ନେତାଜୀ ସୁଭାଷଙ୍କ ଦେଶପ୍ରେମ ମହାମନ୍ତ୍ରରେ ଦୀକ୍ଷିତହେବାକୁ ଆହ୍ୱାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌’ ଓ ଆଜାଦ୍ ହିନ୍ଦ୍ ବାହିନୀ ପକ୍ଷରୁ ନେତାଜୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ଦେଶପ୍ରେମ ମହୋତ୍ସବର ଦ୍ୱିତୀୟ ଦିବସ କାର୍ଯ୍ୟକ୍ରମ ସଂଗଠିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ନରେ ଦେଶପ୍ରେମ ମହୋତ୍ସବ ମଂଚରେ “ଦେଶପ୍ରେମ ଓ ନେତାଜୀ” ଶୀର୍ଷକ ଆଲୋଚନା ଚକ୍ର ଫରୱାର୍ଡ଼ ବ୍ଲକ୍ ରାଜ୍ୟ ସଂପାଦକ ତଥା ଆଜାଦ୍ ହିନ୍ଦ୍ ବାହିନୀର ଜାତୀୟ ସଂଯୋଜକ ଜ୍ୟୋତିରଂଜନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ପୂର୍ବତନ ସାଂସଦ ତଥା ଫରୱାର୍ଡ଼ ବ୍ଲକ୍‌ର ପୂର୍ବତନ ଜାତୀୟ ସାଧାରଣ ସଂପାଦକ ଦେବବ୍ରତ ବିଶ୍ୱାସ, ବରିଷ୍ଠ ସାମ୍ବାଦିକ ରବି ଦାସ, ସମଦୃଷ୍ଟିର ସମ୍ପାଦକ ସୁଧିର ପଟ୍ଟନାୟକ, ଗାନ୍ଧିବାଦୀ ବିଶାରଦ ପ୍ରହଲ୍ଲାଦ ସିଂ, ଶ୍ରମିକ ନେତା ରକ୍ଷାକର ଅନୁପମ ପ୍ରମୁଖ ଅତିଥି ବକ୍ତା ଭାବରେ ଯୋଗଦେଇ ଭାରତବର୍ଷର ସ୍ୱାଧୀନତା ସଂଗ୍ରାମରେ ବିପ୍ଳବୀ ବୀର ନେତାଜୀ ସୁଭାଷଙ୍କ ଦେଶପ୍ରେମର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ସୁଭାଷଙ୍କୁ ଦେଶପ୍ରେମୀମାନଙ୍କର ରାଜକୁମାର ଭାବରେ ବର୍ଣ୍ଣନା କରିଥିଲେ । ନେତାଜୀଙ୍କ ଦେଶପ୍ରେମର ପଟାନ୍ତର ନାହିଁ । ଆଜି ଭାରତର ମାଟି, ପାଣି, ପବନ ସମେତ ଜୀବନଯାତ୍ରା କମ୍ପାନୀମାନଙ୍କ ଦ୍ୱାରା ପ୍ରଭାବିତ ହେବାରେ ଲାଗିଛି । ଭାରତ ମାଟି ଓ ମାଟିର ମଣିଷମାନଙ୍କ ସୁରକ୍ଷା ପାଇଁ ଆଉ ଏକ ସ୍ୱାଧୀନତା ସଂଗ୍ରାମ ଲଢ଼ିବା ପାଇଁ ନେତାଜୀ ପ୍ରେମୀମାନେ ପ୍ରସ୍ତୁତ ହେବାକୁ ଆହ୍ୱାନ ଦେଇଥିଲେ ।ଅପରାହ୍ଣରେ ଦେଶପ୍ରେମ ମହୋତ୍ସବର ମଂଚରେ ଅନୁଷ୍ଠିତ ହୋଇଥିଲା ଦେଶପ୍ରେମୀ କବି ସମ୍ମିଳନୀ । ବିଶିଷ୍ଟ କବି ନିରାକର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କବି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ସାହିତ୍ୟ ଏକାଡେମୀର ପୂର୍ବତନ ସଚିବ ଅଶ୍ୱିନୀ ମିଶ୍ର ଯୋଗଦେଇ ଏହି କବି ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ପ୍ରତ୍ୟେକ ଦେଶପ୍ରେମୀ ଜଣେ ଜଣେ ନେତାଜୀ ବୋଲି ନିଜର ଉଦ୍‌ଘାଟନୀ ବକ୍ତବ୍ୟରେ ପ୍ରକାଶ କରିବା ସହ ପ୍ରତ୍ୟେକ ଦେଶପ୍ରେମୀ, ମାଟିପ୍ରେମୀ, ମଣିଷପ୍ରେମୀଙ୍କ ଭିତରେ ନେତାଜୀ ଚିର ଅମର ବୋଲି ପ୍ରକାଶ କରିଥିଲେ । ଆଜି ଦେଶକୁ ରକ୍ଷାକରିବା ପାଇଁ ବିପ୍ଳବୀ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଶ୍ରୀ ମିଶ୍ର ଆହ୍ୱାନ କରିଥିଲେ । ଏହି କବି ସମ୍ମିଳନୀରେ କବି ଡା.ବାସୁଦେବ ସୁନାନୀ, ବିନୋଦ, ଜିତେନ୍ଦ୍ରୀୟ ବେହେରା, ଶୃତକ୍ରୀତି ତ୍ରିପାଠୀ, ସୁନନ୍ଦା ପ୍ରଧାନ, ହରପ୍ରିୟା ମହାନ୍ତି, ନିରାକାର ଦାସ,ଅଶ୍ୱିନୀ କୁମାର ମିଶ୍ର, ପ୍ରଫୁଲ ମହାରଣା, ଡ଼. ଲକ୍ଷ୍ମୀନାରାୟଣ ଦାଶ, ମନୋଜ କୁମାର ପାଣିଗ୍ରାହୀ, ମମତା ମହାନ୍ତି, କାଳୀ ଦାଶ, ଅମରେନ୍ଦ୍ର ମାଧବ ଦାସ, ମିନତୀ ମିଶ୍ର, ରଶ୍ମୀ ସାମଲ, ବିଘ୍ନେଶ୍ୱର ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ସାନ୍ଧ୍ୟକାଳୀନ ସାଂସ୍କୃତିକ ମହୋତ୍ସବର ଏହି ମଂଚରେ କଳାକାର ଅନୁରାଗ ଦାସ, ବାବାଜୀଚରଣ ଦାସ, ବିଜୟ ବାରିକ, ଜସ୍ମିନ ରାୟ ଓ ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ଦେଶପ୍ରେମୀ ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ