କୃଷ୍ଣଚରଣ ବିଦ୍ୟାମନ୍ଦିର ନବୀକରଣ କାର୍ଯ୍ୟ ପୂର୍ବତନ ସାଂସଦଙ୍କ ଫଳକକୁ ବୋଳି ଦେଲେ ରଙ୍ଗ, ଅଞ୍ଚଳବାସୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲାର ଅନ୍ୟତମ ସର୍ବପୁରାତନ ଆଗରପଡା କୃଷ୍ଣଚରଣ ବିଦ୍ୟାମନ୍ଦିର ଡ.ହରେକୃଷ୍ଣ ମହତାବଙ୍କ ଦ୍ୱାରା ତାଙ୍କ ପିତା କୃଷ୍ଣଚରଣଙ୍କ ନାମରେ ଗଢି ଉଠିଥିଲା । ଏହି ଏ୍ୟୌତିହାସିକ ପୃଷ୍ଠ ଭୂମି ଥିବା ପୁରାତନ ବିଦ୍ୟାଳୟର ନବୀକରଣ ପାଇଁ ତତ୍କାଳୀନ ଭଦ୍ରକ ସାଂସଦ ଏକକାଳୀନ ପାଖାପାଖି ଏକ କୋଟି ଦଶଲକ୍ଷ ଟଙ୍କା ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ବିଦ୍ୟାଳୟକୁ ନୂଆ କରି ଗଢି ତୋଳିଥିବା ବେଳେ ତାଙ୍କର ନାମ ଫଳକକୁ ପରବର୍ତ୍ତୀ ସମୟରେ ସଂପୃକ୍ତ ଅଞ୍ଚଳର ପେଟି ଠିକାଦାର ୫-ଟି କାର୍ଯ୍ୟ ଆଳରେ ରଙ୍ଗ ବୋଳି ଲିଭାଇ ଦେବା ପରି ଘଟଣା ସଂପୃକ୍ତ ଅଞ୍ଚଳର ବୁଦ୍ଧିଜୀବି ଏବଂ ସର୍ବୋପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଅର୍ଜୁନ ପ୍ରେମୀଙ୍କୁ ଗଭୀର ମର୍ମାହତ କରିଛି । ପ୍ରକାଶ ଯେ, ଏହି ପୁରାତନ ବିଦ୍ୟାଳୟଟି ୧୯୩୫ ମସିହାରେ ଡ.ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ଗଢି ଉଠିଥିବା ବେଳେ ଏଠାରୁ ଅଧ୍ୟୟନ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସମରେନ୍ଦ୍ର କୁଣ୍ଡୁ, ଭାରତର ବିଶିଷ୍ଟ ଅର୍ଥନୈତିଜ୍ଞ ଡ.ବୈଦନାଥ ମିଶ୍ର, ଓଡିଶାର ପ୍ରଥମ ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରଫୁଲ୍ଲ କୁମାର ମହାନ୍ତି, ପୂର୍ବତନ ପ୍ରଶାସନିକ ଅଧିକାରୀ ଗୌତମ କୁମାର ଦାସ, ସର୍ବୋପରି ଭଦ୍ରକ ଜିଲାର ଗର୍ବ ଓ ଗୌରବ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଅର୍ଜୁନ ଚରଣ ସେଠୀଙ୍କ ପରି ବହୁ ବିଶିଷ୍ଟ ପଦାଧିକାରୀ ଦେଶ ଓ ଦେଶ ବାହାରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଅବସ୍ଥାପିତ ହୋଇସାରିଛନ୍ତି । ଏହି ପୁରାତନ ବିଦ୍ୟାମନ୍ଦିରଟି ଗତ ଫାଇଲିନ୍ ବାତ୍ୟାରେ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ଛାତ୍ର ମାନେ ଅଧ୍ୟୟନ ପାଇଁ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥୁଲେ । ଏପରିକି ପିଲାମାନେ ସେତେବେଳେ ଗଛ ତଳ ଓ ଭଗ୍ନ ବାରଣ୍ଡାରେ ବସି ପାଠ ପଢୁଥୁଲେ । ଶିକ୍ଷାଦାନ କ୍ଷେତ୍ରରେ ଏପରି ଦୟନୀୟ ଅବସ୍ଥାକୁ ଉପଲବ୍ଧି କରି ଏହି ବିଦ୍ୟାମନ୍ଦିରର ପୁରାତନ ଛାତ୍ର ସେତେବେଳର ଭଦ୍ରକ ସାଂସଦ ସ୍ୱର୍ଗତଃ ଅର୍ଜୁନ ଚରଣ ସେଠୀ ଆନ୍ତରିକତା ପ୍ରଦର୍ଶନ ପୂର୍ବକ ନିଜସ୍ୱ ସାଂସଦ ପାଣ୍ଠିରୁ ଏକକାଳୀନ ୧ କୋଟି ୯ଲକ୍ଷ ୭୦ ହଜାର ଟଙ୍କା ବିଦ୍ୟାଳୟ ଗୃହର ପୁନଃ ନିର୍ମାଣ ପାଇଁ ଯୋଗାଇ ଦେଇଥିଲେ । ଯାହାକି ସମଗ୍ର ଭାରତ ବର୍ଷରେ ବିରଳ ଅନୁଦାନ ଅଟେ । ସେତେବେଳେ ଏକକାଳୀନ ଉକ୍ତ ଅନୁଦାନକୁ ନେଇ ଶ୍ରୀ ସେଠୀ କର୍ମୀ ମାନଙ୍କ ମହଲରେ ନାନା ସରବ୍ୟର ଶିକାର ହୋଇଥିଲେ । ୨୦୧୮ ମସିହା ନଭେମ୍ବରରେ ଭଦ୍ରକ ସାଂସଦ ଶ୍ରୀ ସେଠୀ ଏବଂ ଆଗରପଡାର ଅନ୍ୟତମ ବରପୁତ୍ର ତଥା ବର୍ତ୍ତମାନର କଟକ ସାଂସଦ ଭତ୍ତୃହରି ମହତାବ ବିଦ୍ୟାମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରି କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଅବଧି ସମୟ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବାରୁ ଶ୍ରୀ ସେଠୀ କ୍ଷୋଭ ପ୍ରକାଶ କରିବା ସହିତ ଦୁଇ ଦୁଇ ଥର କ୍ଷେତ୍ରୀୟ ତଦନ୍ତରେ ଆସି ଅସନ୍ତୋଷ ପ୍ରକାଶ କରିଥିଲେ । ଇତି ମଧ୍ୟରେ ଶ୍ରୀ ସେଠୀ ବିଜେଡି ପରିତ୍ୟାଗ କରି ୨୦୧୯ ମସିହାରେ ବିଜେପିରେ ଯୋଗ ଦେବା ପରେ ଠିକାଦାରଙ୍କ ମନମାନି ବଢିଯିବା ସହ ସାଂସଦଙ୍କ ଫୋନ ଉଠାଇ ନଥିଲେ । ଯାହାକୁ ନେଇ ସେ ଗଭୀର ଭାବେ ମର୍ମାହତ ହୋଇ ତାଙ୍କର ଅନ୍ତିମ ଇଚ୍ଛା ବିଦ୍ୟାମନ୍ଦିରର ପୂର୍ଣ୍ଣାଙ୍ଗୀକରଣ ହୋଇପାରିନଥିଲା । ଶ୍ରୀ ସେଠୀ ୨୦୨୨ ମସିହାରେ ମୃତ୍ୟୁବରଣ କରିବା ପରେ ଭିତ୍ତି ପ୍ରସ୍ତର ଫଳକକୁ ସଂପୃକ୍ତ ଠିକାଦାର ଓ ବିଦ୍ୟାଳୟ କର୍ତ୍ତୂପକ୍ଷ ଉଦ୍ଦେଶ୍ୟ ମୂଳକ ଭାବେ ରଙ୍ଗ ବୋଳି ସମ୍ମୁଖରେ ଖମ୍ଭ ନିର୍ମାଣ କରିଦେଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଇତିମଧ୍ୟରେ ଅଭିଯୋଗ ପାଇ ଭାରପ୍ରାପ୍ତ ବିଡିଓ ନିଶିକାନ୍ତ ଖୁଣ୍ଟିଆ କ୍ଷେତ୍ର ପରିଦର୍ଶନ ପୂର୍ବକ ତଦନ୍ତ କରିଥିଲେ ମଧ୍ୟ ପୁର୍ନବାର ଫଳକ ବସାଇବା ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । ଉପରୋକ୍ତ ଅମାନବୀୟ କାର୍ଯ୍ୟର ଗୁରୁତ୍ୱକୁ ଉପଲବ୍ଧି କରି ଜିଲା ପ୍ରସାଶନ ତୁରନ୍ତ ଫଳକ ନିର୍ମାଣ ପୂର୍ବକ ପୂର୍ବତନ ସାଂସଦଙ୍କୁ ଉଚିତ ସମ୍ମାନ ପ୍ରଦାନ ପାଇଁ ଅଞ୍ଚଳର ବୁଦ୍ଧିଜୀବି ମହଲରେ ଦାବି ହୋଇଛି । ନହେଲେ ଆଗାମୀ ଦିନରେ ବିଜେପି ପକ୍ଷରୁ ଜୋରଦାର ପ୍ରତିବାଦ କରାଯିବ ବୋଲି ପୂର୍ବତନ ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦାଶ, ଅଶୋକ ପରିଡା, ଚିନ୍ମୟ ମହାପାତ୍ର ପ୍ରମୁଖ ଚେତାବନି ଦେଇଛନ୍ତି । ଏଥିସହ ଯୁବ ସମାଜସେବୀ ତାପସ ରାୟ ଉପରୋକ୍ତ ଘଟଣାର ତୁରନ୍ତ ସମାଧାନ ପାଇଁ ବିଦ୍ୟାଳୟ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି ।


