ବଢିଆ ହେଲା
ଦିପ୍ତିମୟୀ ନାୟକ
ପ୍ରତ୍ୟେକ ଲୋକଙ୍କ ଜୀବନରେ କିଏ କେଉଁ ସମସ୍ୟା ଦେଇ ଗତି କରୁଥାଏ ତାହା କାହାକୁ ଜଣା ନଥାଏ | ଅନେକ ସମୟରେ କିଛି ଲୋକ ପିଲାଙ୍କ ସଫଳତା ଦେଖି ବଢିଆ ହେଲା କଥାଟି ବୋଲି କହିଥାନ୍ତି | କାହିଁକି ନା ଏହି ବଢିଆ ହେଲା କଥାଟି ଶୁଣିଲେ ପିଲାର ଆଗ୍ରହ ବଢିବା ସହ ପିଲାର ଖୁସି ଦ୍ବିଗୁଣିତ ହୋଇଯାଇଥାଏ କିନ୍ତୁ ବର୍ତ୍ତମାନ ସମୟରେ ଏହି ବଢିଆ ହେଲା କଥାଟି ଶୁଣିବା ଅତ୍ୟନ୍ତ ବିରକ୍ତିକର ଲାଗିଲାଣି | କାହିଁକି ନା ଆଗରୁ ଲୋକେ ପିଲାଙ୍କ ସଫଳତା ଦେଖି ବଢିଆ ହେଲା କଥାଟି କହୁଥିଲେ କିନ୍ତୁ ବର୍ତ୍ତମାନ ସମୟରେ ପିଲାଙ୍କ ବିଫଳତା ଦେଖି ବଢିଆ ହେଲା କଥାଟି କହୁଛନ୍ତି | ଯଦି ଆମେ କାହାର ସଫଳତା ଦେଖି ବଢିଆ ହେଲା କଥାଟି କହିପାରୁନେ ତାହାଲେ ତା’ର ବିଫଳତା ବେଳେ ତାକୁ କାହିଁକି ବଢିଆ ହେଲା ବୋଲି କହୁଛେ | ସେମାନେ ଏକଥା ମଧ୍ୟ ଏଥିପାଇଁ କହିଥାଆନ୍ତି ପିଲାଟିଏ ଯଦି ତା କାର୍ଯ୍ୟରେ ସଫଳ ହୋଇଯାଏ | ନିଜ ଲକ୍ଷସ୍ଥଳରେ ପଂହଁଚିଯାଏ ସେତେବେଳେ ଏମାନେ ପିଲାଙ୍କ ମାଧ୍ୟମରେ ସେମାନଙ୍କର ଅସଫଳ କାର୍ଯ୍ୟ ପୂରଣ କରିପାରିବେନି | ଯଦି ଆପଣ ଆପଣଙ୍କ ସଫଳ କାମର ମାଧ୍ୟମ ସେହି ପିଲାଙ୍କୁ ଭାବୁଛନ୍ତି ତେବେ ଆପଣ ସେହି ପିଲାଙ୍କ ପାଇଁ କଣ କରିଛନ୍ତି କେବେ ଭାବିଛନ୍ତି କି | ନା କେବଳ ପିଲାର ବିଫଳତା ଦେଖି ପିଲାଟିକୁ ବଢିଆ ହେଲା କଥା କହିବାକୁ ଚାହିଁ ରହିଛନ୍ତି | ସବୁବେଳେ ନିଜ ପିଲା ନିଜ ପିଲା କହି ସ୍ୱାର୍ଥ ହାସଲ କରୁଥିବା ଲୋକଙ୍କୁ ସୁବିଧାବାଦୀ ଲୋକ କୁହାଯିବନି ତ ଆଉ କଣ କୁହାଯିବ | ଆଜିକାଲି ଦୁନିଆରେ ଅର୍ଥର ଆବଶ୍ୟକତା ସମସ୍ତଙ୍କର ଥାଏ କିନ୍ତୁ ଯିଏ ନିଜ ବୃର୍ତ୍ତିଠୁ ଦୂରେଇ ରହିଥାଏ ତାହାର ମଧ୍ୟ କୌଣସି କାରଣ ରହିଥାଏ | କୌଣସି କାରଣ ନଜାଣି ଅନ୍ୟକୁ ପରିହାସ କରି କହିବା ଅନ୍ୟର ଫାଇଦା ଉଠେଇବା କୌଶଳ କେତେ ଭୁଲ ଏକଥା ସେମାନେ ବୁଝନ୍ତିନି | ପିଲାଙ୍କୁ ଖଟେଇବେ ପିଲାଙ୍କ ପାରିଶ୍ରମିକକୁ ନିଜେ ମାରିକି ଖାଇବେ ଆଉ ବାହାର ଦୁନିଆରେ ନିଜକୁ ପ୍ରତିଷ୍ଠିତ ଲୋକ କହିବେ | ଏହି ପ୍ରତିଷ୍ଠିତ ଲୋକମାନେ ହିଁ ଭୁଲିଯାଉଛନ୍ତି ଏମାନଙ୍କୁ ପ୍ରତିଷ୍ଠିତ କରିବାରେ କେତେ କେତେ ପଢୁଆ ପିଲାଙ୍କ ହାତ ଥାଏ ଆଉ ଏମାନେ ପିଲାଙ୍କୁ ଠକିଚାଲିଛନ୍ତି | ନିଜର କହି ଲୁଟି ଚାଲିଛନ୍ତି | ଚୋରଙ୍କ ଠାରୁ ହୀନ ଲୋକ ଏ ଲୋକ ହୋଇଥାଆନ୍ତି | ସୁବିଧା ଦେଖି ଭାବ ଲଗାଇଥାଆନ୍ତି | ଆଉ ସୁବିଧା ନଥିଲେ ଶିକ୍ଷିତ ପିଲାଙ୍କୁ ବି ଏମାନେ ଅଣଦେଖା କରିଥାଆନ୍ତି |
ତେବେ ଅଣଦେଖା ପିଲାଟି ସେତେବେଳେ ଆପଣାର ଲାଗେ ଯେତେବେଳେ ସେ ଅନ୍ୟ ମାନଙ୍କ ପାଇଁ ବିନା ସ୍ୱାର୍ଥରେ ଖଟିଚାଲେ | ଆଉ ଯେତେବେଳେ ପାରିଶ୍ରମିକ ମାଗିଦିଏ ସେତେବେଳେ ସେ ୱାଟସ ଆପ୍ ଫେସବୁକରୁ ବ୍ଲକ ହୋଇଯାଏ | ଯୋଗାଯୋଗରୁ ମଧ୍ୟ ବିଚ୍ଛିନ୍ନ ହୋଇଯାଏ | କିନ୍ତୁ କାମ ବେଳେ ପୁଣି ଏ ପିଲା ନିଜର ହୋଇଯାଆନ୍ତି | ଯେମିତି ଶୋଷ କଲେ ମଣିଷ ପାଣି ପାଖକୁ ଧାଇଁ ଯାଏଁ ଆଉ ଶୋଷ ମେଣ୍ଟିଗଲେ ସେହି ପାଣିକୁ ହିଁ ଅପରିଷ୍କାର କରିବାକୁ ଲାଗେ | ଠିକ ସେମିତି ଆଜିକାଲି କିଛି ଲୋକ ନିଜ ଆବଶ୍ୟକତାବେଳେ ଅନ୍ୟଙ୍କୁ ନିଜର କହି ନିଜ କାମ ହାସଲ କରୁଛନ୍ତି ଆଉ କାମ ସରିଲେ ଅଣଦେଖା କରୁଛନ୍ତି | ଥରେ ଭାବନ୍ତୁ କେହି କାହାକୁ ଗୁରୁତ୍ୱ ନଦେଉଥିଲେ କେହି କାହା କଥା ଶୁଣନ୍ତେନି ଆପଣଙ୍କୁ ଅନ୍ୟମାନେ ସେତିକି ଗୁରୁତ୍ୱ ଦିଅନ୍ତି ବୋଲି ଆପଣଙ୍କ କଥା ସେମାନେ ଶୁଣନ୍ତି | ସବୁଠାରୁ ଦୁଃଖର କଥା ଯେତେବେଳେ ଆମେମାନେ ସେମାନଙ୍କୁ ଆମ ନିଜର ଭାବୁ ଆମ ଆବଶ୍ୟକତା କଣ ଥାଏ କିଛି କହି ନଥାଉ | ଜୀବନ ସହ ସଂଘର୍ଷକଲାଭଳି ନିଜ କର୍ମକ୍ଷେତ୍ରରେ ଗୋଡ଼ ଟଣା ଲୋକଙ୍କ ଆଗରେ ଯେତେବେଳେ ଆମେ ବାରମ୍ବାର ଅସଫଳ ହୋଇଥାଉ ସେତେବେଳେ କଣ ଏହି ଦୁଃଖ କମ ଥାଏ | ଏ ଦୁଃଖ ମଣିଷକୁ ତା ଲକ୍ଷସ୍ଥଳରେ ପଂହଁଚିବାକୁ ଦିଏନି | ମନର ଇଚ୍ଛା ମନରେ ରୁହେନି | ଜୀବନରେ ଯେତକ ସମସ୍ୟା ଥାଏ ଏ ସମସ୍ୟା ସବୁଠାରୁ ବଡ଼ ସମସ୍ୟା ଭଳି ଲାଗିଥାଏ ଆଉ ଏହି ସମୟରେ ଯେତେବେଳେ ଆମକୁ କେହି କୁହନ୍ତି ତୁମ କାମ କେମିତି ଚାଲିଛି ସେତେବେଳେ ଯଦି ଗୋଟେ ଉତ୍ତର ଥାଏ କିଛି କାମ ନାହିଁ ଘରେ ବସିଛି | ସୁଯୋଗ ଅପେକ୍ଷାରେ ଅଛି କଷ୍ଟ ଜାରି ରହିଛି ସେତେବେଳେ ଯଦି କିଛି ଲୋକ କୁହନ୍ତି ବଢିଆ ହେଲା ସତରେ ଭାରି ବିରକ୍ତିକର ଲାଗେ | ଯେମିତି ଏମାନେ ଚାହିଁ ଥାଆନ୍ତି ଏମାନେ ଏମିତି ନିଜ କାର୍ଯ୍ୟରେ ଅସଫଳ ହୁଅନ୍ତୁ ଆଉ ଏମାନଙ୍କ ସବୁ କାର୍ଯ୍ୟର ମାଧ୍ୟମ ଏହି ପିଲା ହୋଇଯାଆନ୍ତୁ |
ତେବେ ବଢିଆ ହେଲା କଥା ସେତେବେଳେ କୁହନ୍ତୁ ଯେତେବେଳେ ଆପଣ ଅନ୍ୟର ମଙ୍ଗଳ ଚାହୁଁଥିବେ | ଅନ୍ୟକୁ ସାହାସ ଯୋଗେଇ ପାରୁଥିବେ | ଏହି ବଢିଆ ହେଲା କଥା ସବୁଠି ଭଲ ଲାଗେନି କାରଣ ଏହି ବଢିଆ ହେଲା କଥାଟି ବି ସମୟ ସହ ମଣିଷକୁ ଚିହ୍ନେଇ ଦେଇଥାଏ କିଏ କେତେ ଭଲ କାହାର ଚାହିଁଥାଆନ୍ତି | କାହାର ସୁଖ ବେଳେ ଯଦି ଆପଣ ବଢିଆ ହେଲା କଥାଟି କହି ପାରୁନାହାଁନ୍ତି କାହା ଦୁଃଖ ବେଳେ କାହିଁକି କାହାକୁ ବଢିଆ ହେଲା କଥାଟି କହୁଛନ୍ତି | ଅନ୍ୟକୁ ସାନ୍ତ୍ୱନା ମୂଳକ କଥା କୁହନ୍ତୁ ଆପଣ ଯଦି ଅନ୍ୟକୁ କୌଣସି କ୍ଷେତ୍ରରେ ସାହାଯ୍ୟ କରି ପାରୁ ନାହାଁନ୍ତି ତାହେଲେ ଆପଣଙ୍କ ସୁବିଧା ଅନୁଯାୟୀ ଯଦି ଆପଣ କାହାଠୁ କିଛି ସାହାଯ୍ୟ ମାଗୁଛନ୍ତି ତେବେ ବଢିଆ ହେଲା କଥାଟି ନକହି ତାଙ୍କୁ ସାହାଯ୍ୟ ମାଗନ୍ତୁ ଦେଖିବେ ସେ ମଧ୍ୟ ଖୁସି ହୋଇଯିବେ ଆପଣଙ୍କ ସହ ଦୁଇପଦ କଥା ହୋଇ ଆପଣଙ୍କ ଅସଫଳ କାର୍ଯ୍ୟ ସଫଳ କରିଦେବେ | ତେଣୁ ସବୁବେଳେ ସ୍ଥାନ, କାଳ, ପାତ୍ର ଦେଖି କଥା କହିବା ଶିଖନ୍ତୁ | ଉପର ମନରେ ଭଲ ହୋଇ ଭିତର ମନରେ ଇର୍ଷା ଭାବ ରଖନ୍ତୁନି | ସବୁବେଳେ ସମସ୍ତେ ସମସ୍ତଙ୍କର ଭଲ ଚିନ୍ତା କରନ୍ତୁ ଭଲରେ ଭଲ କୁହନ୍ତୁ | ଅନ୍ୟର ସମସ୍ୟା ବେଳେ ସେମାନଙ୍କ ପାଖରେ ଠିଆ ନହୋଇପାରିଲେ ବି ସେମାନଙ୍କୁ ସାନ୍ତ୍ୱନା ମୂଳକ କଥା କୁହନ୍ତୁ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର