ସ୍କୁଲ ସାମ୍ନା ଡ୍ରେନରୁ ବାହାରୁଛି ପଚା ଦୁର୍ଗନ୍ଧ ଅସହ୍ୟ ଛାତ୍ରଛାତ୍ରୀ ଓ ସାଧାରଣ ଜନତା

ବେତନଟୀ, (ଉଦିତ କୁମାର ପରିଡା): ବେତନଟୀସ୍ଥିତ ଚଣ୍ଡୀଛକରୁ ବଙ୍ଗଳାଛକ ପର୍ଯ୍ୟନ୍ତ ରହିଥିବା ଡ୍ରେନରୁ ବାହାରୁଥିବା ପଚା ଦୁର୍ଗନ୍ଧ ଯୋଗୁଁ ସ୍କୁଲ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ସୂଚନା ଅନୁସାରେ ବେତନଟୀ ଚଣ୍ଡୀଛକରୁ ଏକ ଡ୍ରେନ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଓ ବହୁ ପୁରାତନ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଦେଇ ବଙ୍ଗଳାଛକ ପର୍ଯ୍ୟନ୍ତ ରହିଛି। ହେଲେ ଅତି ଦୁଃଖର କଥା ବହୁ ଦିନରୁ ଏକ ଜୈନିକ ମିଠା ଦୋକାନୀ ପ୍ରତିଦିନ ସେହି ଡ୍ରେନ ଦେଇ ମିଠା ତିଆରି ଛେନା ପାଣି ଓ ଏକ କୁକୁଡ଼ା ମାଂସ କଟା ପଚା ପାଣି ଛାଡିବା ଦ୍ୱାରା ସେହି ପାଣିଟି ଡ୍ରେନରେ ଜମା ହୋଇ ପଚି ପଚି ପଚାଶଢାରେ ପରିଣତ ହୋଇ ସେଥିରେ ପୋକ ସାଲୁବାଲୁ ହେଲେଣି। ଫଳରେ ସେହି ପଚା ପାଣି ଯୋଗୁଁ ଡ୍ରେନରୁ ଅତି କଦର୍ଯ୍ୟ ଦୁର୍ଗନ୍ଧ ନିର୍ଗତ ହେଉଛି। ଯାହା ଦ୍ୱାରା ଡ୍ରେନ ଆଖପାଖରେ ଥିବା ଶତାଧିକ ଦୋକାନୀ, ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ଆସୁଥିବା ଶହ ଶହ ଶିକ୍ଷକ ଶିକ୍ଷୟତ୍ରୀ, ଏମ ପି ସି ହାଇସ୍କୁଲର ପାଠ ପଢ଼ୁଥିବା ଛାତ୍ରଛାତ୍ରୀ, ସେହି ରାସ୍ତା ଦେଇ ପ୍ରତିଦିନ ଯିବା ଆସିବା କରୁଥିବା ହଜାର ହଜାର ଯାତ୍ରୀ ସମସ୍ତେ ସେହି ଦୁର୍ଗନ୍ଧ ପାଇଁ ଅତିଷ୍ଠ ହୋଇସାରିଲେଣି। ଏହି ଦୁର୍ଗନ୍ଧ ଏତେ ଚରମ ସୀମାରେ ପହଁଚିଲାଣି ଯେ ସ୍କୁଲରେ ବସି ପାଠ ପଢିବା ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ଭବପର ହେଉନାହିଁ। ଏହି ଦୁର୍ଗନ୍ଧ ଦ୍ୱାରା ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ଯଦି କୌଣସି ରୋଗରେ ପଡନ୍ତି ତାହେଲେ କିଏ ଦାୟୀ ରହିବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଦୁର୍ଗନ୍ଧ ବହୁ ଦିନରୁ ବାହାରୁଥିବା ହେତୁ ଛେନା ପାଣି ଡ୍ରେନକୁ ଛାଡୁଥିବା ମିଠା ଦୋକାନ ଓ କୁକୁଡ଼ା ଦୋକାନ ବିରୋଧରେ ଏମ ପି ସି ହାଇସ୍କୁଲ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ତରଫରୁ ବେତନଟୀ ଥାନାରେ ଅଭିଯୋଗ ମଧ୍ୟ ହୋଇଛି ହେଲେ ତାର କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନାହିଁ। ସେହିପରି ଏନେଇ ବେତନଟୀ ପଞ୍ଚାୟତକୁ ଅଭିଯୋଗ ପରେ ପଞ୍ଚାୟତ ପକ୍ଷରୁ ସେହି ମିଠା ଦୋକାନୀକୁ ନୋଟିସ କରାଯାଇଥିଲା, ନୋଟିସ ନମାନିଲେ ଥାନାରେ ଏତଲା ଦିଆଯିବ ବୋଲି କୁହାଯାଇଥିଲା ଏହାପରେ କାର୍ଯ୍ୟାନୁଷ୍ଠାନ ହୋଇନଥିବା ସୂଚନା ରହିଛି। ଏଣୁ ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ ଏହି ସମସ୍ୟାର ସମାଧାନ ଯଦି ଯଥା ଶୀଘ୍ର ନକରାଯାଏ ତେବେ ସାଧାରଣ ଜନତା ଓ ଛାତ୍ର ଛାତ୍ରୀମାନେ ରାସ୍ତାକୁ ଓଲ୍ହାଇ ସେହି ଜୈନିକ ମିଠା ଦୋକାନ ବିରୋଧରେ ବିରୋଧ ପ୍ରଦର୍ଶନ କରାଯିବା ନେଇ ସୂଚାଇ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ