” ତତ୍ତ୍ଵରେ ତଥ୍ୟରେ ଭକ୍ତିର ଅନ୍ୟନାମ ରାଧା “

ଡକ୍ଟର ଅମୂଲ୍ୟ କୁମାର ପଣ୍ଡା
କଥାରେ ଅଛି- ରାଧା ବିନା କୃଷ୍ଣ ଅଧା । ରାଧା ଓ କୃଷ୍ଣଙ୍କୁ ଭକ୍ତମାନେ ଏକ ଓ ଅଭିନ୍ନ ଭାବରେ ଗ୍ରହଣ କରିବା ସହ ତାଙ୍କର ଯୁଗଳ ମୂର୍ତ୍ତିକୁ ଭକ୍ତିଭରେ ପୂଜା କରିଥାନ୍ତି । ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ରାଧା ଓ କୃଷ୍ଣଙ୍କର ଶରୀର ସିନା ଦୁଇଟି, କିନ୍ତୁ ଆତ୍ମା ଏକ । ରାଧା ଓ କୃଷ୍ଣଙ୍କୁ ନେଇ ହିନ୍ଦୁ ସମାଜରେ ବିଭିନ୍ନ ପର୍ବ ପାଳିତ ହେଉଥିବା ବେଳେ ଭକ୍ତମାନେ ପ୍ରେମର ପ୍ରତୀକ ରାଧାକୃଷ୍ଣଙ୍କୁ ନିଜର ଆଦର୍ଶ ଭାବେ ମାନିଥାନ୍ତି। ରାଧା ନାମ ଉଚ୍ଚାରଣ କଲା ମାତ୍ରେ ଦେହରେ ଶିହରଣ ଖେଳିଯାଏ, ଭକ୍ତିରେ ମୁଣ୍ଡ ନଇଁ ଯାଏ। ତେବେ ଏହି ରାଧା ଶବ୍ଦର ତାତ୍ତ୍ୱିକ ଅର୍ଥ ହେଲା ଭକ୍ତି। ରାଧା, ” ରା ” ଶବ୍ଦର ଅର୍ଥ ଭକ୍ତି ଆଉ ” ଧା ” ଶବ୍ଦର ଅର୍ଥ ହେଲା ଧାବମାନ। ଅର୍ଥାତ୍ ଯିଏ ପରମ ପୁରୁଷ ତଥା କୃଷ୍ଣ ପ୍ରେମ ଆଉ ଭକ୍ତିରେ ଧାବମାନ କରେ, ସିଏ ହେଉଛି ରାଧା। ରାଧା ଶବ୍ଦର ଅର୍ଥ ବ୍ୟାପକ ଓ ସାରଗର୍ଭକ। ହିନ୍ଦୁଧର୍ମରେ ରାଧା ହେଉଛନ୍ତି କୃଷ୍ଣଙ୍କର ଅତିପ୍ରିୟ ସଖି। ରାଧା ହେଉଛନ୍ତି ମାନବାତ୍ମାର ପ୍ରତୀକ ଯିଏ ପରମାତ୍ମା ସହିତ ମିଳିତ ହେବାପାଇଁ ସଦା ପିପାସୁ। ବୈଷ୍ଣବମାନଙ୍କ ମତରେ ଆରାଧୟତି ଇତି ରାଧା। ଅର୍ଥାତ ଶ୍ରୀକୃଷ୍ଣଙ୍କ ଆରାଧନାର ପ୍ରକୃଷ୍ଟ ସାଧନ ହେଉଛି ରାଧା ଭାବ। ଏହା ହେଉଛି କାନ୍ତା ପ୍ରେମଠାରୁ ଅଧିକ ଭାବମୟ। ଅନ୍ୟ ଅର୍ଥରେ କହିବାକୁ ଗଲେ “ରା” ଶବ୍ଦର ଅକ୍ଷର ମୁକ୍ତିଲାଭର ପ୍ରତୀକ ଓ “ଧା” ଭଗବାନଙ୍କ ଆଡକୁ ଧାବମାନ ହେବକୁ ସଙ୍କେତ କରେ। ଶ୍ରୀରାଧା ନାମ ଉଚ୍ଚାରଣରେ ସମସ୍ତ ପାପ କ୍ଷୟ ଓ କର୍ମ ସକଳ ନାଶ ହୋଇ ମନୁଷ୍ୟ ମୁକ୍ତି ପଦ ପ୍ରାପ୍ତ ହୁଏ ଓ ଈଶ୍ୱରଙ୍କ ନିକଟତର ହୋଇଥାଏ। ତେଣୁ ରାଧାଭାବକୁ ମହାଭାବ ବା ଶ୍ରେଷ୍ଠ ସାଧନ ବୋଲି ବିଚାର କରାଯାଏ। ମହାନ ବୈଷ୍ଣବ ଶ୍ରୀ ଚୈତନ୍ୟ ରାୟ ରାମନନ୍ଦଙ୍କଠାରୁ ଏହି ମହାଭାବ ସମ୍ପର୍କରେ ଶୁଣି ତନ୍ମୟ ହୋଇପଡ଼ିଥିଲେ। ତେଣୁ ବୈଷ୍ଣବମାନେ କୃଷ୍ଣ ଉପାସନାରେ ଶ୍ରୀରାଧାଙ୍କ ଆରାଧନାକୁ ଗୁରୁତ୍ୱପୂର୍ଣ୍ଣ ମନେକରନ୍ତି। ଶ୍ରୀରାଧାଙ୍କ କୃପା କଟାକ୍ଷରେହିଁ ମନରେ କୃଷ୍ଣ ଭକ୍ତି ବଳବତ୍ତର ହୋଇଥାଏ। ରାଧା ହେଉଛନ୍ତି ସୃଷ୍ଟିର ଅଧିକାରିଣୀ । ତାଙ୍କ ଠାରୁ ସକଳ ଉତ୍ପତ୍ତି ହୋଇଛି । ନିରାକାର ପୁରୁଷ ପୁରରେ ଜରା ମୃତ୍ୟୁ ଭୟ ନଥାଏ । ସେହି ପୁର ହୀରା, ନୀଳା, ବୈଦୁର୍ଯ୍ୟ କମରେ ବିଚିତ୍ର ରତ୍ନବେଦୀରେ ରାଧା ଦେବୀଙ୍କ ବାସସ୍ଥାନ । ରାଧା ହେଉଛନ୍ତି ସେହି ରାସ ମଣ୍ଡଳର ଅଧିକାରିଣୀ, ସେ ସଦାସର୍ବଦା କୃଷ୍ଣଙ୍କର ସହଗାମିନୀ ହୋଇ ରହିଥାନ୍ତି। ବୈଷ୍ଣବ ଶାସ୍ତ୍ର ମତରେ ସୃଷ୍ଟି ପୂର୍ବେ ରାସମଣ୍ଡଳସ୍ଥ ପରମାତ୍ମା ସ୍ୱରୂପ ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରର ବାମ ଭାଗରୁ ଅପରୂପ ଶୋଭା ସମ୍ପନ୍ନା ଦେବୀ ମହାଲକ୍ଷ୍ମୀ ଓ ଦକ୍ଷିଣାଂଶରୁ ପ୍ରେମମୟୀ ଶ୍ରୀରାଧାଙ୍କ ଉତ୍ପତ୍ତି ହୋଇଥିଲା। ଚତୁର୍ଭୁଜ ନାରାୟଣ ଲକ୍ଷ୍ମୀଙ୍କୁ ଗ୍ରହଣ କରି ଲକ୍ଷ୍ମୀକାନ୍ତ ନାମ ଧାରଣ କରିଥିବା ବେଳେ ଦ୍ୱିଭୁଜ ଶ୍ରୀକୃଷ୍ଣ ପ୍ରେମମୟୀ ରାଧିକାଙ୍କୁ ଗ୍ରହଣ କରି ରାଧକାନ୍ତ ରୂପେ ପ୍ରସିଦ୍ଧ ହେଲେ। ଶ୍ରୀକୃଷ୍ଣ ଓ ଶ୍ରୀରାଧଙ୍କ ନିତ୍ୟ ରାସସ୍ଥଳୀ ନାଁ ଗୋଲୋକ ଧାମ ଓ ସେ ନିତ୍ୟ କୃଷ୍ଣ ବିହାରିଣୀ। ଏକଦା ଶ୍ରୀକୃଷ୍ଣ ଗୋଲୋକରେ ବିରଜା ନାମ୍ନୀ ଜଣେ ଗୋପୀକା ସହିତ ବିହାର କରୁଥିବା ଖବର ପାଇ ରାଧା କ୍ରୋଧ ହେବା ସହ ସଖିମାନଙ୍କ ସହ ବିହାର ସ୍ଥଳୀକୁ ଗମନ କଲେ। କିନ୍ତୁ ସୁଦାମ ଗୋପାଳଙ୍କ ସୂଚନା କ୍ରମେ ରାଧାଙ୍କ ଆସିବା ଜାଣି ଶ୍ରୀକୃଷ୍ଣ ବିରଜାଙ୍କୁ ଛାଡି ପଳାଇଗଲେ। ଅନ୍ୟ ଏକଦିନ ରାଧିକା ଏହି ଘଟଣା ନେଇ ପ୍ରିୟତମ ଶ୍ରୀକୃଷ୍ଣଙ୍କୁ ପ୍ରେମ ଭର୍ତ୍ସନା କରିବାରୁ ସୁଦାମ ରାଧାଙ୍କୁ ତିରସ୍କାର କରିଥିଲେ। ଶ୍ରୀରାଧାଙ୍କ ଅଭିଶାପରେ ସୁଦାମ ମର୍ତ୍ତ୍ୟରେ ଅସୁର ଯୋନିରେ ଶଙ୍ଖଚୂଡ଼ ନାମରେ ଜନ୍ମ ନେଇଥିବା ବେଳେ ସୁଦାମଙ୍କ ଅଭିଶାପରୁ ଶ୍ରୀରାଧା ମର୍ତ୍ତ୍ୟରେ ଗୋପାଳୁଣୀ ରୂପେ ଜନ୍ମ ନେଇଥିଲେ। ପୁରାଣ ମତେ ଶ୍ରୀରାଧା ଅଯୋନି ସମ୍ଭୂତ, ଗୋକୁଳନିବାସୀ ସାମନ୍ତ ରାଜ ବୃଷଭାନୁ ଙ୍କ ପତ୍ନୀ କୀର୍ତ୍ତିଦା ପୁଷ୍କରଣୀକୁ ସ୍ନାନ କରିବାକୁ ଯିବା ସମୟରେ ଏକ ପ୍ରସ୍ଫୁଟିତ କଇଁ ଫୁଲ ଉପରେ ଶିଶୁକନ୍ୟା ଟିଏ ଶୋଇଥିବା ଦେଖି ତାକୁ ଘରକୁ ନେଇ ଆସିଥିଲେ। କୁହାଯାଏ ଜନ୍ମ ଠାରୁ ତିନିଦିନ ପର୍ଯ୍ୟନ୍ତ ରାଧାଙ୍କ ଚକ୍ଷୁ ମୁଦ୍ରିତ ଥିଲା। ଯଶୋଦାଙ୍କ କୋଳରେ ବାଳକ କୃଷ୍ଣଙ୍କୁ ଦେଖିବା ପରେ ତାଙ୍କର ଆଖି ଖୋଲି ଯାଇଥିଲା। କୃଷ୍ଣଙ୍କ ଚରଣରେ ନିଜର ସର୍ବସ୍ୱ ସମର୍ପଣ କରିଥିଲେ ରାଇ ବିନୋଦିନୀ। ବୃନ୍ଦାବନର ମହାରାସରେ ସେ ଥିଲେ ମୁଖ୍ୟ ନାୟିକା। ଶ୍ରୀକୃଷ୍ଣଙ୍କ ମଥୁରା ଓ ଦ୍ୱାରକା ଗମନ ପରେ ବିରହ ବ୍ୟଥାରେ ଶ୍ରୀରାଧାଙ୍କ ବେଦନା ଥିଲ ହୃଦୟ ବିଦାରକ। କୃଷ୍ଣ ପ୍ରେମରେ ଗୋପପୁରର ସମସ୍ତ ଗୋପାଳୁଣୀ ମହତ ସାରିଥିଲେ ମଧ୍ୟ ରାସେଶ୍ୱରୀ ରାଧାଙ୍କ ଲଲଟରେ ହିଁ ଲାଗିଥିଲା କୁଳଟା ଅପବାଦ। ହେଲେ ପ୍ରିୟତମାର ମହତ ରକ୍ଷା ପାଇଁ ଶ୍ରୀକୃଷ୍ଣ ପଣ କରିଥିଲେ। କେବଳ ରାଧା ହିଁ କଣା ମାଠିଆରେ ପାଣି ଓ ପଦଧୂଳି ଦେଇ ପ୍ରଭୁଙ୍କ ରୋଗର ଉପଶମ କରିଥିବା ବୈଷ୍ଣବ ସାହିତ୍ୟମାନଙ୍କରେ ବର୍ଣ୍ଣନା କରାଯାଇଛି। କବି ଜୟଦେବ ନିଜର ସୁଲଲିତ ଗୀତ ଗୋବିନ୍ଦ କାବ୍ୟରେ ରାଧାକୃଷ୍ଣଙ୍କ ଦିବ୍ୟ ପ୍ରେମଲୀଳାର ଅପୂର୍ବ ବର୍ଣ୍ଣନା କରିଥିବା ବେଳେ ଅଭିମନ୍ୟୁ ସାମନ୍ତସିଂହାର ସ୍ୱରଚିତ ବିଦଗ୍ଧ ଚିନ୍ତାମଣିରେ ଏହି ଅପ୍ରାକୃତ ପ୍ରେମଲୀଳାର ଉଚ୍ଚକୋଟୀର ବର୍ଣ୍ଣନା କରିଛନ୍ତି ।
ଅରଙ୍ଗାବାଦ, ବରୀ, ଯାଜପୁର
ମୋବାଇଲ – ୮୨୪୯୫୦୨୭୭୬

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ