କଂଗ୍ରେସ ନିର୍ବାଚନୀ ଇସ୍ତାହାର

ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ନିର୍ବାଚନୀ ଋତୁକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମଙ୍ଗଳବାର ନିର୍ବାଚନୀ ଘୋଷଣାପତ୍ର ଜାରି କରାଯାଇଛି । କ୍ଷମତା ହାସଲ ପାଇଁ ଆଜି କଂଗ୍ରେସ ନିଜ ଗୋଟି ଚାଳନା କରିବା ପୂର୍ବକ କଂଗ୍ରେସ ପକ୍ଷରୁ ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ସହ ଇସ୍ତାହାର ଘୋଷଣା କରାଯାଇଛି । ଗରିବୀଠାରୁ ଆରମ୍ଭ କରି ନିଯୁକ୍ତି ଏବଂ ଚାଷୀ ସମସ୍ୟା ଠାରୁ ଆରମ୍ଭ କରି ଜାତୀୟ ସୁରକ୍ଷା ପର୍ଯ୍ୟନ୍ତ ଆଦି ବହୁ ସମ୍ପର୍କରେ କଂଗ୍ରେସ ଦେଶବାସୀଙ୍କୁ ଅନେକ ବଡବଡ ପ୍ରତିଶ୍ରୁତି ଦେଇଥିବା ଦେଖିବାକୁ ମିଳିଛି । ଏତଦ୍ବ୍ୟତୀତ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଉଦ୍ୟୋଗୀଙ୍କ ପାଇଁ କଂଗ୍ରେସ ତା’ର ଘୋଷଣା ପତ୍ରରେ ଅନେକ ପ୍ରତିଶ୍ରୁତି ଦେଇଛି ।
କଂଗ୍ରେସ ଦର୍ଶାଇଛି ଯେ, ଗରିବଙ୍କ ପାଇଁ “ନ୍ୟାୟ’ ଯୋଜନା ପ୍ରଣୟନ କରାଯିବ । ଏହାଦ୍ୱାରା ଦେଶର ୨ଠ% ସବୁଠାରୁ ଗରିବ ପରିବାରଙ୍କୁ ବର୍ଷକୁ ୭୨ ହଜାର ଟଙ୍କା ପାଇବେ । ଏହି ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ଯିବ । ସେହିପରି ଗ୍ରାମ ପଞ୍ଚାୟତସ୍ତରରେ ୧ଠଲକ୍ଷ ଯୁବକଙ୍କୁ ନିଯୁକ୍ତି ଓ ଯୁବ ଉଦ୍ୟୋଗୀମାନଙ୍କୁ ବ୍ୟବସାୟ ଆରମ୍ଭର ୩ବର୍ଷ ଯାଏ କାହାଠାରୁ ଅନୁମତି ନେବାର ଆବଶ୍ୟକତା ରହିବ ନାହିଁ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଅଧୀନରେ ହିତାଧିକାରୀଙ୍କୁ ମିଳୁଥିବା ୧ଠଠଟି କାର୍ଯ୍ୟ ଦିବସକୁ ବଢ଼ାଇ ୧୫ଠ ଦିନ କରାଯିବା, ଚାଷୀମାନେ ଋଣ ଶୁଝି ନପାରିଲେ ଏହାକୁ ଅପରାଧିକ ମାମଲା ବଦଳରେ ଦେୱାନୀ ମାମଲା ଭାବେ ବିଚାର କରିବା, ଜିଡିପିର ୬% ଅର୍ଥକୁ ଶିକ୍ଷା କ୍ଷେତ୍ରରେ ନିବେଶ କରାଯିବା, ଗରିବ ଲୋକଙ୍କୁ ସରକାରୀ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା, ଜାତୀୟ ଓ ଅନ୍ତର୍ଜାତୀୟ ପଲିସି ଉପରେ ଗୁରୁତ୍ୱାରୋପ କରାଯିବା, ଅଫ୍ସା ଆଇନ୍ରେ ସଂଶୋଧନ କରିବା, ସେନାର ଆଧୁନିକୀକରଣ, ମାଗଣାରେ ସ୍ୱ୍ାସ୍ଥ୍ୟ ସୁବିଧା, ପ୍ରଦୂଷଣ ପ୍ରସଙ୍ଗରେ କାମ କରିବା, ରାଫେଲ ସହିତ ଗତ ପାଞ୍ଚ ବର୍ଷରେ ବିଜେପି ସରକାର ଦ୍ୱାରା କରାଯାଇଥିବା ସମସ୍ତ ରାଜିନାମାର ତଦନ୍ତ କରାଯିବା, ଜାତି-ଧର୍ମ ଓ ଲିଙ୍ଗଗତ ଭେଦଭାବକୁ ସମାପ୍ତ କରିବା ଭଳି ଅନେକ ପ୍ରତିଶ୍ରୁତି କଂଗ୍ରେସ ନିଜ ଇସ୍ତାହାରରେ ସାମିଲ କରିଛି । ବିଦ୍ରୋହୀ ସକ୍ରିୟ ଥିବା ଅଞ୍ଚଳରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ଅଫ୍ସା ଆଇନ୍ ଅନୁସାରେ ତଥା ମାନବାଧିକାରକୁ ପ୍ରାଧାନ୍ୟ ଦିଆଯିବା ପୂବର୍କ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯିବ ବୋଲି କଂଗ୍ରେସ ନିଜ ଇସ୍ତାହାରରେ ଦର୍ଶାଇଛି । ଏତଦ୍ବ୍ୟତୀତ କ୍ଷମତାକୁ ଆସିଲେ ଦେଶଦ୍ରୋହ ସଂକ୍ରାନ୍ତ ଆଇନ୍ ଆଇପିସି ଧାରା ୧୨୪-ଏ (ଦେଶଦ୍ରୋହ ମାମଲା) ଉଚ୍ଛେଦ କରାଯିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ଏହି ଧାରାର ଅପବ୍ୟବହାର କରାଯାଉଥିବାରୁ କଂଗ୍ରେସ କ୍ଷମତାକୁ ଆସିଲେ ଏହାକୁ ହଟାଇବ ବୋଲି କହିଛି । ସେହିପରି ଜାମ୍ମୁ-କାଶ୍ମୀର ପାଇଁ ଲାଗୁ ହେଉଥିବା ଆଇନ୍ରେ ମଧ୍ୟ ଏକାଧିକ ପରିବର୍ତ୍ତନ କରିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏସବୁ ମଧ୍ୟରେ କଂଗ୍ରେସ ଏକ ମୁଖ୍ୟ ପ୍ରସଙ୍ଗକୁ ପ୍ରତିଶ୍ରୁତି ଆକାରରେ ସାମିଲ କରିଛି । କଂଗ୍ରେସ ଦଳ ବଦଳ ବିରୋଧୀ କାନୁନ୍ ଅଧୀନରେ ଆସୁଥିବା ସମସ୍ତ ପ୍ରସଙ୍ଗ, ଦଳୀୟ ହ୍ୱିପ୍ର ଉଲ୍ଲଙ୍ଘନ କରୁଥିବା, ଦଳ ପ୍ରତି ନିଷ୍ଠା ନରଖିବା କିମ୍ବା ଅନ୍ୟ କୌଣସି ଦଳକୁ ସମର୍ଥନ କରିବା ମାମଲାକୁ ନୂତନ ଭାବେ ପରିଭାଷିତ କରି ଏଥିରେ ସଂଶୋଧନ କରିବ ବୋଲି ପ୍ରତିଶ୍ରୁତି ଦେଇଛି ।
ଆଜି ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ବିଭିନ୍ନ ରାଜ୍ୟର କଂଗ୍ରେସ ପଦାଧିକାରୀଙ୍କ ଉପସ୍ଥିତିରେ ଦଳର ଏହି ବହୁଚର୍ଚ୍ଚିତ ନିର୍ବାଚନୀ ଇସ୍ତାହାରକୁ ସାର୍ବଜନୀନ କରାଯାଇଛି । ୨ଠରୁ ଅଧିକ ରାଜ୍ୟରେ କରାଯାଇଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ଲୋକଙ୍କ ପ୍ରସ୍ତାବ ଆଧାରରେ ଏହି ନିର୍ବାଚନୀ ଘୋଷଣାପତ୍ର ପ୍ରସ୍ତୁତ କରାଯାଇଥିବା କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ