ମଣ୍ଡି ଉଦଘାଟନକୁ ୧୦ ଦିନ ବିତିଲା ଏଯାଏଁ ଉଠିନି ଧାନ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ର କୋଷାଗୁମୁଡ଼ା ଲ୍ୟାମ୍ପ ର ବଡ଼ଆମ୍ବଡା ମଣ୍ଡିରୁ ଧାନ ଉଠୁନି । ୧୦୦୦୦ରୁ ଅଧିକ ବସ୍ତା ଧାନ ମଣ୍ଡି ରେ ପଡି ରହିଛି । ବଡ଼ଆମ୍ବଡା ମଣ୍ଡିରେ ଉଭୟ ଲ୍ୟାମ୍ପ ଏବଂ ପାଣିପଞ୍ଚାୟତ ପକ୍ଷରୁ ଧାନ କିଣାଯାଉଛି । ଗତ କିଛିଦିନ ହେଲା କୋହଲା ପାଗ ଲାଗିରହିଥିଲା ବର୍ତମାନ ଦୁଇଦିନ ହେଲା ବର୍ଷା ହେଉଥିବା ବେଳେ ଚାଷୀ ମାନେ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି । ଧାନ ରଖିବା ପାଇଁ କିଛି ସେଡ ଥିବାବେଳେ ଅଧିକାଂଶ ଧାନ ଖୋଲା ୩ ତଳେ ପଡିରହିଛି ଯାହାକୁ ଜରି ପାଲ ଘୋଡାଇ ଚାଷୀ ରଖିଛନ୍ତି। ଯାହା ଏବେ ବର୍ଷା ଫଳରେ ଭିଜିବା ଆରମ୍ଭ ହୋଇଛି।ବର୍ଷାରେ ଧାନ ଓଦା ହେଲେ ମିଲର ଏହାକୁ ନେବାକୁ ଅମଙ୍ଗ ହେବେ ଯାହା ଚାଷୀର ଚିନ୍ତା ବଢାଇଦେଇଛି। ନିଜ କଷ୍ଟ ଅର୍ଜିତ ଫସଲ କୁ ସରକାରୀ ଧାର୍ଯ୍ୟ ରେଟ ରେ ବିକ୍ରି କରି ଦିପଇସା ପାଇଲେ ଋଣ ସୁଝିବା ସହ ନିଜ ଆଵଶ୍ୟକତା ପୂରଣ କରିବା ଆଶା ବାନ୍ଧିଥିଲେ । କିନ୍ତୁ ମଣ୍ଡି ର ଅଚଳାବସ୍ଥା ଯୋଗୁଁ ଚାଷୀ ଏଯାଏଁ ଧାନ ବିକ୍ରି କରି ପାରିନାହାଁନ୍ତି ।ମଣ୍ଡିକୁ ଧାନ ଆଣି ଚାଷୀ ବିକ୍ରି କରିବାକୁ ଚାହିଁଲେ ମଧ୍ୟ ଧାନ ବିକ୍ରି ହୋଇପାରିନି। ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡିରହିଛି। ଚାଷୀଙ୍କ ସୂଚନା ଅନୁସାରେ ଧାନ ନେବା ପାଇଁ ମିଲର ଅସୁନାହାନ୍ତି ଯାହାଫଳରେ ସେମାନେ ଧାନ ବିକ୍ରି କରୁପାରୁନାହାନ୍ତି । ଏଥର ମଣ୍ଡିରେ କଟନୀଛଟନୀ ନ କରି ଚାଷୀ ଧାନ ବିକ୍ରି କରିବେ ବୋଲି ସରକାରଙ୍କ ଘୋଷଣା କେବଳ ଘୋଷଣା ରେ ହିଁ ରହି ଯାଇଛି । ମିଲର କଟନୀ ଛଟନୀ ନକଲେ ଧାନ ନେବେ ନାହିଁ ବୋଲି କହିବାରୁ ଗତ ୧୦ ଦିନ ହେଲା ମଣ୍ଡିରୁ ଧାନ ଉଠି ପାରୁନି । ମଣ୍ଡି ର ସମସ୍ୟା ନେଇ ଯୋଗାଣ ବିଭାଗ କିମ୍ବା ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ କୌଣସି ପଦକ୍ଷେପ ନିଆଯାଉ ନଥିବା ଅଭିଯୋଗ କରିଛନ୍ତି ଚାଷୀମାନେ । ଚଳିତ ବର୍ଷ ପ୍ରଥମ କରି କୁଇଣ୍ଟାଲ ପିଛା ଧାନ ୨୩୦୦ ଟଙ୍କା ସହ ୮୦୦ଟଙ୍କା ଇନପୁଟ ସହାୟତା ଯୋଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଚାଷୀ ଧାନ ବିକ୍ରି କରି ଭଲ ରୋଜଗାର କରିବା ପାଇଁ ଆଶା ବାନ୍ଧି ବସିଛି। ଗତ ଦଶ ଦିନ ହେଲା ଧାନ ମଣ୍ଡି ରେ ପଡ଼ିଥିବା ବେଳେ ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ମଣ୍ଡି ରେ ଶୀତକାକରରେ ଧାନକୁ ଜଗି ରହିଛନ୍ତି ଚାଷୀ । ସୂଚନା ଅନୁସାରେ ଚଳିତ ଖରିଫ ଧାନମଣ୍ଡିରେ କୋଷାଗୁମୁଡା ଲ୍ୟାମ୍ପସରେ ଅଧୀନରେ ମୋଟ ୧୨୫୮ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ ହୋଇଥିବା ବେଳେ କୋଡିଙ୍ଗା ଲ୍ୟାମ୍ପସ ୧୪୯୩ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ସେହିପରି କୋଡିଙ୍ଗା, କୋଷାଗୁମୁଡା, ମୋଦେଇଗାଁ ମଣ୍ଡିରେ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି । ଧାନର ମାନ ଯାଞ୍ଚ ପ୍ରକ୍ରିୟାକୁ ତ୍ଵରାନ୍ନିତ କରିବା ପାଇଁ ଲ୍ୟାମ୍ପସ ଓ ମଣ୍ଡିର ଅନୁପାତରେ ମେସିନ ନଥିବା ହେତୁ ଚାଷୀ କିଭଳି ବିକ୍ରି ଓ ମାନ ଯାଞ୍ଚ କରାଇବେ ସେନେଇ ଚାଷୀ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ଅନେକ ଚାଷୀ ମୋବାଇଲ ମାଧ୍ୟମରେ ମେସେଜ ଦେଖି ମଣ୍ଡିରେ ଧାନ ପକାଇବାକୁ ମନସ୍ଥ କରିଥିଲେ ମଧ୍ୟ ମଣ୍ଡିର ଅଚଳାବସ୍ଥା ଲାଗି ଧାନ ପକାଇବା ପାଇଁ ଇଚ୍ଛାପ୍ରକାଶ କରୁନାହାଁନ୍ତି। ଅନ୍ୟପକ୍ଷେ ନିୟନ୍ତ୍ରିତ ବଜାର କମିଟି, ଲ୍ୟାମ୍ପସ କର୍ତୁପକ୍ଷ, ମିଲର୍ସ ଓ ଯୋଗାଣ ବିଭାଗ ମଧ୍ୟରେ ତାଳମେଳ ନଥିବା ହେତୁ ଚଳିତ ବର୍ଷ ଚାଷୀମାନେ ଅସୁବିଧା ଭୋଗୁଥୁବା ଦେଖିବାକୁ ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ