ଥରୁଛି ଶିମିଳିପାଳ ସମେତ ମୟୂରଭଞ୍ଜ ଜିଲ୍ଲାର ସମଗ୍ର ଅଞ୍ଚଳ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପାରଦ ହ୍ରାସ ପାଇଥିବା ବେଳେ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଶୀତର ପ୍ରକୋପ ବଢ଼ୁଛି । ଶୀତ ପ୍ରକୋପରେ ପ୍ରବଳ ଜାଡ଼ରେ ଥରୁଛି ମୟୂରଭଞ୍ଜ ଜିଲ୍ଲା । ଚଳିତବର୍ଷରେ ସର୍ବନିମ୍ନ ତାପମାତ୍ରାରେ ପହଞ୍ଚିଛି ଶିମିଳିପାଳ ଅଭୟାରଣ୍ୟ ।ଶୀତ ପ୍ରକୋପରେ ପ୍ରବଳ ଜାଡ଼ରେ ଥରୁଛି ଶିମିଳିପାଳ ସମେତ ମୟୂରଭଞ୍ଜ ଜିଲ୍ଲାର ସମଗ୍ର ଅଞ୍ଚଳ । ଚଳିତବର୍ଷ ସର୍ବନିମ୍ନ ତାପମାତ୍ରାରେ ପହଞ୍ଚିଛି ଶିମିଳିପାଳ । ଶିମିଳିପାଳ ଅଭୟାରଣ୍ୟରେ ପାରଦା ୧ ଡିଗ୍ରୀକୁ ଖସି ଆସିବାରେ ରେକର୍ଡ କରିଛି । ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଗତ ସପ୍ତାହ ଧରି ମୟୂରଭଞ୍ଜ ଜିଲ୍ଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ତାପମାତ୍ରା ନିମ୍ନଗାମୀ ହେବା ସହ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ଛୁଇଁଥିଲା । ଗତକାଲି (ରବିବାର) ରାତିରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ସେଲସିୟସକୁ ଖସି ଆସିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗିନେନି ଏହି ସୂଚନା ଦେଇଛନ୍ତି । ଶିମିଳିପାଳ ଅଭୟାରଣ୍ୟର ଉପର ବାରାହା କାମୁଡାରେ ସର୍ବନିମ୍ନ ୧ ଡିଗ୍ରୀ ତାପମାତ୍ରା ଛୁଇଁଥିବା ବେଳେ ଚହଲା ୩ ଡିଗ୍ରୀ, ନୱଣା ୪ଡିଗ୍ରୀ, ବରେହିପାଣି ୫ଡିଗ୍ରୀ, ରାମତୀର୍ଥ ୧୦ଡିଗ୍ରୀ, ଗୁଡୁଗୁଡ଼ିଆ ୬ ଡିଗ୍ରୀ ଓ କିଆଝରିରେ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।
ଶିମିଳିପାଳ ଉପର ବାରାହା କାମୁଡ଼ା- ୧ ଡିଗ୍ରୀ ସେଲସିୟସ
ଚହଲା- ୩ ଡିଗ୍ରୀ ସେଲସିୟସ
ନୱଣା -୪ ଡିଗ୍ରୀ ସେଲସିୟସ
ବରେହିପାଣି – ୫ଡିଗ୍ରୀ ସେଲସିୟସ
ରାମତୀର୍ଥ – ୧୦ ଡିଗ୍ରୀ ସେଲସିୟସ
ଗୁଡୁଗୁଡ଼ିଆ -୬ ଡିଗ୍ରୀ ସେଲସିୟସ
କିଆଝରି – ୧୦ ଡିଗ୍ରୀ ସେଲସିୟସ
ଶିମିଳିପାଳ ଅଭୟାରଣ୍ୟ ପର୍ବତମାଳାର ଅନେକ ସ୍ଥାନରେ ପ୍ରବଳ ଜାଡ଼ କାରଣରୁ ଆଜି (ସୋମବାର) ସକାଳୁ ତୁହିନ ଆସ୍ତରଣ ଦେଖିବାକୁ ମିଳିଛି । ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ନିଷିଦ୍ଧାଞ୍ଚଳ ଗୁଡ଼ିକରେ ତାପମାତ୍ରା ହ୍ରାସ ଯୋଗୁଁ ରାତିରେ ଘାସ, ଗଛ ଏବଂ ଲତାମାନଙ୍କ ଉପରେ ପଡ଼ିଥିବା କାକର ବିନ୍ଦୁ ଜମାଟ ବାନ୍ଧି ତୁହିନର ଆସ୍ତରଣରେ ପରିଣତ ହୋଇଥିବା ବେଳେ ତୁଷାରପାତର ଭ୍ରମ ସୃଷ୍ଟି କରିଛି । ଯାହା ଫଳରେ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବିଭିନ୍ନ ନେଚର କ୍ୟାମ୍ପ ଗୃହ ଓ ଘାସ ଗାଲିଚା ଉପରେ ତୁହିନର ଆସ୍ତରଣ ଦେଖିବାକୁ ମିଳିଛି । ପାରଦ ଖସିବାରୁ ଶିମିଳିପାଳ ଅଭୟାରଣ୍ୟ ସମେତ ଜିଲ୍ଲାବ୍ୟାପୀ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ପ୍ରବଳ ଥଣ୍ଡା କାରଣରୁ ସନ୍ଧ୍ୟା ହେଲେ ଗାଁରୁ ସହର ସବୁଠି ରାସ୍ତାଘାଟ ଶୂନଶାନ ହୋଇଯାଉଛି । ସକାଳୁ ସକାଳୁ ଅନେକ ସମୟ ପର୍ଯ୍ୟନ୍ତ କୁହୁଡ଼ି ରହୁଛି । ଆଭ୍ୟନ୍ତରୀଣ ଶିମିଳିପାଳର ଅନ୍ୟାନ୍ୟ ମୁଖ୍ୟ ସ୍ଥାନ ଦେବସ୍ଥଳୀ, ଜେନାବିଲ, କୁମାରୀ ଓ ତାରାଣୀବିଲାରେ ମଧ୍ୟ ପ୍ରବଳ ମାତ୍ରାରେ ଶୀତ ଅନୁଭୂତ ହେଉଥିବାର ସୂଚନା ମିଳିଛି ।ବିଗତ ବର୍ଷଗୁଡ଼ିକରେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସର୍ବନିମ୍ନ ଶୂନ୍ୟ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଚଳିତବର୍ଷ ମଧ୍ୟ ଆହୁରି ତାପମାତ୍ରା ଖସିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଉତ୍ତର-ପଶ୍ଚିମା ପବନ ପ୍ରବାହିତ ଯୋଗୁଁ ହାଡ଼ଭଙ୍ଗା ଶୀତ ଅନୁଭୁତ ହେଉଛି । ଆଗକୁ ତାପମାତ୍ରା ଆହୁରି କମିବା ଯୋଗୁଁ ଅଧିକ ଶୀତର ପ୍ରକୋପ ବଢ଼ିବା ସହ ତୁହିନ ଆସ୍ତରଣ ଦେଖିବାକୁ ମିଳିପାରେ ।
ଆଗକୁ ନୂଆବର୍ଷ ଏବଂ ପିକନିକ ଋତୁରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ଶୀତ ଏବଂ କୁହୁଡ଼ି ମଧ୍ୟରେ ଶିମିଳିପାଳର ପ୍ରାକୃତିକ ପରିବେଶର ମଜା ନେବାର ସୁଯୋଗକୁ କେହି ବି ହାତଛଡ଼ା କରିବାକୁ ଚାହୁଁନାହାନ୍ତି । ପାହାଡ଼ ଏବଂ ପ୍ରକୃତିମାଳାରେ ଘେରି ରହିଥିବା ଶିମିଳିପାଳରେ ତୁଷାରପାତ ପରେ ଓଡ଼ିଶାର କାଶ୍ମୀର ପରି ଭୂସ୍ବର୍ଗ ପାଲଟି ଯାଇଛି । ଯାହା ପର୍ଯ୍ୟଟକମାନଙ୍କ ପାଇଁ ଖୁବ ମଜାର କାରଣ ସାଜିଛି ।