କେନ୍ଦ୍ରାପଡ଼ା ଜିଲ୍ଲାରୁ ଏକମାତ୍ର ସଫଳ ଯୁବ ଉଦ୍ୟୋଗୀ ଦେବଜୀତା ସମ୍ବର୍ଦ୍ଧିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଜାନୁଆରୀ ୨୮ ଓ ୨୯ ଦୁଇ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ବା ଶିଳ୍ପ ମହାକୁମ୍ଭ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ବା ଶିଳ୍ପ ମହାକୁମ୍ଭକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଥିଲେ । ଏଥିରେ ରାଜ୍ୟ ତଥା ଦେଶ ବିଦେଶର ବହୁ ସଂଖ୍ୟାର ବିଶିଷ୍ଟ ଶିଳ୍ପପତିମାନେ ଯୋଗଦେଇଥିଲେ । ରାଜ୍ୟର ଶିଳ୍ପଦ୍ୟୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏହି ଶିଳ୍ପ ମହାକୁମ୍ଭରେ ସଫଳ ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବାଲେଶ୍ୱର, ଗଂଜାମ, ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖା, ବୈାଦ୍ଧ, ମାଲକାନାଗିରି, କେନ୍ଦ୍ରାପଡ଼ା, ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖା ଏହିପରି ୪୦ ବର୍ଷରୁ କମ୍ ବୟସର ରାଜ୍ୟର ମୋଟ୍ ୬୦ ଜଣ ଯୁବ ଶିଳ୍ପଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଫଳ ଉଦ୍ୟୋଗ ପ୍ରତିଷ୍ଠାରେ ସେମାନଙ୍କ ଉତ୍ସର୍ଗୀକୃତତା, କଠିନ ପରିଶ୍ରମକୁ ସ୍ୱୀକୃତି ଦେଇ ଏମଏସଇ ସେକ୍ଟରର ରୋଲ ମଡ଼େଲ ବା ଆଦର୍ଶ ଭାବେ ରାଜ୍ୟ ସରକାର ସମ୍ମାନିତ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରୁ ଯେଉଁ ଜଣେ ମାତ୍ର ସଫଳ ଉଦ୍ୟୋଗୀ ଭାବେ ସମ୍ବର୍ଦ୍ଧିତ ହୋଇଛନ୍ତି ସେ ହେଉଛନ୍ତି ଦେବଜୀତା କାନୁନଗୋ । ସେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତ ଜୟତଳଙ୍ଗ ଗ୍ରାମର ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋଙ୍କ ଝିଅ ଓ ଡ଼େରାବିଶ ବ୍ଲକ୍ ଅନ୍ତର୍ଗତ ମୁକୁନ୍ଦପୁର ପଂଚାୟତ ନଛିପୁର ଗ୍ରାମର ସମ୍ବିତ କିଶାନ ଦାସଙ୍କ ପତ୍ନୀ ତଥା ମନୋରଞ୍ଜନ ଦାସଙ୍କ ବୋହୁ । ସେ ନିଜ ଘର ନିକଟରେ ନୃସିଂହନାଥ ଆସ (ପାଉଁଶ) ଇଟା କାରଖାନା ପ୍ରତିଷ୍ଠା କରି ସଫଳତା ହାସଲ କରିଛନ୍ତି । ଦେବଜୀତା ରାଜ୍ୟ ସରକାରଙ୍କ ଦ୍ୱାରା ସଫଳ ଉଦ୍ୟୋଗୀ ଭାବେ ସମ୍ବର୍ଦ୍ଧିତ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନର ସୁଅ ଛୁଟିଛି ।