ଆସିକାରେ ପାଚିକା ଓ ସହାୟିକାଙ୍କ ପ୍ରଶିକ୍ଷଣ ଶିବିର ଉଦ୍‍ଘାଟିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପରାମର୍ଶକ୍ରମେ ସୋମବାର ଠାରୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦି ଆସିକା ସୁଗର ଇଣ୍ଡିଷ୍ଟ୍ରିସ୍‍ ହାଇସ୍କୁଲ ଓ ବାଲିସିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଚିକା ଓ ସହାୟିକାଙ୍କ ଦକ୍ଷତା ବୃଦ୍ଧି ସଂକ୍ରାନ୍ତରେ ଦୁଇ ଦିବସୀୟ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗିତା ଉଦ୍‍ଘାଟିତ ହୋଇଯାଇଛି । ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି ଓ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶିଶିର କାନ୍ତ ବେହେରା ପ୍ରମୁଖ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟର ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ୱରେ ଥିବା ଡାଟା ଏଣ୍ଟ୍ର୍ରି ଅପରେଟର ଭାଗ୍ୟଲତା ଲେଙ୍କା, ସିଆର୍‍ସିସି ଟୁଲୁ ସେଠୀ, ସୌଦାମିନି ହୋତା, ରାଧାମୋହନ ଡାକୁଆ, ହରିବନ୍ଧୁ ବେହେରା, ପ୍ରାକ୍ତନ ସିଆର୍‍ସିସି ସିମାଂଚଳ ସେଠୀ, ବିଚାରକ ରୂପେ ଶିବରାମ ବେହେରା, ସାରଙ୍ଗଧାର ଦାଶ, ଅଳକା ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଥିବା ପାଚିକା ଓ ସହାୟିକା ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ, ଛାତ୍ରଛାତ୍ରୀମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ, ପରିଷ୍କାର ଓ ପରିଚ୍ଛନ୍ନ ପରିବେଶରେ ଖାଦ୍ୟ ପ୍ରସ୍ତୁତି, ଛାତ୍ରଛାତ୍ରୀଙ୍କୁ ମାତୃତ୍ୱର ସ୍ନେହ ପ୍ରଦାନ ସମେତ ବିଭିନ୍ନ ବିଷୟ ଉପରେ ମାର୍ଗଦର୍ଶନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୩ଟି ସ୍କୁଲରେ ଆରମ୍ଭ ହୋଇଥିବା ପାଚିକା ଓ ସହାୟିକା ପ୍ରଶିକ୍ଷଣ ଶିବିରରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ସଦସ୍ୟାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ