ଜଣେ ଯୁଗନାୟକ ଭାବେ ଚିର ସ୍ମରଣୀୟ ହୋଇ ରହିବେ ଅଟଳଜୀ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ): ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକ ଶହ ତମ ଜନ୍ମ ଜୟନ୍ତୀ ଅବସରରେ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପ୍ରସିଦ୍ଧ ସାହିତ୍ୟିକ ପଦ୍ମଶ୍ରୀ ଡଃ ଦମୟନ୍ତୀ ବେଶରା ଯୋଗ ଦେଇଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ବିଶିଷ୍ଟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ଏବଂ ସ୍ୱତନ୍ତ୍ର ଅତିଥି ତଥା କାର୍ଯ୍ୟକ୍ରମର ଆବାହକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ, ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅନୁଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୟୂରଭଞ୍ଜ ସାହିତ୍ୟ ପରିଷଦର ସଭାପତି ଶ୍ରୀ ପଦ୍ମନାଭ ସାହୁ, ସମ୍ପାଦକ ମନୋଜ ଦଳବେହେରା ପ୍ରମୁଖ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ସ୍ୱରଚିତ କବିତା ସମସ୍ତ ପାଠ କରିଥିଲେ। ଅଟଳ ବିହାରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ଜାତୀୟବାଦୀ କବିତାର ସ୍ୱରରେ କରତଲୀମୟ ହୋଇଉଠିଥିଲା ସଭାସ୍ଥଳୀ। ଏଥିସହିତ, ଆୟୋଜିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ, ଯାହାକୁ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉ.ପ୍ରା. ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ନିଜର ନିଖୁଣ କଳା ପ୍ରଦର୍ଶନ କରି ପୁରସ୍କୃତ ହୋଇଥିଲେ। ନିଜ ଅବିଭାଷଣରେ ମୁଖ୍ୟବକ୍ତା ପଦ୍ମଶ୍ରୀ ଶ୍ରୀମତୀ ବେଶରା ଅଟଳ ଜୀଙ୍କୁ ଯୁଗନାୟକ ବୋଲି କହିଥିଲେ। ସେ କହିଥିଲେଯେ ଭାରତୀୟ ଇତିହାସରେ ସୁଶାସନର ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ଅଟଳ ବିହାରୀ ବାଜପେୟୀ। କେବଳ ଜଣେ ଉଦାରବାଦୀ ରାଜନୀତିଜ୍ଞ ନୁହେଁ ଜଣେ କବି, ସମାଜସେବୀ, ଲେଖକ, ପତ୍ରକାର ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି। କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ। କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ବାଜପେୟୀ ଜଣେ ରାଜନେତା ସହ ଜଣେ ଭଲ କବି ମଧ୍ୟ ଥିଲେ। ସଂସଦରେ ଅନେକ ଥର ସେ କବିତା ମାଧ୍ୟମରେ ନିଜ ବୟାନ ରଖିଛନ୍ତି। ତେଣୁ ତାଙ୍କୁ ଜଣେ କବି ଭାବରେ ସାରା ଦେଶ ଜାଣେ। ଅଟଳ ବିହାରୀ ବାଜପେୟୀ ଲାଲାବାହାଦୁର ଶାସ୍ତ୍ରୀଙ୍କ ‘ଜୟ ଯବାନ, ଜୟ କିଷାନ’ ସ୍ଲୋଗାନରେ ‘ଜୟ ବିଜ୍ଞାନ’ ଯୋଡ଼ି ସ୍ଲୋଗାନକୁ ଆହୁରି ଲୋକଭିମୁଖୀ କରିଥିଲେ, ବୋଲି ଶ୍ରୀମତୀ ବେଶରା କହିଥିଲେ। ନିଜ ବକ୍ତବ୍ୟରେ, ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ ଶ୍ରୀ ସୟ, ସୁଶାସନ ଦିବସର ମହତ୍ୱ ବଖାଣିବା ସହିତ, ଶାସନ ଓ ସୁଶାସନ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ। ପୋଖରାନଠାରେ ପରମାଣୁ ପରୀକ୍ଷଣ ସାରା ବିଶ୍ଵରେ ଭାରତକୁ ଏକ ପରମାଣୁ ଶକ୍ତିଯୁକ୍ତ ରାଷ୍ଟ୍ରରେ ପରିଗଣିତ କରାଇବା ପାଇଁ ଅଟଳଜୀଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ସୟ କହିଥିଲେ। ନିଜ ବକ୍ତବ୍ୟରେ ମୟୂରଭଞ୍ଜରେ ସୁଶାସନର ସମସ୍ତ ଭିତ୍ତିଭୁମିକୁ ସଶକ୍ତ କରାଯାଉଛି ଏବଂ ଏହାର ପ୍ରତିଫଳନ ଜନସାଧାରଣଙ୍କ ନିକଟରେ ପହଁଚୁଛି ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ପ୍ରଶାସନ ପକ୍ଷରୁ ଅଟଳ ଫଟୋଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଛାତ୍ର ଛାତ୍ରୀ ମାନେ ସୁଶାସନ ଦିବସ ବା ଗୁଡ଼ ଗଭର୍ଣ୍ଣାନ୍ସ ଡେ ବିଷୟ ବସ୍ତୁ ଉପରେ ଆଧାରିତ ଚିତ୍ର ଆଙ୍କି ଥିଲେ ଏବଂ ସେମାନଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ। ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ତଥା ଏହି କାର୍ଯ୍ୟକ୍ରମର ଆବାହକ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ସାହିତ୍ୟ ସଂସଦର ସଦସ୍ୟ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡଃ ଶଶଧର ବିଶ୍ୱାଳ ମଂଚ ସଂଯୋଜନା କରିଥିବା ବେଳେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅନୁଭାଗର ସମସ୍ତ କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ