ସବୁ ରୋଗର ଔଷଧ ନୁହେଁ
ଏହା ନିସନ୍ଦେହ ଯେ, ଆମ ଦେଶରେ ଯୋଗ୍ୟ ହିତାଧିକାରୀଙ୍କୁ ସିଧାସଳଖ ନଗଦ ଟଙ୍କା ହସ୍ତାନ୍ତର ଏକ କଲ୍ୟାଣମୂଳକ ଯୋଜନା ଭାବେ ପ୍ରାଧାନ୍ୟ ଲାଭ କରିବା ପରେ କଂଗ୍ରେସ ନିର୍ବାଚନ ଗ୍ୟାରେଂଟି ଘୋଷଣା କରିଥିଲା । ଯେଉଁଥିରେ ଭୋଟଦାତାଙ୍କ ପାଇଁ ବହୁ ଜନହିତକର ପ୍ରତିଶ୍ରୃତି ରହିଥିଲା । ହିମାଚଳ ପ୍ରଦେଶ ଏବଂ ତେଲେଙ୍ଗାନାରେ କଂଗ୍ରେସର ଏହାର ବିଜୟର ମୁଖ୍ୟ ମାଧ୍ୟମ ଥିଲା । କେବଳ କଂଗ୍ରେସ ନୁହେଁ, ଅନ୍ୟ ରାଜନୈତିକ ଦଳ ଏବଂ କ୍ଷମତାରେ ଥିବା ଦଳ ଭୋଟଦାତାଙ୍କ ସମର୍ଥନ ତଥା କ୍ଷମତା ପୁନଃ ଦଖଲ କରିବା ପାଇଁ ଏଭଳି ପଦ୍ଧତିକୁ ଆପଣାଇ ନେଇଛନ୍ତି । ‘ଲଡକୀ ବହିନ ଏବଂ ଲାଡଲୀ ବହେନ’ ଯୋଜନା ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ କ୍ଷମତାସୀନ ମେଂଟ ତଥା ଦଳକୁ ପୁର୍ନବାର କ୍ଷମତା ଦଖଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦଖଲ କରିଥିଲା । ଉଲ୍ଳେ୍ଖଯୋଗ୍ୟ ଲଡକୀ ବହିନ ଯୋଜନାରେ ମହାରାଷ୍ଟ୍ରରେ କ୍ଷମତାସୀନ ମହାୟୁତି ମାସିକ ୨୧୦୦ଟଙ୍କା ଲେଖାଏଁ ୧୮ବର୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ମହିଳାଙ୍କୁ ନିର୍ବାଚନ ଗ୍ୟାରେଂଟି ଦେଇଥଲା । ପୂର୍ବରୁ ମଧ୍ୟପ୍ରଦେଶରେ ଶାସକ ବିଜେପି ‘ଲାଡଲୀ ବହେନ’ ଯୋଜନାରେ ମହିଳାଙ୍କୁ ମାସିକ ୨୧୦୦ଟଙ୍କା ପ୍ରଦାନ କରିଆସୁଛି । ନିକଟରେ ଶେଷ ହୋଇଥିବା ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ ନେତୃତ୍ୱାଧୀନ ଇଣ୍ଡିଆ ମେଂଟ ମୁଖ୍ୟମନ୍ତ୍ରୀ ମାୟା ଯୋଜନାରେ ୧୮ବର୍ଷରୁ ଉର୍ଦ୍ଧ୍ୱ ଯୋଗ୍ୟ ମହିଳାଙ୍କୁ ମାସିକ ୨୫୦୦ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ଦେବା ଘୋଷଣା ପୁର୍ନବାର କ୍ଷମତାକୁ ଆସିବାରେ ସହାୟକ ହୋଇଛି । ପୂର୍ବରୁ ତେଲେଙ୍ଗାନା ଓ କର୍ଣ୍ଣାଟକରେ ଗୃହଲକ୍ଷ୍ମୀ ଯୋଜନାରେ ମହିଳାଙ୍କୁ ମାସିକ ୧୨୦୦ଟଙ୍କା ଲେଖାଏଁ ଦେବା ଲାଗି ଘୋଷଣା କରି ସରକାରକୁ ଫେରିଥିଲା । ଉଲ୍ଳେଖଯୋଗ୍ୟ ଯେ, ଆସନ୍ତା ବର୍ଷର ପ୍ରାରମ୍ଭରେ ଜାତୀୟ ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏବେ ଦିଲ୍ଲୀରେ କ୍ଷମତାସୀନ ଥିବା ଆମ ଆଦମୀ ପାର୍ଟି(ଆପ୍) କ୍ଷମତା ପାଇଁ କି କି ମାଗଣା ତଥା ଲୋକପ୍ରିୟ ଯୋଜନା କାର୍ଯ୍ୟକାରୀ କରିଛି, ତାହା ବୋଧହୁଏ କାହାରିକୁ ଅଛପା ନାହିଁ । ଏବେ ମୁଖ୍ୟମନ୍ତ୍ରୀ ମହିଳା ସମ୍ମାନ ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ମାସିକ ୨୧୦୦ଟଙ୍କା ଦେବା ଲାଗି ପ୍ରତିଶ୍ରୃତି ଘୋଷଣା କରିଛି । ଓଡିଶାରେ ବିଜେପି ମହିଳାଙ୍କୁ ପାଂଚ ବର୍ଷରେ ୫୦ହଜାର ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଇବା ପାଇଁ ପ୍ରତିଶ୍ରୃତି ଦେଇ କ୍ଷମତାସୀନ ହୋଇଥିଲା । ଏହା ନିସନ୍ଦେହ ଯେ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ମଧ୍ୟରେ ଥିବା ଅତି ଅଭାବୀ ମହିଳାଙ୍କୁ ମାସିକ ନଗଦ ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଦେବାରେ କେହି ଆପତି ଉଠାଇନପାରନ୍ତି । ଯେତେବେଳେ ବିଭିନ୍ନ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଦରଦାମ ହୁ ହୁ ହୋଇ ବଢିଚାଲିଛି, ମହିଳାମାନେ ସେତେବେଳେ ସେମାନେ ପାଇଥିବା ଟଙ୍କା ଭାରତ ପରି ଏକ ପୁରୁଷ ପ୍ରଧାନ ସମାଜରେ ନିଜ ଇଚ୍ଛାନୁସାରେ ଖର୍ଚ୍ଚ ପରିପାରିବେ କିମ୍ବା ଏହାକୁ ସଂଚୟ କରିପାରିବେ । ତେବେ ଏଥିରେ ବିସ୍ମିତ ହେବାର କାରଣ ନାହିଁ, ଯେଉଁ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି ତାହା ବେଶ୍ ଲୋକପ୍ରିୟ ପ୍ରମାଣିତ ହୋଇଛି । ଏହା ନିସନ୍ଦେହ ଯେ, ରାଜନୀତିରେ ଏବେ ସିଧାସଳଖ ନଗଦ ଟଙ୍କା ହସ୍ତାନ୍ତର ଯୋଜନା ଦ୍ୱାରା ରାଜନୈତିକ ଦଳଗୁଡିକ କ୍ଷମତା ଅକ୍ତିଆର କରୁଥିବାବେଳେ ଅନ୍ୟପଟେ ଦେଶ ସମ୍ମୁଖୀନ ହୋଇଥିବା ଉତ୍କଟ ବେକାରୀ, ରୋଜଗାରୀ ସମସ୍ୟା, ଦରଦାମ ବୃଦ୍ଧି, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ପ୍ରସଙ୍ଗ ଗୌଣ ହୋଇପଡିଛି । ଏହାର କାରଣ ହୁଏତ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମତଦାନ ବୃଦ୍ଧି । ଗତ ସାଧାରଣ ନିର୍ବାଚନ ଏବଂ ଓଡିଶା ସମେତ ବହୁ ରାଜ୍ୟରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମତଦାନ ହାର ଅଧିକ ଥିବା ଏକ ରିପୋର୍ଟରୁ ଜଣାଯାଇଛି । କିନ୍ତୁ ଅନ୍ୟପକ୍ଷରେ ଏଭଳି ଯୋଜନା ଦ୍ୱାରା ଦେଶରେ ଋଣ ଭାର ବଢି ବଢି ଚାଲିଛି । ଆହୁରି ମଧ୍ୟ ଏଭଳି ଯୋଜନା ଦ୍ୱାରା ଦେଶର ଅର୍ଥନୀତି ବିପର୍ଯ୍ୟାସ୍ଥ ହୋଇଯିବା ନେଇ ବହୁ ଅର୍ଥନୀତି ବିଶାରଦ ସତର୍କ କରାଇ ସାରିଲେଣି । ଏପରିକି ସୁପ୍ରିମକୋର୍ଟ ଗଭୀର ଚିନ୍ତାପ୍ରକଟ କରିଛନ୍ତି । କହିବା ଯଥାର୍ଥ ହେବ ଯେ, ଭୋଟଦାତା ଏଥିପ୍ରତି ସଚେତନ ହେବା ଜରୁରୀ । କାରଣ ମାଗଣାରେ ଟଙ୍କା ବଂଟନ ବିସ୍ତୃତ ଜନକଲ୍ୟାଣର ବିକଳ୍ପ ନୁହେଁ । ଯେପରି ଗୋଟିଏ ଔଷଧରେ ସବୁରୋଗ ଭଲ ହୁଏ ନାହିଁ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,