସିଲର ୧୩୨୫ ହେକ୍ଟର ଜମିକୁ ମିଶାଇ ମୋଟ ୧୪ ହଜାର ହେକ୍ଟର ଜମିର ଆବଶ୍ୟକତା ପଡିବ। ଯଦି ଚାଷ ଜମି ଫାଇଦାକୁ ଦେଖା ଯାଏ ତେବେ ଏହି ଜଳଭଣ୍ଡାର ସୋରଡା ତହସିଲ ଅନ୍ତର୍ଗତ ୨୪୯୦ ହେକ୍ଟର ଜମି କୁ ଖରିଫ ଋତୁରେ ଏବଂ ୪୦୦ ହେକ୍ଟର ଜମି କୁ ରବି ଋତୁ ରେ ଜଳଯୋଗାଣ ପାଇଁ ସହାୟକ ହୋଇପାରିବ। ୨୦୨୩ ମସିହା ରେ ପୂର୍ବତନ ସରକାର ଙ୍କ ପ୍ରମୁଖ ସଚିବ ସୋରଡା ଗସ୍ତ ସମୟ ରେ ୧ ହଜାର ୧୩ କୋଟି ଟଙ୍କା ର ବ୍ୟୟ ଅଟକଳ ଘୋଷଣା କରିଥିଲେ ଏବଂ ଡିପିଆର ମଧ୍ୟ ପ୍ରସ୍ତୁତ କରାଯାଇଛି। ଏବେ କିନ୍ତୁ ଏହି ପ୍ରକଳ୍ପ ପାଇଁ ଅନେକ ବାଦ ବିବାଦ ଦେଖାଦେବାରେ ଲାଗିଲାଣି। ପ୍ରଥମେ ପ୍ରଥମେ ଏହି ପ୍ରକଳ୍ପ ଅଞ୍ଚଳବାସୀ ଙ୍କ ସ୍ଵାର୍ଥ ପାଇଁ ହେଉଥିବା ବିଶ୍ବାସ କରାଯାଉଥିବା ବେଳେ କିନ୍ତୁ ଏହା ର ଭୟାବହତା ପରିଣାମ ପ୍ରତି ଲୋକେ ଏବେ ଅବଗତ ହେବାରେ ଲାଗିଲେଣି। ବର୍ତମାନ ଋଷିକୁଲ୍ୟା ର ମୂଳ ଜଳଧାରା କମିବାରେ ଲାଗିଲାଣି। ଏପରିକି ଶ୍ରାବଣ ମାସରେ ମଧ୍ୟ ଋଷିକୁଲ୍ୟା ରେ ଆଣ୍ଠୁଏ ପାଣି ନାହି। ଏହି ନଦୀ ର ଜଳଧାରା ରେ ଏବେ କୂଢକୂଢ ଖଡ ବଣିଆ ହେଲାଣି। ପାଦେପାଦେ ପାଣି ହେଲେ ନାହି। ନଦୀ ର ଜଳ ନଥିବା ଯୋଗୁଁ ସବୁ ଜଳଭଣ୍ଡାର ଶୁଖିଲା। ଜଳଭଣ୍ଡାର ରେ ଏବେ ବାଇଗଣ ଓ ଟମାଟ ଚାଷ ହେଲାଣି। ଦିନ କୁ ଦିନ ଶିଳ୍ପାୟନ ଯୋଗୁଁ ଗଞ୍ଜାମ ଜିଲ୍ଲା ର ଲାଇଫଲାଇନ ଋଷିକୁଲ୍ୟା ସତ୍ତା ହରାଇବାରେ ଲାଗିଲାଣି। ଏପରି ସ୍ଥଳେ ଥିବା ଜଳଭଣ୍ଡାର ର ପୁନରୁଦ୍ଧାର ପରିବର୍ତେ ଆଉ ଗୋଟିଏ ଜଳଭଣ୍ଡାର ନିର୍ମାଣ କରିବା କେତେ ଯୁକ୍ତି ଯୁକ୍ତ ତାହା ସର୍ବସାଧାରଣ ଙ୍କୁ ଚକିତ କରୁଛି। ପିପଳପଙ୍କା ପ୍ରକଳ୍ପ ନିର୍ମାଣ ହେଲେ ପାଖାପାଖି ୨୫ ଖଣ୍ଡ ଗ୍ରାମ ରାଜସ୍ୱ ମାନ୍ୟତା ହରାଇବା ସହ ଜୀବନ ଜୀବିକା ହଜାର ହଜାର ଲୋକ ହରାଇବେ। ଏମାନଙ୍କୁ କିପରି ଥଇଥାନ କରାଯିବ ତାହା ଏକ ଜଟିଳ ପ୍ରଶ୍ନ। ହଜାର ହଜାର ଏକର ଜମି ଜଳପ୍ଳାବିତ ହେବ,ଅଞ୍ଚଳ ର ଫସଲ ଆଦାୟ କମିବ ଏବଂ ପରିବା ବ୍ୟବସାୟୀ ଜୀବିକା ହରାଇବେ। ବହୁ ମନ୍ଦିର ପାଣିରେ ମିଶିବ। ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ଗ୍ରାମବାସୀ ଜୀବିକା ହରାଇବେ ,ଲକ୍ଷ ଲକ୍ଷ ଲକ୍ଷ ଗଛ ନଷ୍ଟ ହେବ,ଅଞ୍ଚଳର ଅଧ୍ୟାତିକ୍ମତା ସମ୍ପୂର୍ର୍ଣ ନଷ୍ଟ ହେବ, ବହୁ ବନ୍ୟାପ୍ରାଣୀ ସହରମୁହାଁ ହେବେ। ଏଥିରେ ପ୍ରଶ୍ନ ଉଠୁଛି ଯେ କେବଳ ଏକ ଶିଳ୍ପାୟନ ପ୍ରକଳ୍ପ ପାଇଁ କଣ ଏମିତି ଗଞ୍ଜାମ ଜିଲ୍ଲା ର ଜୀବନ ଜୀବିକା ପ୍ରାଣକେନ୍ଦ୍ର ଋଷିକୁଲ୍ୟା କୁ ବନ୍ଧା ପକାଇଯାଇପାରିବ କି? ଋଷିକୁଲ୍ୟା ନଦୀ ରେ ଏହି ପ୍ରକଳ୍ପ ନିର୍ମାଣ କରାଗଲେ ତଳିଆ ଅଞ୍ଚଳ ରେ ବ୍ୟାପକ ଜଳସଙ୍କଟ ଦେଖାଯିବ ତେଣୁ ରାଜ୍ୟ ସରକାର ପ୍ରକଳ୍ପ ନିର୍ମାଣ କୁ ବନ୍ଦ କରନ୍ତୁ ବୋଲି ଋଷିକୁଲ୍ୟା ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପରିବେଶବିତ ପ୍ରଫୁଲ ସାମନ୍ତରାୟ କହିଛନ୍ତି। ପ୍ରକଳ୍ପ ନିର୍ମାଣ ହେଲେ ଅନେକ ଆଦିବାସୀ ନିଜର ଜୀବିକା ହରାଇବା ସହ ଚାଷ କରୁଥିବା ଜଙ୍ଗଲ ଜମି ହରାଇବେ । ତେଣୁ ପ୍ରକଳ୍ପ ନିର୍ମାଣ ଯୋଜନା ତୁରନ୍ତ ବନ୍ଦ କରାନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପରିବେଶବିତ ଭାଲଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ କହିଛନ୍ତି । ଗଞ୍ଜାମ ଜିଲ୍ଲା ର ଜୀବନ ଜୀବିକା ର ପ୍ରାଣକେନ୍ଦ୍ର ଋଷିକୁଲ୍ୟା କୁ ବଞ୍ଚାଇବାକୁ ହେଲେ ପିପଳପଙ୍କା ଠାରେ ନୂତନ ଜଳଭଣ୍ଡାର ନିର୍ମାଣ ପରିବର୍ତେ ସୋରଡା ଜଳଭଣ୍ଡାର ର ପୁନରୁଦ୍ଧାର ଯୋଜନା ପ୍ରଣୟନ କରିବା ସହ ଏହି ଜଳଭଣ୍ଡାର ର ୮୦୦ ହେକ୍ଟର ପରିସୀମା ରେ ଜଳ ରଖିବା ବ୍ୟବସ୍ଥା କରାଗଲେ ଏହା ଦୁଇଗୁଣ ଜଳ ନିର୍ଗତ କରିବ ଏବଂ ପାନୀୟ ଜଳ ସଙ୍କଟ ର ଆବଶ୍ୟକତା କୁ ପୂରଣ କରିବା ସହ ୮୦୦ ରୁ ଉର୍ଦ୍ଧ ମଛ୍ୟଜୀବି ଙ୍କୁ ରୋଜଗାର କ୍ଷମ କରିବା ସହ ଜିଲ୍ଲା ରେ ମାଛ ର ଚାହିଦା ପୂରଣ କରିପାରିବ ଏବଂ ଉଭୟ ଖରିଫ ଏବଂ ରବି ଋତୁ ରେ ଜମି କୁ ପାଣି ଓ ବ୍ରହ୍ମପୁର ଲୋକଙ୍କ ପାନୀୟ ଜଳ ଆବଶ୍ୟକତା କୁ ପୂରଣ କରିପାରିବା ସହ ଟାଟା ପ୍ରକଳ୍ପ କୁ ମଧ୍ୟ ଜଳଯୋଗାଇ ପାରିବା ପାଇଁ ସକ୍ଷମ ହୋଇପାରିବ ବୋଲି ପରିବେଶବିତ ମାନେ ମତ ରଖିଛନ୍ତି।