ଲୋପ ପାଇବାକୁ ବସିଲାଣି ପ୍ରାଚୀନ ଯୁଗର ଧାନଖଣି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଧାନକୁ ସାଇତି ରଖିବା ପାଇଁ ଶହ ଶହ ବର୍ଷ ଧରି ଗ୍ରାମାଞ୍ଚଳର ଚାଷୀ ପରିବାର ବ୍ୟବହାର କରିଆସୁଥିବା ଧାନଖଣି ପରମ୍ପରା ପ୍ରାୟତଃ ଲୋପ ପାଇବାକୁ ଯାଉଛି । ସିମେଣ୍ଟ କଂକ୍ରିଟ ରାସ୍ତା ଏହି ପ୍ରାଚୀନ କୃଷି ପରମ୍ପରାକୁ ଉଜ୍ଜୀବିତ କରିରଖିବା ଦିଗରେ ପ୍ରତିବନ୍ଧକ ସାଜିଥିବା ଚାଷୀ ମହଲରେ ଆଲୋଚିତ ହେଉଛି । ଗ୍ରାମାଞ୍ଚଳର ଚାଷୀ ପରିବାର ମାନେ ନିଜ ନିଜ ଘର ସମ୍ମୁଖରେ ଖଣି ପକାଇ ଧାନକୁ ସାଇତି କରି ରଖୁଥିଲେ । ଗତ କିଛି ବର୍ଷ ହେଲା କାଁ ଭାଁ କେତକ ଗ୍ରାମାଞ୍ଚଳର ଚାଷୀ ପରିବାର ଘର ସମ୍ମୁଖରେ ପ୍ରାଚୀନ ଧାନଖଣି ପରମ୍ପରା ଶୋଭାପାଉଥିବା ଦେଖିବାକୁ ମିଳୁଛି ।ଶହ ଶହ ବର୍ଷ ଧରି ଚଳି ଆସୁଥିବା ଏହି ପ୍ରାଚୀନ ଧାନଖଣି ପରମ୍ପରା ଏବେ ସମ୍ପୂର୍ଣ୍ଣ ଭାବେ ଲୋପ ପାଇବାକୁ ବସିଲାଣି । ପ୍ରତ୍ୟେକ ବର୍ଷ ମାଘ ମାସ ଆସିଲେ ଗ୍ରାମର ପରିଦୃଶ୍ୟ ଅଲଗା ହୋଇପଡୁଥିଲା । ଚାଷୀ ସମାଜ ନିଜ କ୍ଷେତରୁ ଧାନକୁ ଅମଳ କରି ଆଣିବା ପରେ ଧାନକୁ ଅଧିକ ସୁରକ୍ଷିତ ତଥା ସାଇତି କରି ରଖିବା ପାଇଁ ଖଣି ଖୋଳି ସେଥିରେ ଧାନକୁ ରଖୁଥିଲେ । ଏଥି ପାଇଁ ଚାଷୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଦ୍ୱନ୍ଦିତା ଲାଗି ରହୁଥିବାର ଦେଖିବାକୁ ମିଳୁଥିଲା । ଖଣିରେ ଧାନକୁ ସାଇତି ରଖିବା ଗ୍ରାମାଞ୍ଚଳର ଚାଷୀଙ୍କ ପାଇଁ ଏକ ସମ୍ମାନର ବିଷୟ ହୋଇଥିଲା । ଯେଉଁଚାଷୀଙ୍କ ଧାନଖଣି ନାହିଁ, ସେହି ଚାଷୀଙ୍କ ନାଁ ନାହିଁ ବୋଲି ଆଲୋଚିତ ହେଉଥିଲା । ଗ୍ରାମାଞ୍ଚଳର ଚାଷୀ ମାନେ ଖଣି, ଡ଼ୋଲି ଓ ପୁଡୁଗରେ ଧାନକୁ ସାଇତି କରି ରଖୁଥିଲେ । ଧାନକୁ ସାଇତି କରି ରଖିବା ପାଇଁ ଏହି ତିନି ପଦ୍ଧତି ମଧ୍ୟରୁ ଧାନଖଣି ଚାଷୀଙ୍କ ପାଇଁ ଅଧିକ ନିରାପଦ ଥିଲା । ଧାନ ଅମଳ ଶେଷ ହେଉ ହେଉ ଖଣି ଖୋଳା ଆରମ୍ଭ ହୋଇଯାଉଥିଲା । ପ୍ରଥମେ ପାଳର ପଟୁକୁ ଖଣି ତଳ ଭାଗରେ ପକାଯାଇ ତାହା ଉପରେ କ୍ଳକୁ ପକାଇ ଦିଆଯାଉଥିଲା । ଖଣି ତଳ ଅଂଶର ଆଦ୍ରତା ଓ ପ୍ୱାଶ୍ୱର୍ ମାଟିର ଆଦ୍ରତା ଯେପରି ଧାନକୁ ସ୍ପର୍ଶ ନକରିବ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଥିଲା । ତା ପରେ ଧାନ ପକାଯାଇ ପାଳ ଘୋଢେଇ ମାଟି ପକାଯାଉଥିଲା । ଉପର ମାଟିକୁ ଅଧିକ ମଜବୁତ କରିବା ପାଇଁ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଥିଲା । ଖଣିକୁ ମାଟିର ଲେପ ଦିଆଯାଇ କଞ୍ଚା ଗୋବରରେ ଲିପାପୋଛା କରାଯାଉଥିଲା । ଏହି ଧାନଖଣି ପରମ୍ପରା ସହ ସାମାଜିକ ସଂସ୍କୃତି ମଧ୍ୟ ଜଡିତ ଥିଲା । ଝିଅ କିମ୍ବା ବର ଖୋଜା ବେଳେ ଖଣିର ଉଚ୍ଚତାକୁ ଦେଖି ସଂପୃକ୍ତ ଚାଷୀଙ୍କ ଘରେ ବନ୍ଧୁ ବାନ୍ଧିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁଥିଲେ । ଧାନଖଣିକୁ ଚାଷୀ ନିଜର ଦେବତା ଭଳି ପୂଜା କରୁଥିଲେ । ପର୍ବପର୍ବାଣୀରେ ଧାନଖଣିକୁ ଲିପାପୋଛା କରି ଦୀପ ଜାଳି ଦୁବ ଓ ବରକୋଳି ପତ୍ରରେ ପୂଜା ମଧ୍ୟ କରୁଥିବାର ଦେଖିବାକୁ ମିଳୁଥିଲା । ଏହି ପ୍ରାଚୀନ ଧାନଖଣି ପରମ୍ପରା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇବାକୁ ବସିଲାଣି । ପୂର୍ବରୁ ଗ୍ରାମ୍ୟ ରାସ୍ତା ଖଣି ପକାଇବାକୁ ସୁହାଉଥିବା ବେଳେ ଏବେ କିନ୍ତୁ ଗ୍ରାମ୍ୟ ରାସ୍ତା କଂକ୍ରିଟ ରାସ୍ତାରେ ରୁପାନ୍ତରିତ ହୋଇଥିବା ଯୋଗୁଁ ଗ୍ରାମାଞ୍ଚଳର ପ୍ରାଚୀନ ଧାନଖଣି ପରମ୍ପରା ଲୋପ ପାଇବାକୁ ବସିଛି ।