ଉଠାଦୋକାନ ଉଚ୍ଛେଦ ବେଳେ ଡୋଜର ଆଗରେ ଶୋଇଲେ ଶହ ଶହ ଉଠାଦୋକାନୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ କିଛିଦିନ ହେବ ବିଏମ୍ସି ଓ ବିଡ଼ିଏର ମିଳିତ ଉଚ୍ଛେଦକାରୀ ଦଳ ଉଠାଦୋକାନୀ ଆଇନ ନମାନି ଭୁବନେଶ୍ୱରର ତିନୋଟି ଜୋନ୍ରେ ଉଚ୍ଛେଦ କରୁଥିବା ସମୟରେ ଆଇନ ରକ୍ଷାକାରୀ ଉଠାଦୋକାନୀମାନେ ଏହାକୁ ବିରୋଧ କରିଥିଲେ । ପୁନର୍ବାର ଗୁରୁବାର ବିଏମ୍ସି, ବିଡ଼ିଏର ମିିଳିତ ଉଚ୍ଛେଦକାରୀ ଦଳ ଭୁବନେଶ୍ୱରର ପଟାସ ଛକ, ଗୋପବନ୍ଧୁ ଛକ, ଲିଙ୍ଗରାଜ ଅଞ୍ଚଳ, କଳିଙ୍ଗ ଷ୍ଟୁଡ଼ିଓ ଅଞ୍ଚଳ ଉଚ୍ଛେଦ କରିବା ପାଇଁ ଯୋଜନା କରୁଥିବା ବେଳେ ଉତ୍ତର ଜୋନର କିମ୍ସ ଛକଠାରେ ଉଠାଦୋକାନ ଉଚ୍ଛେଦ କରିବା ପାଇଁ ଉଚ୍ଛେଦକାରୀ ଦଳ ପହଞ୍ôଚଥିଲେ । ଏହି ସମୟରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ମହାସଂଘର କୋଷାଧ୍ୟକ୍ଷ ପ୍ରଦୀପ କୁମାର ସାହୁ, ବିପିନ ବିହାରୀ ଜେନା, ଲଲାଟ ଓଝା, ଶୁଭଲକ୍ଷ୍ମୀ ମହାନ୍ତି, ସସ୍ମିତା ସାହୁ, ବିଜୟ କୁମାର ସେନାପତି, ମଙ୍ଗୁଳି ସାହୁ, ସୁମନ ପୃଷ୍ଟି ପ୍ରମୁଖ ବିଏମ୍ସିର ଉପଯୁଗ୍ମ ନିର୍ଦ୍ଦେଶକଙ୍କୁ ଉଠାଦୋକାନୀ ଆଇନ ନମାନି ଆପଣମାନେ କାହିଁକ ଉଚ୍ଛେଦ କରିବାକୁ ଆସିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ମାତ୍ର ସେମାନଙ୍କ କଥା ନଶୁଣି ଉପଯୁଗ୍ମ ନିର୍ଦ୍ଦେଶକ ଉଚ୍ଛେଦ କରିବାକୁ ଡ଼ୋଜର ଆଗକୁ ନେଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ହଜାର ହଜାର ଉଠାଦୋକାନୀ ଡ଼ୋଜର ଆଗରେ ଶୋଇ ପ୍ରବାସୀ ଓଡ଼ିଆ ସମ୍ମିଳନୀ ନୁହେଁ, ରୋଟି ଚାହୁଁ, ବିଏମ୍ସି ତୁମେ ଫେରିଯାଅ, ଉଠାଦୋକାନୀ ଆଇନକୁ କାର୍ଯ୍ୟକାରୀ କରିବା ଆମର ଦାବି, ସମ୍ବିଧାନର ଧାରା ୧୯ (୧)(ଛ)କୁ ମାନିନେବା ଆଦି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ । ଏହାପରେ ବାଧ୍ୟହୋଇ ବିଏମ୍ସି ଉଚ୍ଛେଦକାରୀ ଦଳ ଉଚ୍ଛେଦ ନକରି ସେଠାରୁ ଫେରି ଯାଇଥିଲେ । ସେହିପର ମଧ୍ୟ ଜୋନ ଏବଂ ଏକାମ୍ର ଜୋନରେ ଉପସଭାପତି ସୂର୍ଯ୍ୟମଣି ସାହୁଙ୍କ ନେତୃତ୍ୱରେ ଉଚ୍ଛେଦକାରୀ ଦଳକୁ ଜୋରଦାର ବିରୋଧ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ବିଧାନସଭାରେ ସରକାରୀ କର୍ମଚାରୀମାନେ ବିଧାୟକଙ୍କ ଦାବିକୁ ସମ୍ମାନ ଦେବା ପାଇଁ କୁହାଯାଉଥିବା ବେଳେ ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତଙ୍କ ଦାବିକୁ ବିଏମ୍ସି କର୍ମଚାରୀମାନେ କାହିଁକି ମାନୁନାହାଁନ୍ତି ତାହା ବୁଝା ପଡୁନାହିଁ । ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି ଯେ, ଉଠାଦୋକାନୀ ଆଇନ ମାନିବା ସମସ୍ତ ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟ । କିନ୍ତୁ ଭୁବନେଶ୍ୱର ମହାନଗର ନିଗମ କାହିଁକି ଆଇନ ନମାନି ମନଇଚ୍ଛା ୮ ହଜାରରୁ ଅଧିକ ଉଠାଦୋକାନୀଙ୍କୁ ଉଚ୍ଛେଦ କରି ସେମାନଙ୍କ ପରିବାରକୁ ରାଜରାସ୍ତାକୁ ଠେଲି ଦେଉଛନ୍ତି ତାହା ଚିନ୍ତାର କାରଣ ପାଲଟିଛି । ଯଦି ରାଜ୍ୟ ସରକାର ଆଇନ ମାନୁନଥିବା ବିଏମ୍ସି କମିଶନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ବାଧ୍ୟ ହୋଇ ମହାସଂଘର ୩୦ ହଜାର ଉଠାଦୋକାନୀ ପରିବାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ କରିବେ ବୋଲି ଶ୍ରୀଯୁକ୍ତ ସାହୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।


