ଆଦିବାସୀ ଗାଁ ଗଡଙ୍ଗ ପ୍ରଥମ ଆବାସ ଦେଖିବ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ସରକାର ଦୀର୍ଘ ବର୍ଷ ଧରି ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ରେ ବସବାସ କରୁଥିବା ଗରୀବ ଲୋକଙ୍କୁ ବିଭିନ୍ନ ଯୋଜନାରେ ଆବାସ ଘର ଯୋଗାଉଛନ୍ତି। ବିଭିନ୍ନ ଯୋଜନାରେ ସାମିଲ କରି ସମସ୍ତ ପରିବାର ଘର ଯୋଗାଇବା ସହ ଘର ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ନିର୍ଦ୍ଧିଷ୍ଟ ତାରିଖ ମଧ୍ୟ ଘୋଷଣା କରାଯାଇଛି। ତେବେ ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତର ଦୁର୍ଗମ ଗ୍ରାମ ଗଡ଼ଙ୍ଗ ଗ୍ରାମର ଗୋଟିଏ ହେଲେ ପରିବାର ଆବାସ ଯୋଜନାରେ ଘର ମିଳି ନଥିବା ବେଳେ ଏବେ ଲୋକଙ୍କ ପାଖରେ ଆବାସ ଯୋଜନା ପହଞ୍ଚି ଥିବା ଜଣାପଡିଛି। ପ୍ରଥମ ଥର ପାଇଁ ଆବାସ ଯୋଜନାରେ ସାମିଲ ପରେ ଗ୍ରାମବାସୀ ଘର ନିର୍ମାଣ କାର୍ଯ୍ୟ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି । ଗ୍ରାମର ଲୋକଙ୍କୁ ଏବେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନାରେ ଆବାସ ଘର ଯୋଗାଇ ଦିଆ ଯାଇଛି। ଗ୍ରାମରେ ପ୍ରାୟ ୭୨ ପରିବାର ରହିଥିବା ବେଳେ ଏବେ ୬୩ ଗୋଟି ପରିବାରକୁ ଏହି ଯୋଜନାରେ କାର୍ଯ୍ୟାଦେଶ ଦେଇ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରିବା ଫଳରେ ଘର କାମ ଆରମ୍ଭ କରିବାକୁ ଲୋକ ମାନେ ସଜ ବାଜ ହେଉଥିବା ଜଣାପଡିଛି । ଆଙ୍କୁଲି ପଞ୍ଚାୟତର ଘର ନଥିବା ଗଡଙ୍ଗ ଗ୍ରାମ ସହିତ ଅନ୍ୟ ଗ୍ରାମର ସର୍ବମୋଟ ୧୯୯ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରା ଯାଇଛି। ଯୋଜନାରେ ଘର ମିଳିଥିବା ଲୋକଙ୍କୁ ଚାରି ଗୋଟି କିସ୍ତିରେ ଘର ସଂପୂର୍ଣ୍ଣ କରିବାକୁ ଦୁଇଲକ୍ଷ ଟଙ୍କା ଦେବା ସହ ଏମ ନରେଗା ଯୋଜନାର ମାଧ୍ୟମରେ ୯୫ ଦିନର ପ୍ରାପ୍ୟ ପ୍ରଦାନ ପାଇଁ ସ୍ଥିର କରାଯାଇଛି। ଗଡଙ୍ଗ ଗ୍ରାମଟି ଗତ ୨୦୧୮ ଅକ୍ଟୋବର ୧୦ତାରିଖରେ ସାମୁଦ୍ରିକ ଝଡ଼ ତିତଲି ପ୍ରଭାବରେ ପ୍ରଭାବିତ ହୋଇ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ପରେ ପାତ୍ରପୁର ତହସିଲ ପକ୍ଷରୁ ତିନୋଟି ପଞ୍ଚାୟତ ଆଙ୍କୁଲି, ବୁରାତାଲ, ତୁମ୍ବା ପଞ୍ଚାୟତ ସମେତ ଦୁର୍ଗମ ଅଞ୍ଚଳରେ ଅଭୂତପୂର୍ବ କ୍ଷତିକୁ ଦେଖି ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପୁନଃ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭକରି ଥିଲେ।ତେବେ ଏଭିତରେ ଦୀର୍ଘ ବର୍ଷ ବିତିଯାଇଥିବା ବେଳେ ଦୁର୍ଗମ ଗଡଙ୍ଗ ଗ୍ରାମର ଲୋକଙ୍କ ପାଖରେ ଆବାସ ଯୋଜନା ସ୍ବପ୍ନ ପାଲଟିଥିଲା। ପାତ୍ରପୁର ବ୍ଲକର ପାହାଡିଆ ଅଞ୍ଚଳରେ ଶତାଧିକ ଆଦିବାସୀ ଗ୍ରାମ ରହିଛି। ଏହି ଗ୍ରାମ ମଧ୍ୟରୁ ଆଙ୍କୁଲି ପଞ୍ଚାୟତ ଅଧୀନରେ ଗଡଙ୍ଗ ଗ୍ରାମ ରହିଛି। ଗ୍ରାମରେ ସତୁରୀରୁ ଊର୍ଦ୍ଧ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ୩୦୦ ରୁ ଉର୍ଦ୍ଧ୍ଵ ଥିବା ଜଣାପଡିଛି। ଗ୍ରାମରେ ଚାରି ଗୋଟି ସାହି ଉପର ସାହି ତଳ ସାହି ମଝି ସାହି ଓ ସିଆଳସାହି ରହିଛି। ଗଡଙ୍ଗ ଗ୍ରାମର ଲୋକଙ୍କୁ ଆବାସ ଯୋଜନାରେ ସାମିଲ ପରେ କିଭଳି କାମ ଆରମ୍ଭ ହେବ ସେ ସମ୍ପର୍କରେ ବ୍ଳକର ଏକ ଟିମ୍ ଗ୍ରାମରେ ପହଞ୍ଚି ସଭା କରି ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି। ଗ୍ରାମଟି ପାହାଡ଼ ଉପରେ ରହିଥିବା ବେଳେ ଗ୍ରାମରୁ ପାହାଡ଼ ତଳକୁ ତାଡ଼କା ସାହି ପ୍ରାୟ ଅଠର କିଲୋମିଟର ଆସିବା ପରେ ପୁଣି ବ୍ଲକ ତହସିଲ ଡାକ୍ତର ଖାନାକୁ ଯିବାକୁ ପଚିସି କିଲୋମିଟର ଯିବାକୁ ପଡୁଛି। ଗ୍ରାମ ଠାରୁ ଚାରି କିଲୋମିଟର ଦୂରରେ ପକ୍କା ରାସ୍ତା ପାଞ୍ଚ ବର୍ଷ ପୂର୍ବେ ନିର୍ମାଣ ହୋଇଛି। ତେବ ଗ୍ରାମକୁ ପକ୍ଙ୍କ। ରାସ୍ତାଟିଏ ନଥିବା ଦେଖି ଲୋକମାନେ ହାତରେ କଟୁରି ଧରି ରାସ୍ତା ସଫା କରିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଗ୍ରାମକୁ ପ୍ରଥମ ସଂଯୋଗ ରାସ୍ତା ମନରେଗା ଯୋଜନାରେ ଚାରି ବର୍ଷ ପୂର୍ବେ ନିର୍ମାଣ ହୋଇ ଥିବା ବେଳେ ତାହା ବର୍ଷାରେ ନଷ୍ଟ ହୋଇଥିବା ବେଳେ ଏବେ ପୁଣି ରାସ୍ତା କାର୍ଯ୍ୟ ପରେ ଗ୍ରାମକୁ ଗାଡ଼ି ପହଞ୍ଚିଛି। ବିଦ୍ୟାଳୟ ପାଇଁ ପକା ଘରଟିଏ ନିର୍ମାଣ ହୋଇ ନଥିବା ଯୋଗୁଁ ଆଜବେଷ୍ଟ ଚପର ମାଟି ଘରେ ପାଠ ପଢା ଚାଲିଛି। ସୋଲାର ମଧ୍ୟମରେ ପ୍ରତି ଘରକୁ ବିଜୁଳୀ ଯୋଗାଯିବା ସହିତ ଦାଣ୍ଡରେ ବତୀ ଜଳୁଥିବା ବେଳେ ସୋଲାର ପ୍ଲାଣ୍ଟ ଦୀର୍ଘ ଦିନ ଧରି ଅଚଳ ହୋଇ ରହିଛି। ଅଙ୍ଗନବାଡି କେନ୍ଦ୍ର ବାର ବର୍ଷ ପରେ ନୂତନ ଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ନହେବାରୁ ପିଲାଙ୍କ ପାଠ ପଢା ଜଣେ ବ୍ୟକ୍ତିଙ୍କ ଘରେ ଚାଲିଛି। ଏହି ଗ୍ରାମରେ କେତେକ ପରିବାରକୁ ତିତଲି ବେଳେ କ୍ଷତିପୂରଣ ଦିଆ ଯାଇଥିବା ବେଳେ ବହୁଲୋକ ବାଦ ପଡ଼ିଥିଲେ ଯାହାକୁ ନେଇ ଲୋକଙ୍କ ଦାବୀ ପରେ ଦୁଇ ଦୁଇ ଥର ସରକାରୀ ସ୍ତରରେ ଆକଳନ ପରେ ମଧ୍ୟ ବହୁ ଲୋକଙ୍କୁ ସହାୟତା ମିଳିନଥିଲା। ଗତ ବାତ୍ୟା ପରେ ତିନିଗୋଟି ପଞ୍ଚାୟତ ଆଙ୍କୁଲି ବୁରାତାଲ ଏବଂ ତୁମ୍ବାର ୯୯୭ ପରିବାରକୁ ଆବାସ ଯୋଜନାରେ ଘର ଯୋଗାଯାଇ ଥିଲା।ଏହା ପରେ ପୁଣି୪୧୦ଜଣଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିଲା। ତେବେ ଗଡଙ୍ଗ ଗ୍ରାମଟି ଗ୍ରାମାଞ୍ଚଳ ପୋର୍ଟାଲରେ ସ୍ଥାନିତ ହୋଇ ନଥିବାରୁ ଆବାସ ଯୋଜନାରେ ପୁର୍ବରୁ ଘର ମିଳିନଥିଲା । ପ୍ରଶାସନ ତରଫରୁ ଏହାର ସଂଶୋଧନ କରିବା ପାଇଁ ବାରମ୍ବାର ଜଣାଇବା ପରେଏବେ ସଂଶୋଧନ ପରେ ଘର ଯୋଗା ଯାଇଛି। ଗ୍ରାମର ଲୋକମାନେ ମୁଖ୍ୟତଃ ଫସଲ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଥିଲେ। ବଗଡରୁ ଘାଣ୍ଟିଆ, କାଙ୍ଗୁ, ବାଜରା, ପ୍ରଭୁତି ଫସଲ ଅମଳ ସହିତ ପ୍ରକୃତିର ଦାନ ହରଡ଼ା ବାହାଡ଼ା, ଅଁଳା, ମହୁଲ, ଟୁଲ, ଫୁଲଝାଡୁ, ତେନ୍ତୁଳି, ମହୁ ପ୍ରଭୁତି ଜିନିଷ ସଂଗ୍ରହ କରି ଘାଟୀ ରାସ୍ତାରେ ତଳକୁ ବୋହି ଆଣି ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ। ଏବେ ବଗଡ଼ରେ ମାଙ୍କଡ଼ ଉପଦ୍ରବ ବୃଦ୍ଧି ସାଙ୍ଗକୁ ଆଦାୟ କମିବା ଦେଖି ଗ୍ରାମର ପନ୍ଦରରୁ ଉର୍ଦ୍ଧ ଯୁବକ ଆନ୍ଧ୍ର କେରଳ ପ୍ରଭୁତି ରାଜ୍ୟରେ ଦାଦନ ଖଟିବାକୁ ଚାଲି ଯାଇଥିବା ଗ୍ରାମ ବାସି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ