କେନାଲ୍ ବନ୍ଧ ରାସ୍ତା ଶୋଚନୀୟ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ରାଞ୍ଚ କେନାଲ ଓ ସୋସୋ ମାଇନର୍‌ କେନାଲ ବନ୍ଧରେ ଯାତାୟତ ପାଇଁ ଥିବା ମୁଖ୍ୟ ରାସ୍ତା ଶୋଚନୀୟ ହୋଇପଡ଼ିଛି | ବହୁ ବର୍ଷ ପୂର୍ବରୁ ଉକ୍ତ କେନାଲ ବନ୍ଧକୁ ଜଳସେଚନ ବିଭାଗ ପକ୍ଷରୁ ମେଟାଲ ମୋରମ୍ କରାଯାଇଥିଲା | ଫଳରେ କେନାଲ ବନ୍ଧ ନିକଟରେ ଥିବା ହାଟଡିହି ବ୍ଲକ୍‌ର ବିରଞ୍ଚିପୁର, ମରୈଗାଁ, ହାଟଡିହି, ପନ୍ଦାଡ଼ୋ, ନାହା ପଡୋଶୀ ବନ୍ତ ବ୍ଲକର ନିଳୋକ, ଟିଲୋ, ସେଣ୍ଡ୍‌ତୀରା, ପଧାନପଡ଼ା, ରାମଚନ୍ଦ୍ରପୁର, ବନ୍ତ, ବସନ୍ତିଆ, ଗୋବିନ୍ଦପୁର, ଓଡଙ୍ଗ, ଛୟାଳସିଂ, ରାମପୁର, ରାମକୃଷ୍ଣପୁର, କେନ୍ଦୁଆପଦା ଆଦି ପଞ୍ଚାୟତର ବହୁ ଗ୍ରାମର ଲୋକେ ବ୍ୟବହାର କରିଥାନ୍ତି। ସେହିପରି କେନାଲ ପାର୍ଶ୍ଵରେ ଥିବା ଜମିରେ ଚାଷ କାର୍ଯ୍ୟ ନିମନ୍ତେ ଚାଷୀମାନଙ୍କ ଟ୍ରଲି ଓ ଟ୍ରାକ୍ଟର ଯାତାୟତ କରିଥାଏ | ରାସ୍ତାର ନିମ୍ନମାନର କାର୍ଯ୍ୟ ଯୋଗୁଁ ନିର୍ମାଣର ଅଳ୍ପଦିନ ମଧ୍ୟରେ ରାସ୍ତାଟି ନଷ୍ଟ ହୋଇଯାଇଥିଲା। ଜରାଜୀର୍ଣ୍ଣ ଉକ୍ତ କେନାଲ ବନ୍ଧର ଶୂନ୍ କି.ମି ଠାରୁ ୨୧.୯ କି.ମି ସାନକଣ୍ଟାପଡା ମାଇନର୍ ପର୍ଯ୍ୟନ୍ତ ମରାମତି ନିମନ୍ତେ ଜଳସେଚନ ବିଭାଗ ପକ୍ଷରୁ ୨୦୨୨- ୨୩ ଆର୍ଥିକ ବର୍ଷରେ ୫କୋଟି ୬୦ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା | ସେହିବର୍ଷ ରାସ୍ତା ମରାମତି ପାଇଁ ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇଥିଲା। ଠିକାଦାର ନିର୍ଦ୍ଦିଷ୍ଟ ସମୟରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭକରି ପ୍ରାୟ ୧୭କି.ମି ପଧାନପଡା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ଶେଷ କରିଥିଲେ। ମାତ୍ର ନିର୍ମାଣ କାର୍ଯ୍ୟ ନିମ୍ନମାନର ଥିବା ଯୋଗୁଁ ଅଳ୍ପଦିନ ମଧ୍ୟରେ ନଷ୍ଟ ହୋଇଯାଇଥିଲା । ଏବେ କେନାଲ ବନ୍ଧ ରାସ୍ତା ଅତ୍ୟନ୍ତ ଜରାଜୀର୍ଣ୍ଣ ହୋଇ ପଡିଛି। ଫଳରେ ରାସ୍ତାରେ ଯାତାୟତ ପାଇଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସମୟରେ ଏ ବିଷୟ ଗଣମାଧ୍ୟମରେ ପ୍ରକାଶ ପାଉଥିବା ବେଳେ ନଷ୍ଟ ହୋଇଯାଇଥିବା ରାସ୍ତାର ମରାମତି ହେଉନି। ତୁରନ୍ତ ଏହି ରାସ୍ତାକୁ ମରାମତି କରି ନିର୍ମାଣ କାର୍ଯ୍ୟ ଶେଷ କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ