ସଡକ ଦୁର୍ଘଟଣା ରୋକିବାକୁ ଆସିକାରେ ଭାରିଯାନ ଚାଳକଙ୍କୁ ଚା ବଣ୍ଟନ
ଆସିକା, (ଯୁଗାବ୍ଦ ନ୍ୟୁଜ):ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ସଡକ ଦୁର୍ଘଟଣା ହ୍ରାସ କରିବା ସହ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ ଭଂଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ପରାମର୍ଶକ୍ରମେ ଗଂଜାମ ଟ୍ରକ ମାଲିକ ସଂଘ ଆସିକା ଜୋନ୍ ପକ୍ଷରୁ ସଂଘର ସଭାପତି ନିଗମାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ସୂର୍ଯ୍ୟନାରାୟଣ ନାହାକ, ଆକାଶ ନାହାକ, ଚନ୍ଦନ ସ୍ୱାଇଁଙ୍କ ସମେତ ବହୁ ସଡକ ସୁରକ୍ଷାପ୍ରେମୀ ଭୋର ୩ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଆସିକା ବିଜୁ ପଟ୍ଟନାୟକ ଛକରେ ଉପସ୍ଥିତ ରହି ବ୍ରହ୍ମପୁର, ଭୁବନେଶ୍ୱର, ନୟାଗଡ, ଫୁଲବାଣୀ ଅଭିମୁଖେ ଯାଉଥିବା ଭାରିଯାନ ଚାଳକମାନଙ୍କୁ ମାଗଣାରେ ଚାହା ପିଆଇ ସେମାନଙ୍କ ମୁହଁକୁ ବିଶୁଦ୍ଧ ପାଣିରେ ଧୋଇବା ଲାଗି ପରାମର୍ଶ ଦେବା ସହ କଥାବର୍ତ୍ତା ହୋଇ ରାସ୍ତାରେ କିଛି ସମୟ ବିଶ୍ରାମ ନେଇ ପୁଣି ଗାଡି ଚଳାଇ ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ଯିବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି । ସଡକ ଦୁର୍ଘଟଣାକୁ ରୋକିବା ଲାଗି ଆସିକା ଟ୍ରକ ମାଲିକ ସଂଘର ସଭାପତି ନିଗମାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସକୁ ସଚେତନ ନାଗରିକ ମହଲରେ ଉଚ୍ଚ ପ୍ରଶାଂସା ଓ ସ୍ୱାଗତ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ରାତ୍ରରେ ଅଧିକାଂଶ ଭାରିଯାନ ଡ୍ରାଇଭରମାନେ ରାତି ଅନିଦ୍ରା ହୋଇ ଅବିଶ୍ରାନ୍ତ ଭାବେ ଗାଡି ଚଳାଉଛନ୍ତି । ଯେଉଁଥି ପାଇଁ ଅଧିକାଂଶ ଗାଡି ଚାଳକଙ୍କ ଆଖି ରାସ୍ତରେ ଲାଗିଯିବା ସହ ସଡକ ଦୁର୍ଘଟଣାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏହାକୁ ରୋକିବା ଲାଗି ଆସିକା ଟ୍ରକ ମାଲିକ ସଂଘ ପକ୍ଷରୁ ଏହି ମାଗଣା ଚା ବଣ୍ଟନ ଅଭିଯାନ ଆରମ୍ଭ ହୋଇଥିବା ବେଳେ ରାତ୍ରରେ ଗାଡି ଚଳାଇ ଯାଉଥିବା ଭାରିଯାନ ଚାଳକମାନେ ଗାଡି ଚଳାଇବା ସମୟରେ ନିଦ ଆସିଲେ ସଂପୁର୍ଣ୍ଣ ଚେତନାର ସହ ଗାଡି ରଖି ବିଶ୍ରାମ ନେଇ ପୁଣି ଗାଡି ଚଳାଇବା ଦିଗରେ ବ୍ରତୀ ହେବାକୁ ଅନୁରୋଧ କରିଥିବା ଜଣାପଡିଛି । ଆସିକା ଟ୍ରକ ମାଲିକ ସଂଘର ସଭାପତି ନିଗମାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ସଡକ ସୁରକ୍ଷା ପ୍ରେମୀମାନେ ଭାରିଯାନ ଗାଡିର ଚାଳକମାନଙ୍କୁ ସଡକ ସୁରକ୍ଷା ପରିବାର ରକ୍ଷା, ଟ୍ରାଫିକ୍ ନିୟମ ଉପରେ ସଚେତନ କରିଥିବା ଦେଖିବାକୁ ମିଳିଥିଲା ।