ବିଶ୍ଵବିଦ୍ୟାଳୟରେ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଉଦଯାପିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟରେ ଫିଟ ଇଣ୍ଡିଆ ୨୦୨୪ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇ ଯାଇଛି. ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ଗତ ୫ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀ ମାନଙ୍କୁ ନିୟମିତ ଅଭ୍ୟାସ, ଦୌଡ଼, ଯୋଗ, ଏବଂ ଖେଳକୁ ଜୀବନର ଅଂଶ ଭାବେ ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ. କାର୍ଯ୍ୟକ୍ରମର ସଂଯୋଜକ ସହକାରୀ ପ୍ରଫେସର ଡ. ପ୍ରିୟରଞ୍ଜନ ଦେବତା ଫିଟ ଇଣ୍ଡିଆ ୨୦୨୪ର ପୃଷ୍ଠଭୂମି ଓ ଏଥିପାଇଁ ବିଶ୍ୱବିଦ୍ୟାଳୟରେ ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ. ମୟୂରଭଞ୍ଜ ଆଥଲେଟିକ ଆସୋସିଏସନର ସମ୍ପାଦକ ବିଜୟ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତାମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରିଥିଲେ. କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଜନ୍ମେଞ୍ଜୟ ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ସାନ୍ତାଳୀ ବିଭାଗର ସହକାରୀ ପ୍ରଫେସର ଡ. ଯତୀନ୍ଦ୍ରନାଥ ବେଶ୍ରା ଧନ୍ୟବାଦ ଅର୍ପଣ କରିଥିଲେ. ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ା, ମିନତୀ ମଲ୍ଲିକ, ସହକାରୀ ପ୍ରଫେସର ଡ. ବିଷ୍ଣୁପ୍ରିୟା ହାଁସଦା, ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ପ୍ରଦୀପ୍ତ ରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.