ଜିଲ୍ଲା ପରିଷଦ ବୈଠକରେ ହଟଗୋଳ,ପରିଷଦ ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷଙ୍କ ବୈଠକ ବର୍ଜନ ଓ ଧାରଣା

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ପରିଷଦ ର ସପ୍ତମ ସାଧାରଣ ବୈଠକ ଅଧ୍ୟକ୍ଷ ମୋତିରାମ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇଥିବାବେଳେ ରାଜ୍ୟସଭା ସାଂସଦ ମୁଯିବୁଲ୍ଲା ଖାନ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲ୍ଳାପାଳ ଡ଼ ଶୁଭଙ୍କର ମହାପାତ୍ର, ଉପାଧ୍ୟକ୍ଷ ଲିପିକା ବାରୋଇ ,ଡାବୁ ଗାଁ ବିଧାୟକ ପ୍ରତିନିଧି ବଦ୍ରି ସିଂ, ନବରଙ୍ଗପୁର ସାଂସଦ ପ୍ରତିନିଧି ଜଗଦୀଶ ବିଶୋଇ, ଝରି ଗାଁ ବିଧାୟକ ପ୍ରତିନିଧି ମୃତ୍ୟଞ୍ଜୟ ମହାରଣା, ଜିଲ୍ଲା ପରିଷଦ ସିଡ଼ିଓ ବିରଞ୍ଚି ନାରାୟଣ ଦରଵାନଙ୍କ ସମେତ ସମସ୍ତ ଵିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ମାନେ ଯୋଗଦେଇ ନିଜ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ଅଭିଯୋଗ ଏବଂ ଦାବି ଉପସ୍ଥାପନ କରିଥିଲେ । ବୈଠକରେ ପାପଡାହାଣ୍ଡି ଯୋନ ସଭ୍ୟ ଡ଼ ଲିପିକା ମାଝୀ ଲ୍ୟାମ୍ପସ ରୁ ତଥ୍ୟ ମାଗିଲେ ଦିଆଯାଉନାହିଁ କହିବା ସହ ଚାଷୀଙ୍କ ନାଁ ରେ ମିଥ୍ୟା ପଞ୍ଜିକରଣ କରି ଧାନ ବିକ୍ରି କରିବାରେ ଲ୍ୟାମ୍ପ ଏମଡ଼ି ଏବଂ ମିଲର ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଛି ବୋଲି ଅଭିଯୋଗ କରିଥିଲେ।ସେପରି ତେନ୍ତୁଲିଖୁଣ୍ଟି ଯୋନ ସଭ୍ୟ ରତିକାନ୍ତ ପଣ୍ଡା ଚାଷୀଙ୍କ ପଞ୍ଜିକରଣ ଲିଷ୍ଟ ମାଗିବା ସହ ମାଣ୍ଡିଆ ଯୋଗାଣରେ ଦୁର୍ନୀତି କରାଯାଇ ଅର୍ଥ ହଡପ କରାଯାଉଥିବା ଅଭିଯୋଗ କରିଥିଲେ। ସରକାର ଦଶ କିଲୋ ମାଣ୍ଡିଆ ଦେବାକୁ ନିର୍ଦ୍ଦେଶ ଥିବାବେଳେ ହିତାଧିକାରୀଙ୍କୁ ପାଞ୍ଚ ରୁ ଛଅ କିଲୋ ମାଣ୍ଡିଆ ଦେଇ ଦଶ କିଲୋ ର ବିଲ କରାଯାଇଥିବା ଅଭିଯୋଗ କରିଥିଲେ।ସେପରି ପୂର୍ବ ବୈଠକ ଗୁଡିକର ଅଭିଯୋଗ ବିଷୟରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ସଭ୍ୟ ରତିକାନ୍ତ କହିବା ସହ ବିଭାଗୀୟ ଅଧିକାରୀ ମାନଙ୍କୁ କୌଣସି ତଥ୍ୟ ମାଗିଲେ ଦିଆଯାଉନାହିଁ କହି ଏହି ବୈଠକରେ ବସି ଲାଭ କଣ କହି ବୈଠକ ବର୍ଜନ କରିଥିଲେ। ତାଙ୍କ ସହ ନନ୍ଦାହାଣ୍ଡି ଯୋନ ସଭ୍ୟ ଅରୁଣ ମିଶ୍ର ମଧ୍ୟ ସମ ଅଭିଯୋଗ କରି ବୈଠକ ବର୍ଜନ କରିଥିଲେ।ଜିଲ୍ଲା ପରିଷଦ ସଭ୍ୟ ଙ୍କ ବିଭିନ୍ନ ପ୍ରଶ୍ନ କୁ ବିଭାଗୀୟ ଅଧିକାରୀ ମାନେ ଅଣଦେଖା କରି ଉତ୍ତର ନ ଦେବା ସହ ଗତ ଜିଲ୍ଲା ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡେଇ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଙ୍କୁ ଅଣଦେଖା କରି ତାଙ୍କ ନାମକୁ ଅତିଥି ତାଲିକାରୁ କାଟି ଦେଇଥିବା ନେଇ ପ୍ରତିବାଦ କରି ଉତର ମାଗିଥିଲେ ସମସ୍ତ ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ ।ଶେଷରେ ସମସ୍ତ ସଭ୍ୟ ଏବଂ ଅଧ୍ୟକ୍ଷମାନେ ବୈଠକରୁ ବାହାରି ଜିଲ୍ଲା ପରିଷଦ ଗୃହ ଆଗରେ ଧାରଣା ଦେଇଥିଲେ। ଏହାପରେ ଅଧ୍ୟକ୍ଷ ମୋତିରାମ ନାୟକ ଜିଲ୍ଳାପାଳ ଏବଂ ଉପାଧ୍ୟକ୍ଷ ବାହାରକୁ ଆସି ସମସ୍ତଙ୍କୁ ବୁଝାସୁଝା କରିଥିଲେ। ଜିଲ୍ଲାପାଳ ସମସ୍ତ ଅଭିଯୋଗ ର ତଦନ୍ତ ହବ ଏବଂ ତଥ୍ୟ ଦିଆଯିବା ସହ ଦୁର୍ନୀତିର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ କହିବା ପରେ ପୁନର୍ବାର ଗୃହକୁ ଫେରିଥିଲେ ସମସ୍ତ ସଭ୍ୟ ଏବଂ ବ୍ଲକ ଅଧ୍ୟକ୍ଷ । ଏହାପରେ ଆଇଟିଡ଼ିଏ ବିଭାଗରେ ମଧ୍ୟ ମିଥ୍ୟା ବିଲ ଏବଂ ନିନ୍ମମାନର କାମ କରାଯାଉଥିବା ଲିପିକା ମାଝୀ ଅଭିଯୋଗ କରିଥିଲେ। ବିଭାଗର କାମ ନିକଟରେ କୌଣସି ଫଳକ ଲଗାଯାଉ ନଥିବା ଅଭିଯୋଗ ହୋଇଥିଲା। କୋଷାଗୁମୁଡ଼ା ବ୍ଲକ ରେ ମାଝୀସାହି ବୋଲି କୌଣସି ଗାଁ ଅଛି କି ବୋଲି ପିଏ ଆଇଟିଡ଼ିଏ ଙ୍କୁ ପଚାରି ସେହି ଗାଁରେ ମିଥ୍ୟା ବିଲ କରାଯାଇଛି ବୋଲି କହିଛନ୍ତି ଲିପିକା ମାଝୀ। ସେଭଳି ମୋତିଗାଁ ପଞ୍ଚାୟତ ରେ ମଧ୍ୟ ନିନ୍ମମାନର କଂକ୍ରିଟ ରାସ୍ତା କରାଯାଇଛି ଏବଂ ହାଟ ପିଣ୍ଡି ଗୁଡିକ ମଧ୍ୟ ନିନ୍ମମାନର କରାଯାଇ ଟଙ୍କା ହଡପ କରାଯାଇଥିବା ଅଭିଯୋଗ କରିଥିଲେ ଲିପିକା। ଲିପିକା ଙ୍କ ଏହି ହାଟ ପିଣ୍ଡି ଦୁର୍ନୀତି କୁ ନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ସମ ଅଭିଯୋଗ କରି ଏହାର ତଦନ୍ତ କରିବା ସହ ଆଗକୁ ଯେଉଁ ହାଟ ପିଣ୍ଡି ନିର୍ମାଣ କରାଯିବ ସେଥିରେ କୌଣସି ତ୍ରୁଟି ରହିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଥିଲେ। ବୈଠକରେ ନନ୍ଦାହାଣ୍ଡି ଯୋନ ସଭ୍ୟ ଅରୁଣ ମିଶ୍ର ଖେଳ ସାମଗ୍ରୀ କିଣାରେ ଦୁର୍ନୀତି ହୋଇଥିବା କହିବା ସହ ଏହା କିପରି ଏବଂ କେଉଁ ପ୍ରକାରେ କିଣା ଯାଇଛି ଏବଂ ବ୍ଲକ ଅଧ୍ୟକ୍ଷ ଙ୍କ ଅଜାଣତରେ କିପରି ବିଲ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ। ପ୍ରତି ପଂଚାୟତ କୁ ଦୁଇଲକ୍ଷ ପଚାଶହଜାର ଟଙ୍କା ଆସିଥିବାବେଳେ ଏଯାଏଁ କୌଣସି ପଞ୍ଚାୟତ କୁ ଏହି ସାମଗ୍ରୀ ପହଞ୍ଚି ନଥିବା କହିଛନ୍ତି ସେ। ଏହାର ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଅତିରିକ୍ତ ସିଡ଼ିଓଙ୍କ ଅଧ୍ୟକ୍ଷତାରେ ଏକ କମିଟି କରି ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି । ବୈଠକରେ ବିଶେଷତଃ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ରେ ବିଭିନ୍ନ ସମସ୍ୟା ନେଇ ସଦସ୍ୟ ମାନେ ଉଦବେଗ ପ୍ରକାଶ କରିଥିଲେ। ଏହା ସହିତ ଡାକ୍ତରଖାନା ରେ କାର୍ଯ୍ୟରତ ୩୭ ଜଣ କର୍ମଚାରୀ ଙ୍କୁ ଛଟେଇ କୁ ନେଇ ମଧ୍ୟ ହଟଗୋଳ ହୋଇଥିଲା।ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମସ୍ତ ସମସ୍ୟା ର ସମାଧାନ କରାଯିବା ନେଇ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଜିଲ୍ଲା ର ପପଡାହାଣ୍ଡି ରେ ଥିବା ଶହୀଦ ସ୍ମୃତି ପୀଠ ର ବିକାଶ ପାଇଁ ରାଜ୍ୟ ସରକାର ୬ କୋଟି ଟଙ୍କା ଅନୁଦାନ ମଂଜୁର କରିଥିବା ନେଇ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଥିଲେ।ଆଜିର ଏହି ବୈଠକ ରେ ଜିଲ୍ଲା ର ସମସ୍ତ ୨୩ ଟି ବିଭାଗ ର ଯୋଜନା ଓ ପ୍ରକଳ୍ପ ଗୁଡିକର ସମୀକ୍ଷା କରିବା ପାଇଁ ବୈଠକ କରାଯାଇଥିଲା କିନ୍ତୁ ଏହା କରାଯାଇପାରିଲା ନାହିଁ ।ମଧ୍ୟାନ ଭୋଜନ ବିରତି ପରେ ବୈଠକ ବନ୍ଦ ହୋଇଯାଇଥିବାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ସମୀକ୍ଷା ହୋଇନପାରି ରହିଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ