୨୦୨୫ ବର୍ଷ ପାଇଁ ଡଃ ମୀନକେତନ, ସୁଦର୍ଶନ ମହାପାତ୍ର, ରାଧାଚରଣ ସାମନ୍ତରାୟ ଓ କେଶବ ଚରଣ ସାସମଲଙ୍କୁ ଗୁରୁ ପ୍ରଣାମ ସମ୍ମାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆର୍ଯ୍ୟସମାଜର ସହଯୋଗୀ ସଂଗଠନ ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନ ଦୀର୍ଘ ୨୩ ବର୍ଷ ଧରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ସଂସ୍କୃତ ଓ ଶିକ୍ଷା କ୍ଷେତ୍ରରେ ଜୀବନବ୍ୟାପୀ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଗୁରୁ ପ୍ରଣାମ ସମ୍ମାନ ଦେଇଆସୁଛି । ସେହି କ୍ରମରେ ୨୦୨୫ ବର୍ଷ ପାଇଁ ବିଶିଷ୍ଟ ଶିକ୍ଷାବିତ୍ ତଥା ଶିକ୍ଷା ସଂଗଠକ ଡଃ ସତ୍ୟବ୍ରତ ମୀନକେତନ, ପାଲାଚାର୍ଯ୍ୟ ସୁଦର୍ଶନ ମହାପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ରାଧା ଚରଣ ସାମନ୍ତରାୟ ଏବଂ ପୂଜ୍ୟ ପଦ୍ମଶ୍ରୀ ବାବା ବଳିଆଙ୍କ ଶିକ୍ଷକ ଶ୍ରୀ କେଶବ ଚରଣ ସାସମଲଙ୍କୁ ଗୁରୁ ପ୍ରଣାମ ସମ୍ମାନ-୨୦୨୫ ପ୍ରଦାନ କରାଯିବ ।ଶ୍ରୀମଦ୍ ବାବା ବଳିଆଙ୍କ ଉପସ୍ଥିତିରେ ୨୦୨୫ ଜାନୁଆରୀ ୬ ତାରିଖ ପୂର୍ବାହ୍ନରେ ଏକ ମନୋଜ୍ଞ ଉତ୍ସବରେ ରବୀନ୍ଦ୍ର ମଣ୍ଡପଠାରେ ଗୁରୁ ପ୍ରଣାମ ସମ୍ମାନରେ ସମ୍ବର୍ଦ୍ଧିତ କରାଯିବ । ଆଜିର ଚୟନ କମିଟିରେ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର, ଡଃ ବଦ୍ରୀନାଥ ପଟ୍ଟନାୟକ, ପ୍ରଫେସର ଡଃ ଯୁଧିଷ୍ଠିର ଖଟୁଆ, ବାବା ପ୍ରଣବାନନ୍ଦ ଦାସ (ମନୁଭାଇ) ପ୍ରଫେସର ଡଃ ମଧୁସ୍ମିତା ସାହୁ ଉପସ୍ଥିତ ଥିଲେ ବୋଲି ସ୍ୱାମୀ ଦୟାନନ୍ଦ ସର୍ଭିସ ମିଶନର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।