ନେତି ଆଈ କାହାଣୀ

ନେତି ଆଈ ନଇଁ ପଡ଼ିଥିଲେ ବି ଭାଜେ ମୁଢ଼ି. ହାଟରେ ତା ମୁଢ଼ି଼ର ଭାଉ ଜୋର. ମୁଢ଼ି କିଣିବା ସହ ତା ମୁଢ଼ି ପାଗ ପାଇଁ ତା ପାଖରେ ହାଟରେ ଭାରି ଭିଡ଼. ମିକ୍ସଚର, ବୁଟ ଭଜା,ବାଦାମ ଭଜା, ନଡିଆ କୋରା ସାଙ୍ଗକୁ ଧନିଆଁ ପତ୍ର ଓ ଖଟା ପାଣି ଅଳ୍ପ ଗୋଳେଇ ମୁଢ଼ି ପାଗ ଯିଏ ଖାଇଛି ସେ କେବେ ଭୁଲିନି ବରଂ ଭିଡ଼ ଜମେଇଛି. ନେତି ବୁଢ଼ୀ ମଧ୍ୟ ସମସ୍ତଙ୍କୁ ମୁଢ଼ି ପାଗ ଠୋଲାରେ ବଢ଼େଇ ଦେବାରେ ଅଭ୍ୟସ୍ତ ହାତ ଦୁଇଟା ପାଇଛି ଯେମିତି. ବଳି ପଡିଲେ ପାଖରେ ଗାଈ ବଳଦ ବିକୁଥିବା ଗୋବିନ୍ଦ ଗାଈ ବଳଦ ଭିତରୁ ସେଇ କଳା ଦାମ୍ବୁଡ଼ିଟା ପାଖେ ଅଜାଡି ଦେଇ ଆଉଁସି ଆଣେ ତା ଦେହ. ମନେ ମନେ ଭାବେ କେବେ ଯିବୁ ମୋ ଘରକୁ କେଜାଣି!ବାକି ପଇସା ସିନା ଗୋବିନ୍ଦ ହାତରେ ପଇଠ କଲେ ସେ ଦେବ ଦାମ୍ବୁଡ଼ିଟାକୁ!ନାତିଟା କୋଉଦିନୁ କହିଲାଣି ଖରା ହଉଛି ଜେଜି ମୋ ପାଇଁ ରଙ୍ଗୀନ ଛତା ଓ ଚପଲ କିଣିଦେ. ବୁଢ଼ୀର ତ ଦାମ୍ବୁଡ଼ିଟିକୁ କିଣିବାକୁ ଭାରି ମନ. ଅଣ୍ଟା ନଇଁ ପଡିଲେ ମଧ୍ୟ ତା ହାତର ଯାଦୁରେ ଯେଉଁ ମୁଢ଼ି ଫୁଟେ ସେଥିରେ ଟିକେ କ୍ଷୀର ପକେଇ ଜେଜିମା ନାତି ଖାଇଲେ ପୋଷଣ ପାଇବ ଶରୀର. ବାଡ଼ି ବଗିଚାରେ କରିଥିବା ସବୁଜ ସଜ ପନିପରିବା ଖାଉଥିଲେ ବି ଭିଟାମିନ(12) ବାର ଦିହକୁ ହିତ ବୋଲି ନାତିଆ କହେ ତ ପାକୁଆ ପାଟି ମେଲାଇ ହସିଦିଏ ନେତି ଆଈ କହେ ଦୁହାଁଳିଆ ଗାଈ ସିନା କିଣି ହବନି ଦାମ୍ବୁଡ଼ିଟିଏ କିଣି କଅଁଳ ଦୁବଘାସ ଖାଇ ଦିନ କେଇଟାରେ ଦୁହାଁଳିଆ ଗାଈ ହେବାକୁ କେତେ ଦିନ ଲାଗିବ?ହାଟରେ ଠାଵ କରିଥିବା କଳା ଦାମ୍ବୁଡ଼ିଟିକୁ ନିଶ୍ଚୟ ଦିନ କେଇଟାରେ ଘରକୁ ଆଣିବ ନେତି ବୁଢ଼ୀ. ମୁଢ଼ି ବିକା ପଇସା ଏକାଠି କରି ଘରକୁ ଆଣିବ ନେତକୁ ନିଶ୍ଚୟ.
ନାତି ବାବୁଲାଟା ଭାରି ବଗୁଲିଆ ହେଲାଣି. ବାପା ମାଆ ଛେଉଣ୍ଡ ପିଲାଟାକୁ ଆକଟି କିଛି କହିପାରେନା ନେତି ବୁଢ଼ୀ ହେଲେ ବାବୁଲା କହୁଥାଏ ବୁଝିଲୁ ଜେଜିମା ଦିବା ସ୍ବପ୍ନ ଦେଖେନା. ସେଇ ଭିକାରୀ ଗପ ଶୁଣିନୁ କି?ଭିକ୍ଷା କରି କରି ପେଟରୁ କାଟି ଅନାଗତ ଭବିଷ୍ୟତ ପାଇଁ ସଞ୍ଚୟ କରିଥିବା ପଇସା ଘଡିଟିକୁ ମୁଣ୍ଡ ଉପରେ ଟାଙ୍ଗି ଶୋଉ ଶୋଉ ସ୍ବପ୍ନ ଦେଖୁଥିଲା ଯେ ଆଉ କିଛି ପଇସା ହୋଇଗଲେ ଭଲ ଝିଅଟିଏ ଦେଖି ବାହା ହେବ.ଗୋଟେ ଭଲ ଘରେ ରହିବ.ତାର ଗୋଟେ ସୁନ୍ଦର ପୁଅ ହେବ.ତାକୁ ପାଠ ପଢ଼ାଇବା ବେଳେ ପଣିକିଆ ନଆସିଲେ ଦେବି ଯେ ଗୋଟେ ଚଟକଣା କହି ପଇସା ଘଡିକୁ ଏମିତି ପାହାରେ ଦେଲା ଯେ ଗୋଟି ଗୋଟି ସଞ୍ଚିଥିବା ପଇସାକୁ ପୁଣି ଏକତ୍ର କରିବାକୁ ଯାଇ ସେ ସେଦିନ ବୁଝି ଯାଇଥିଲା ଯେ ଦିବାସ୍ବପ୍ନ ଖାଲି ଯାତନା ଛଡା ଆଉ କିଛି ନୁହେଁ . ତେଣୁ ତୁ ଆଉ ସେ ଦିବସ୍ବପ୍ନ ଦେଖେନା. ନେତି ବୁଢ଼ୀ କହେ ମୁଁ ବଡ଼ ସ୍ବପ୍ନ କିଛି ଦେଖୁନିରେ ଧନ. ମନେ ମନେ ଭାବେ ନାତିଟା ମନ ମସ୍ତିଷ୍କରେ ବଡ଼ ହେଲାଣି. ବଢନ୍ତା ଶରୀର ଓ ମୁଣ୍ଡ ପାଇଁ ସେ ଯେମିତି ହେଲେ ଗାଈଟିଏ କିଣି ବାବୁଲାକୁ କ୍ଷୀର ପିଆଇବ.
ନେତି ବୁଢ଼ୀ ଏତିକି ଭାବୁ ଭାବୁ କାହୁଁ ଥିଲା କଳାହାଣ୍ଡିଆ ମେଘ ଉଠେଇ ଚାରିଆଡ଼ ଅନ୍ଧାର ଦିଶିଲା. ମାଇକିରେ ଡାକ ପଡିଥିଲା ଘୁର୍ଣ୍ଣିଝଡ଼ ଆସୁଛି ଯିଏ ଯାହା ଜିନିଷ ପତ୍ର ନେଇ ସୁବିଧା ଯାଗା ଦେଖି ଉଠିଯାଅ . ବୁଢ଼ୀ ଘୋଡେଇ ଦେଲା ମୁଢ଼ି ଅଖାକୁ. ଚାହିଁଲା ପାଖ ଗୋରୁ ହାଟକୁ. ଗୋବିନ୍ଦା ଗାଈ ବାଛୁରୀ ଅଡ଼େଇ ଯାଉ ଯାଉ କଳା ମଚମଚ ଦାମ୍ବୁଡ଼ିଟା ଅଟକି ଗଲା. ନେତି ବୁଢ଼ୀ ଡାକିଲା ଆ ଆ ନେତ . ସେତେବେଳକୁ ବରକୋଳିଆ ଟୋପା ପଡି ଅନ୍ଧାର. ଛିଟିକା ମାରି ମୁଢ଼ି ଅଖା ଓଦା ହୋଇଆସୁଛି. କୁଆଡେ ଗଲା ବାବୁଲା ବାରବୁଲା?ଦାମ୍ବୁଡ଼ିକୁ ଛାଡ଼ି ଗୋବିନ୍ଦ ବାହାରି ଗଲାଣି. ମୁଢ଼ି ଆଞ୍ଜୁଳେ ଥୋଇ ଆଉଁସିଲା ନେତି ବୁଢ଼ୀ ଦମ୍ବୁଡ଼ିକୁ. ତା ପରେ ପରେ ବିଜୁଳି ଘଡଘଡି ଚଡଚଡି ତୁହାକୁ ତୁହା. ହଠାତ ଚଡଚଡି ପଡି ଦମ୍ବୁଡ଼ିଟା ଚାରିକାତ ମେଲାଇ ପଡିଗଲା. ଦୁଇଘଣ୍ଟା ପରେ କାଳବୈଶାଖିର କୋପରୁ ନେତି ବୁଢ଼ୀ ସିନା ରକ୍ଷା ପାଇଗଲା ହେଲେ ଗୋବିନ୍ଦ ପୋଲିସ ନେଇ ହାଜର. ଏଇ ବୁଢ଼ୀ ମୁଢ଼ି ଦେଇ ମୋ ଦାମ୍ବୁଡ଼ିକୁ ମାରିଛି. ନେହୁରା ହେଲା ବୁଢ଼ୀ. ଯେତେ ସତ କହିଲେ ବି ଦାରୋଗାବାବୁ ଛାଡିଲା ନାହିଁ. ଅଣ୍ଟିରୁ କାଢି ଦୁଇଶହ ଟଙ୍କା ଗଣି ବୁଢ଼ୀ ଫେରୁଥିଲା ଚିରା ଫଟା ଛତା ଭିତରେ ବାବୁଲା ସହ.ଯିବା ପୂର୍ବରୁ ଦାମ୍ବୁଡ଼ିକୁ ବୁଲି ଚାହିଁବାର ସାହାସ ନଥିଲା କି କହିପାରୁନଥିଲା ପୋଲିସକୁ ସେ ଦାମ୍ବୁଡ଼ି କିଣିବା ପାଇଁ ଗୋବିନ୍ଦକୁ ଦେଇଥିବା ଦୁଇଶହ ଲେଖାଏଁ ବାରଶହଟଙ୍କା ଫେରିପାଇବାର ଅଛି. ଗଲାବେଳେ ଦାମ୍ବୁଡ଼ିଟାକୁ ଟିକେ ଆଉଁସି ନପାରି ଓଦା ମୁଢ଼ି ବସ୍ତା ଛାଡ଼ି ବୁଢ଼ୀ ଚାଲୁଥିଲା ନଇଁ ନଇଁ ନାତି ସହ କାନ୍ଦି କାନ୍ଦି.ବୁଢ଼ୀର ସ୍ବପ୍ନ ଭାଙ୍ଗି ଚୁନା ହୋଇଯାଇଥିଲା.
ନେତି ବୁଢ଼ୀ ଆଜି ହାଟ ପାଇଁ କାହା ପାଇଁ କିମ୍ବଦନ୍ତୀ ହୋଇଥିଲା ବେଳେ ସେହି ସ୍ଥାନରେ ପକ୍ଷୀ ବିକ୍ରୀ କରି ଚାଲିଥିଲା ତା ନାତି ବାବୁଲା . ତାପ୍ତି ଆସନ୍ତି ଦେଖନ୍ତି ପକ୍ଷୀସବୁକୁ.ଶୁଣନ୍ତି ବାବୁଲା କଥା.ନାଲି ନେଳି ପିଞ୍ଜରାବଦ୍ଧ ଶୁଆ ଶାରୀ ଆଦି ଜାତି ଜାତି ପକ୍ଷୀ ଦେଖି ଅଟକିଯାଆନ୍ତି ସେଇଠି ଘଡ଼ିଏ ତାପ୍ତି. ସେ ଭାବି ଚାଲିଥିଲେ.ତାଙ୍କ ଦୁଆର ଆଗରେ ଝଙ୍କାଳିଆ ବରଗଛ ଉପରେ କାହିଁ କୁଆଡୁ ଉଡିଆସି କେତେ ପକ୍ଷୀ ବସନ୍ତି. ଖରାଦିନେ ପାଣି ଟୋପେ ପିଇବାକୁ ଡହଳ ବିକଳ ହେଉଥିବା ପକ୍ଷୀମାନଙ୍କ ପାଇଁ ଛାତ ଉପରେ ମାଟି ଘଡି ବା ଅଧା ମାଟି ଘଡ଼ା ସାତଟାରେ ପାଣି ଭରି ଠାଆକୁ ଠାଆ ରଖିଦିଅନ୍ତି ତାପ୍ତି. ପକ୍ଷୀଗୁଡିକ ଯେତେବେଳେ ଇଛା କରନ୍ତି ଉଡି ଆସି ପାଣି ପିଇ ପୁଣି ବରଗଛ ଡ଼ାଳକୁ ଉଡିଯାଆନ୍ତି. ସେଇ ଛାତରେ ତୁଳସୀ ଚଉରା ତାପ୍ତିଙ୍କର. ପ୍ରତିଦିନ ତୁଳସୀମୂଳେ ଜଳ ଦେବାକୁ ଓ ସୂର୍ଯ୍ୟଙ୍କୁ ଜଳଦାନ କରି ପୁଣ୍ୟ ପାଇବାକୁ ତାପ୍ତି ଯେବେ ଛାତ ଉପରକୁ ଯାଆନ୍ତି ଭରି ଦିଅନ୍ତି ସେହି ଆଧାଅଧି ବା ପୁରା ଖାଲି ପଡ଼ିଥିବା ମାଟି ଘଡି ଗୁଡିକୁ.
ଦିନକୁ ଦୁଇଥର ଛାତ ଉପରକୁ ଯାଆନ୍ତି ତାପ୍ତି. ସକାଳେ ଯେମିତି ସକାଳ ସୂର୍ଯ୍ୟ ପୂଜା କରି ଶାନ୍ତି ପାଆନ୍ତି ସେମିତି ଚାରିଟା ବେଳେ ବରଗଛ ଡ଼ାଳରେ ଜାତି ଜାତି ପକ୍ଷୀ ଦେଖି ତାଙ୍କ ସ୍ୱର ଠାଵ କରି ତାଙ୍କ ଗତିବିଧି ଲକ୍ଷ କରି ତାଙ୍କୁ ଠାଵ କରନ୍ତି.ତାପ୍ତିଙ୍କୁ ଦେଖିଲେ ପାଣି ପିଇବାର ଶହେରୁ ଶହେ ଇଛାକୁ ଚାପି ଦେଇ ପକ୍ଷୀନୀଡ଼ବାହୁଡା଼ ବେଳେ ବସାକୁ ଫେରିପଡୁଥିବା ବଣି, କାଉ ସହ ସେଇ ବାର୍ଡଚଢେଇ ମଧ୍ୟ ପାଣି ନପିଇ ଉଡିଯିବା ଦେଖି ମନ ଖରାପ ହୁଏ ତାପ୍ତିଙ୍କର ତ ହଲଚଲ ନହୋଇ ସ୍ଥାଣୁ ପାଲଟି ବସି ଯାଆନ୍ତି ଟିକେ ଦୂରକୁ ତାପ୍ତି.
ବାର୍ଡ ଚଢେଇର ଗୋଟେ ଇତିହାସ ଅଛି. ପିଲାବେଳେ ପୁଅ ଝିଅ ଦୁହେଁ ପାଟିକୁ ଖାଦ୍ୟ ନେଉନଥିବା ବେଳେ ଛାତ ଉପରେ ଏଇ ଚଢେଇ ଦେଖେଇ ବୁଲେଇ ବୁଲେଇ ଖୁଆଇଲା ବେଳେ ତାପ୍ତି କହନ୍ତି ଦେଖ ଦେଖ ବାର୍ଡ ଆସିଲାଣି ଏବେ ସବୁ ଖାଇନେବ. ତୁ ଆଁ କରି ଖାଇଦେ ଧନ. ମୁଁ ଆଖି ମୁଜି ଥାଏକି ମୋ ଧନ /ଧାନୀ ଖାଇଥାଏକି କହୁ କହୁ ଖାଇଦିଅନ୍ତି ପିଲାବେଳେ ପୁଅ ଓ ତା ପରକୁ ଠିକ ସେହି ପ୍ରଣାଳୀରେ ଝିଅ ତ ଆଖି ଖୋଲି ତାପ୍ତି କହନ୍ତି କିଏ ଖାଇଲା? ପୁଅ ଓ ପରେ ପରେ ଝିଅ ଦେଖେଇ ଦିଅନ୍ତି ବାର୍ଡ ଚଢେଇକୁ. ଯାହାର ସଠିକ ନାମ ଏଯାଏଁ ନଜାଣି ସେହି ବାର୍ଡ ଚଢେଇ ହୋଇ ରହିଯାଇଛି ପକ୍ଷୀଟି. ଅନେକାଂଶରେ ହଳଦୀ ବସନ୍ତ ଓ ଶୁଆର ମିଶ୍ରଣର ସେହି ବାର୍ଡ ଚଢେଇ କିନ୍ତୁ ଡରେନା ଏଣିକି ତାପ୍ତିଙ୍କୁ ଦେଖି. କିଏ ଖାଇଲା କିଏ ଖାଇଲା କହିଲେ ପାଟିରେ ଖାଦ୍ୟ ନେଇ ଢ଼ୋକି ଦେଉଥିବା ପିଲା ଦୁହେଁ ଯିଏ ଯାହା ସଂସାରରେ ଦୂର ବିଦେଶରେ ଥିଲା ବେଳେ ପକ୍ଷୀ ମାନଙ୍କ ଭିତରେ ବାର୍ଡ ଚଢେଇ ତାପ୍ତିଙ୍କର ଖୁବ ପ୍ରିୟ.ମୁଢ଼ି ବିଞ୍ଚିଦେଇ ତାପ୍ତି ଦେଖନ୍ତି ଖୁଣ୍ଟି ଖୁଣ୍ଟି ଖାଉଥାଏ ବାର୍ଡ ଚଢେଇ ଓ ପାଣି ପିଇ ଉଡିଯାଏ ବରଗଛ ଡାଳକୁ ନିଶଙ୍କୋଚରେ.
ସେଦିନ ଆଳୁ ପରଠା କରି ସ୍ୱାମୀଙ୍କୁ ଖାଇବାକୁ ଦେଉ ଦେଉ ସନ୍ଧ୍ୟା ଆସିଯାଇଥିଲା. ଗୋଠବାହୁଡା ଦୃଶ୍ୟ ସହ ପକ୍ଷୀମାନଙ୍କର ନୀଡ଼ ଫେରନ୍ତା ଦୃଶ୍ୟ ଦେଖିବାକୁ ତରତର ହେଉଥିଲେ ତାପ୍ତି ଛାତ ଉପରକୁ ଯିବାକୁ ତ ସ୍ୱାମୀ କହୁଥିଲେ କଣ ରାଣୀ ମାଆଙ୍କର ଏଇ ଆଳୁ ପରଠା ସାଙ୍ଗକୁ ଆଜି ଚଟଣୀ ଇତ୍ୟାଦିର କିଛି ଯୋଜନା ନାହିଁ ନା କଣ? ଆଳୁ ପରଠା ଭିତରେ ତ ଚଟଣୀ ପୁଣି କଣ ଚଟଣୀ ଖୋଜୁଛ କହି ତରତରରେ ଯୋଗାଡି ରଖିଥିବା ଷ୍ଟିଲ ଢାଳ ସବୁ ନେଇ ଛାତ ଉପରକୁ ଉଠୁଥିଲେ ତାପ୍ତି. କୋଉଠି ଥାଆନ୍ତି ଏ ମାଙ୍କଡ଼ ସବୁ ମାଟି ଘଡି ଗୁଡ଼ିକରୁ ପାଣି ପିଇ କଚାଡି ଭାଙ୍ଗି ସାରିଛନ୍ତି. ମାଙ୍କଡ଼ଙ୍କ ପାଇଁ ତ ଆରପଟ ଛାତରେ ପାଣି ଥୁଆ ହୋଇଛି. ବିଚରା ପକ୍ଷୀଗୁଡିକଙ୍କର ଘଡି ଭାଙ୍ଗିଦେଲେ ସେମାନେ ଚଳେ ପାଣି କଳକୁ କେମିତି ନେବେ ଥଣ୍ଟରେ? ସବୁ ଢାଳରେ ପାଣି ଭରି ଜଗି ରହିଲେ ଦୂରରେ ତାପ୍ତି. ପାରାଟିଏ ଉଡିଆସିଲା. ପାଣି ଖୋଜି ଖୋଜି ବୋଧହୁଏ ହଂସା ଉଡିଯାଉଥିଲା ତାର. କଣ ଦେଖିପାରୁନି କି ଥଣ୍ଡା ଜଳ ପୂର୍ଣ୍ଣ ଷ୍ଟିଲ ଢାଳ ଗୁଡିକରେ ଥୁଆ ପାଣି ଢାଳସବୁକୁ?
ସ୍ଥାଣୁ ପାଲଟି ବସିଗଲେ ତାପ୍ତି. ବୋଧହୁଏ ତାଙ୍କ ଉପସ୍ଥିତି ପାରାଟିକୁ ପାଣି ପିଇବାକୁ ଦେଉନି. ଶୋଷରେ ପାରାଟି ଉଡିଆସିଲା ଚଉରା ଉପରକୁ. ଦୁଇଦିନ ତଳେ ଅଦିନ ବର୍ଷାରେ ଝୁଣାଧୂପ ଦାନୀ, ରୂଖା, ଦୀପରେ ଲାଗିଥିବା ଟୋପେ ଟୋପେ ପାଣିକୁ ଥଣ୍ଟ ବୁଡେଇ ପିଇଲା ବେଳେ ମନେ ମନେ ତାପ୍ତି କହୁଥାନ୍ତି ଆରେ ବୋକା ଷ୍ଟିଲ ଢାଲରେ ପରା ଭଲ ପାଣି. ଟିକେ ହଳଚଲ ହୋଇଗଲା ତାପ୍ତିଙ୍କ ଶରୀର ତ ଫଡ ଫଡ ଉଡ଼ିଗଲା ପାରାଟା. ବିରକ୍ତିରେ ତାପ୍ତି କହୁଥିଲେ ଏ ପାରାଠୁ ବାର୍ଡ ଚଢେଇଟା ଢେର ଭଲ. ହାଟରୁ ଫେରି ତଳୁ ସ୍ୱାମୀ ଡାକ ପକେଇଲେ ପୁଅର ଫୋନ ଆସୁଛି. ପୁଅ କହୁଥିଲା ମାଆ ତୁ ତ ଜାଣିଛୁ ଦିଲ୍ଲୀର ଏଇ ଭଡାଘର ବାଳାକୋନୀରେ ଥରକୁ ଥର ପାରା ଦୁଇଟି ଅଣ୍ଡା ଦେଇ ଛୁଆ କରନ୍ତି. ଏବେ ଟିକେ ବର୍ଷା ହୋଇଯାଇଛି ଏଠି ତ ଶୁଖିଲା ଅଖା ପାରି ଦେଇ ଚାଉଳ ଗିନା ଓ ପାଣିଗିନା ଥୋଇଛି ହେଲେ ମାଆପାରା ଗୋଟେ ଅଣ୍ଡାକୁ ଗଡେଇ ଗଡେଇ ପେଟତଳେ ଜାକି ଭୁଲିଯାଇଛି ଆଉ ଗୋଟିଏ ଅଛି ବୋଲି!ମୁଢ଼ି ଦିଟା ପକେଇଦେ ସେ ଆର ଅଣ୍ଡା ପାଖାପାଖି ଯେ ମୁଢ଼ି ଖାଉ ଖାଉ ଅଣ୍ଡା ଦେଖି ପେଟ ତଳକୁ ନେଇଯିବ କହି ଫୋନ ଥୋଇ ହାଟରୁ ସ୍ୱାମୀ ଆଣିଥିବା ମୁଢ଼ି ଡବାରେ ରଖି ତାପ୍ତି ଭାବୁଥିଲେ ସତରେ ପକ୍ଷୀ ଜୀବନ ଭାରି ଭଲ. ହେଲେ ଆଜି କାହିଁକି ହାଟରେ ପକ୍ଷୀ ବିକ୍ରୀ ହେଉଥିବା ଦେଖି ମନ ଖରାପ ହେଲା. ତାଙ୍କୁ ଲାଗିଲା ତାଙ୍କୁ ଆଉ ଗୋଟେ ହେଲେ ପକ୍ଷୀ ଛାତ ଉପରେ ଦେଖିବାକୁ ମିଳିବନି ତ ସେ ସବୁ ପକ୍ଷୀଙ୍କୁ କିଣି ବସିଲେ. ବାବୁଲା ପଚାରିଲା ଏତେ ପକ୍ଷୀ କଣ କରିବ ମାଆ? ସବୁ ପକ୍ଷୀଙ୍କ ପଞ୍ଜୁରୀ ଖୋଲି ଉଡେଇ ଦେଉ ଦେଉ ତାପ୍ତି କହିଲେ ସ୍ବାଧୀନତା ଦେବି ତାଙ୍କୁ. ବାବୁଲା ମନଦୁଃଖ କରୁଥିଲା ତ ତାପ୍ତି କହିଲେ ତୁ ତ ତୋ ରୋଜଗାର ପଇସା ପାଇଯାଇଛୁ ମନଦୁଃଖ କାହିଁକି କରୁଛୁ? ସେ ଚଢେଇ ଭିତରେ ମୁଁ ମୋ ଜେଜେମାକୁ ପାଏ ମାଆ. ବୁଝିସାରିଥିଲେ ତାପ୍ତି ସ୍ୱାମୀ ଆଉ ହାଟରୁ କାହିଁକି ମୁଢ଼ି ନେଉନାହାଁନ୍ତି ଓ ସେ ପକ୍ଷୀଙ୍କ ଆଗରେ ସୁଆଦିଆ ମୁଢ଼ି ଦିଟା ପକେଇ ପାରୁନାହାଁନ୍ତି. ଅନେକ ଖାଦ୍ୟ ଭିତରୁ ସେ ମୁଢ଼ିର ସ୍ୱାଦ ଖୁବ ନିଆରା. ଶେଷ କେଇପଦ ଶୁଣି ବାବୁଲା କହିଲା ହଁ ମାଆ ମୋ ଜେଜେମା ନେତି ବୁଢ଼ୀର ମୁଢ଼ି ସମସ୍ତେ ଖୋଜି ହେଉଛନ୍ତି କହି କାନ୍ଦିପକେଇଲା ବାବୁଲା.ହାଟର ଅନେକ ଗହଳି ଭିତରେ ତାପ୍ତି ଅନୁଭବ କରୁଥିଲେ ଶୁନ୍ୟତା.ଫେରିବା ପୂର୍ବରୁ ବାବୁଲାକୁ ଗାଈଟିଏ କିଣିବାକୁ ପଇସା ଦେଇ ଆସିଥିଲେ କାରଣ ବାବୁଲା କହୁଥିଲା ତା ଜେଜେମାର ସ୍ବପ୍ନ ଥିଲା ଗାଈଟିଏ ପାଇଁ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ