ମତାମତ

ଶିବ୍ରାଙ୍କର ଲେଖାଟିଏ କୋଉଠି ପ୍ରକାଶ ପାଏ ତ ଅନେକ ମତାମତ ପରିପ୍ରକାଶ ପାଏ . ନକାରାତ୍ମକ ମତାମତ ଶିକ୍ଷା ଦିଏ ଆଉ ସକାରାତ୍ମକ ମତାମତ ଦିଏ ଖୁସି. ସେମିତି ସକାରାତ୍ମକ ମତାମତଟିଏ ଭାରି ନିଜର ନିଜର ଲାଗିଲା ତ ମନ କହୁଥିଲା କେହି ଚିହ୍ନା ଜଣା କି? ହେଲେ ଚିହ୍ନା ଜଣା ଲେଖାଟିକୁ ପଢି ଶିଖନ୍ତି, ଶିଖାନ୍ତି, ସମୀକ୍ଷା କରନ୍ତି ହେଲେ କେବେ ସୁନ୍ଦର ମତାମତଟିଏ ଦେଇନଥାନ୍ତି. ସେଥିପାଇଁ ଜେସାକୁ ତେସା ନୀତିରେ କେତେକଙ୍କୁ ବ୍ଲକ କରିବାକୁ କୁଣ୍ଠାବୋଧ ଲାଗୁଥିଲା ବେଳେ କେହି କେହି ସହୃଦୟ ପୁଣି ସାଙ୍ଗ ହେବାକୁ ଅନୁରୋଧ ପଠାନ୍ତି ବ୍ଲକ ହୋଇସାରିଲା ପରେ.ସାମାଜିକ ଗଣମାଧ୍ୟମ ଆପ ଗୁଡିକରେ ସକାରାତ୍ମକ ମତାମତ ଭାରି ଖୁସି ଲାଗେ. ଜୀବନର ଅନେକ ଖୁସି ଗୁଡିକ ଭିତରୁ ଏମିତି କିଛି ଖୁସି ସାଉଣ୍ଟ ସାଉଣ୍ଟୁ ଜୀବନ ଲାଗେ ମତାଣିଆ ଶିବ୍ରାଙ୍କୁ. ସକାଳୁ ସକାଳୁ ଝିଅଟିଏର ଫଟୋ ଦେଖାଇ ଶିବ୍ରା ସୁମିତଙ୍କୁ କହୁଥିଲେ ଦେଖିଲ ଦେଖିଲ ଏ ଝିଅଟିକୁ ଚିହ୍ନିଛ କି? ଫଟୋକୁ ନିରୀକ୍ଷଣ କରି ସୁମିତ କହୁଥିଲେ ହେଇଥିବ କେହି ଛାତ୍ରୀ ମୋର ବା ତୁମର. କାହିଁ କଣ ହେଲାକି? ନା ମ ଖୁବ ସୁନ୍ଦର ମତାମତ ଦେଇ ଲାଗୁଛନ୍ତି ଭାରି ନିଜର. ନାମ ଅସ୍ମିତା ବେହେରା ଆପଣାପଣରେ ନିଜ ସମ୍ପର୍କ ଭିତରର ଲାଗିଲେ . ସୁମିତ କହୁଥିଲେ ସେଇ ସମ୍ପର୍କ ପାଇଁ ତ ମଣିଷ ବଞ୍ଚିଛି ଏ ଦୁନିଆଁରେ. ସମ୍ପର୍କ ରକ୍ତର ହେଉ ବା ସମ୍ପର୍କର ହେଉ ନିଶ୍ଚିନ୍ତ ଖୁବ ଶକ୍ତିଶାଳୀ. ଖୁସିରେ ଶିବ୍ରାଙ୍କର ପାଦ ପଡୁଥିଲା ପାଞ୍ଚ ହାତରେ.
ସେମିତି ସେଦିନ ହଠାତ ଫୋନଟିଏ ପାଇଲେ ଶିବ୍ରା ଏକ ଅଜଣା କଲରୁ.କେହି ଜଣେ ପଚାରୁଥିଲେ ଆପଣ ଶିବ୍ରା ଦାସ?ହଁ ଆଜ୍ଞା. ତ ସେପଟୁ ଭଦ୍ରବ୍ୟକ୍ତି କହୁଥିଲେ ପୁରୀ ଲବଣିଖିଆ ଛକ ପାଖାପାଖି ପାନ ଦୋକାନରୁ ପାନ କିଣିବା ପରେ ପକେଟରେ ରଖିଥିଲି ଖାଇବା ପାଇଁ ଖାଇସାରି ଖାଇବି ବୋଲି ତ ଘରକୁ ଫେରି ଖାଇସାରିବା ପରେ ପାନଖିଲ ଖାଇବାକୁ କାଢେ ତ ପାନଖିଲ ଖାଇସାରି ପାନ ଗୁଡ଼ିଆ କାଗଜଟିକୁ ଦେଖି ଚମକି ପଡିଲି. ତାହା ଏକ ରିସିଟି ଥିଲା. ଯୋଉଥିରେ ଆପଣଙ୍କ ନାମ ଓ ଫୋନ ନମ୍ବର ସହିତ ଏକ ତାରିଖ ଅଛି ଯାହା ଏହି ନିକଟ ଭବିଷ୍ୟତରେ ପଡିବ. ବହୁତ ଧନ୍ୟବାଦ ଆଜ୍ଞା. ରିସିଟିଟିକୁ ଖୋଜି ଖୋଜି ନାକେଦମ ହେଲିଣି. ରିସିଟ ନପାଇ ଥିଲେ ପାଟ ଦୁଇଖଣ୍ଡ ଡ୍ରାଏ ୱାଶ ଦୋକାନରୁ ଆଣିପାରିନଥାନ୍ତି ସହଜେ କହୁଥିଲେ ଶିବ୍ରା . ଆଛା ରିସିଟଟି କେମିତି ପାଇବି କୁହନ୍ତୁତ, ପଚାରିଥିଲେ ଶିବ୍ରା ତ ଭଦ୍ରବ୍ୟକ୍ତି କହିଥିଲେ ଫୋନ ନମ୍ବର ଦିଅନ୍ତୁ ମୁଁ ହ୍ୱାଟ୍ସଆପରେ ପଠାଇ ଦେଲେ ଆପଣ ଜେରକ୍ସ ଦୋକାନରୁ କପି କାଢିନେବେ. ଉତ୍ସାହିତ ହୋଇ ଶିବ୍ରା ଦେଇଦେଲେ ନମ୍ବର ଓ ଅଚିହ୍ନା ଭଦ୍ରବ୍ୟକ୍ତିଙ୍କ ସହିତ ସମ୍ପର୍କ ଯୋଡି ହୋଇଗଲା ସବୁଦିନ ପାଇଁ. ହ୍ୱାଟ୍ସଆପରେ ଉଠୁ ଉଠୁ ମର୍ଣ୍ଣିଙ୍ଗ ମେସେଜ ତ କ୍ରମେ ଫେସବୁକ ଆକାଉଣ୍ଟ ଖୋଜି ଶିବ୍ରାଙ୍କର ପ୍ରତିଟି ପୋଷ୍ଟରେ ସୁନ୍ଦର ସୁନ୍ଦର ମତାମତ.ଆଉ କେବେ କେବେ ମେସେଜରେ ଅଳ୍ପ କଥାବାର୍ତ୍ତା ଭିତରେ ଭାରି ଆପଣାର ଲାଗିଲେ ଭଦ୍ରବ୍ୟକ୍ତି ମୋହନ ମହାନ୍ତି.
ସୁଖ ପରେ ଦୁଃଖ ଓ ଦୁଃଖ ପରେ ସୁଖ ହିଁ ତ ଜୀବନର ଦୁଇ ପାର୍ଶ୍ୱ.ସେଦିନ ଶାଶୁ ଚାଲିଗଲେ ଶିବ୍ରାଙ୍କର . ସବା ସାନବୋହୁ ହିସାବରେ ଖୁବ ସ୍ନେହ କରୁଥିଲେ ତ ଗୋଟେ ଅଙ୍ଗ ଛିଡ଼ିଗଲା ପରି ଲାଗିଲା ଶିବ୍ରାଙ୍କୁ . ମଣିଷ ବଞ୍ଚିଥିବା ପର୍ଯ୍ୟନ୍ତ ତାର ଶତ୍ରୁ ସହ ମିତ୍ର ତ ନିଶ୍ଚୟ ରହିବେ କିନ୍ତୁ ମରିଗଲା ପରେ ଯେଉଁ ସବୁ ମତାମତ ପ୍ରକାଶ ପାଏ ତାହାହିଁ ବୋଧହୁଏ ଜଣଙ୍କ ବିଷୟରେ ନିଚ୍ଛକ ସତ. କିଏ କହୁଥିଲା ଦୟାଶୀଳା ତ କିଏ କହୁଥିଲା ଦୁଃଖୀ ଦରିଦ୍ର ଓ ଅତିଥି ଅଭ୍ୟାଗତଙ୍କର ପେଟ ଚିହ୍ନୁଥିଲେ ମାଆ. ପୁଣି କିଏ କହୁଥିଲା କୁକୁର ବିଲେଇ, ଚଢେଇଙ୍କର ପେଟ ଚିହ୍ନିବା ମଣିଷ ଥିଲେ ବୁଢ଼ୀମାଆ ତ କିଏ କହୁଥିଲା ଗୋ ସେଵା କରିବାରେ ବୁଢ଼ୀମାଆଙ୍କୁ କେହି ସରି ହେବେ ନାହିଁ. ଏତେ ସବୁ ମତାମତ ଭିତରେ ସ୍ୱାମୀ ତାଳିକା ପ୍ରସ୍ତୁତ କରୁଥିଲେ. ବସିଗଲେ ଶିବ୍ରା ସ୍ୱାମୀଙ୍କ ପାଖରେ କହିଲେ ମୋର ଦୁଇଜଣ ମୁଖ୍ୟ ଅତିଥି ଆସିବେ ତାଙ୍କ ନାମ ଲେଖିରଖ.ତାଙ୍କୁ କାର୍ଡ କେମିତି ଦେବ? ଆଜିକାଲି ଯୁଗରେ କାର୍ଡ କେମିତି ଦିଆଯିବ ପଚାରିବନି. ସ୍ୱାମୀ ଶିବ୍ରାଙ୍କ ମୁଁହକୁ କଲବଲ କରି ଚାହିଁଥିଲେ ତ ଶିବ୍ରା ଦୁଃଖ ଭିତରେ ସୁଖ ଟୋପେ ଘାଣ୍ଟି ସମ୍ପର୍କ ସୁଦୃଢ କରିବାକୁ ବସିଥିଲେ.
ସଂସ୍କୃତି ପରମ୍ପରା ସବୁ ଯାହା ରହିଛି ବେଳେ ବେଳେ କିଛି ଲାଗେ ସୁସ୍ଥ ତ କିଛି ଲାଗେ ଦୁସ୍ଥ. ମତାମତ ମଧ୍ୟ ସବୁବେଳେ ଗ୍ରହଣୀୟ ନୁହେଁ. ବାହାଘର,ବ୍ରତଘର, ଜନ୍ମଦିନ, ବିବାହବାର୍ଷିକୀ ଇତ୍ୟାଦି ପାରିବାରିକ ବା ସାମାଜିକ ଉତ୍ସବରେ ଖୁବ ଖାଇବା ପିଇବା ସହ ନଷ୍ଟ ହୁଏ ବହୁତ. ସେମିତି ଶିବ୍ରା ଶାଶୁଙ୍କ ଶୁଦ୍ଧି ଘର କ୍ରିୟା କର୍ମରେ ମଧ୍ୟ ବହୁତ ଖାଦ୍ୟ ବଳି ପଡୁଥାଏ. ସବୁ ପୁଅ,ବୋହୁ, ଝିଅ, ଜୋଇଁ ଓ ସେମାନଙ୍କର ସାଙ୍ଗସୁଖ, ପ୍ରୀତି ବନ୍ଧୁ, ସମ୍ପର୍କ ବନ୍ଧୁ ଭିତରେ ଶିବ୍ରାଙ୍କ ଦୁଇ ଅଚିହ୍ନା ବନ୍ଧୁ ହେଲେ ବି ହୃଦୟରେ ମେଞ୍ଚାଏ ଆନ୍ତରିକତା ଭରି ଆସିଥିଲେ ଅସ୍ମିତା ଦେବୀ ଓ ମୋହନ ବାବୁ.କୌଣସି ନକାରାତ୍ମକ ମନ୍ତବ୍ୟକୁ ଭ୍ରୁକ୍ଷେପ ନକରି ସେ ଦୁହେଁ ପ୍ରମାଣ କରିଥିଲେ ମଣିଷ ହିଁ ମଣିଷର ବଡ଼ ବନ୍ଧୁ.ଆଉ କେହି କେହି କେତେ ପ୍ରକାର ମତାମତ ଦେଲାବେଳେ ସେମାନେ ବିନା ଦ୍ଵିଧାରେ ମହାପ୍ରସାଦ ସେବନ ସହିତ ଅଳ୍ପ ବହୁତ ଚିନ୍ତା ନକରି କୈବଲ୍ୟ ପ୍ରସାଦ ନେବାକୁ ମଧ୍ୟ କୁଣ୍ଠାବୋଧ କରିନଥିବା ଦେଖି ଆତ୍ମାରେ ଦିବ୍ୟ ଫୁଲ ଫୁଟି ଉଠୁଥାଏ ଶିବ୍ରାଙ୍କର. ସାହିତ୍ୟରେ ରୁଚି ରହିଥିବାରୁ ଗାଁ ପାଖ ଆଶ୍ରମରେ କବିତା ଆସର ଟିଏ କରିବା ଯୋଜନାକୁ କେହି ମନା କରିନଥିଲେ. ବୋଉ ବୋଲି ଶୀର୍ଷକ ରକ୍ଷାଯାଇଥିଲେ ମଧ୍ୟ କେହି କେହି ଭଜନ ଆକାରରେ ସରସ୍ବତୀଙ୍କ ଉପରେ, ଶିବଙ୍କ ଉପରେ ତଥା ଐଶ୍ବର୍ଗୀକ ତଥ୍ୟ ଭିତ୍ତିକ ଭକ୍ତି ଓ ଭାବ ପୂର୍ଣ୍ଣ କବିତା ଗାନ କରିବାକୁ ଭୁଲି ନଥିଲେ.ସେ ଭିତରେ ଶିବ୍ରାଙ୍କ ଦୁଇ ସମ୍ପର୍କୀୟ ବାନ୍ଧବୀ ଓ ବନ୍ଧୁ ଯଥାକ୍ରମେ ଅସ୍ମିତା ବେହେରା ଓ ମୋହନ ମହାନ୍ତି ମଧ୍ୟ ଉପସ୍ଥିତ ରହି ସୁନ୍ଦର ପରିଚାଳନା କରୁଥିଲେ.
ବାରପତ୍ର ଦିନ ମଧ୍ୟାହ୍ନରେ କବିତା ଆସର ସରିବା ଭିତରେ ଜଣେ ମଧ୍ୟମ ବୟସର ନିମନ୍ତ୍ରିତ ପୁରୁଷ ବ୍ୟକ୍ତି କବିତା ବୋଲୁଥିଲେ ସବା ଶେଷରେ. ତାଙ୍କ କବିତାର ଶୀର୍ଷକ ଥିଲା ପିତାମାତା ଓ ବିଷୟ ବସ୍ତୁ ଥିଲା ବାପା ମାଆଙ୍କୁ କେବେବି ଅଣହେଳା କରି ତାଙ୍କ ବାର୍ଦ୍ଧକ୍ୟରେ ତାଙ୍କର ଛୋଟ ଛୋଟ ଭୁଲ ପାଇଁ ତାଙ୍କୁ ଗାଳି ଦେବା ଉଚିତ ନୁହେଁ. ଯେଉଁ ପିତା ମାତା ସମଗ୍ର ଜୀବନ ସନ୍ତାନମାନଙ୍କ ପାଇଁ ଉତ୍ସର୍ଗ କରନ୍ତି,ନିଜର ଆବଶ୍ୟକତା ଅପେକ୍ଷା ପିଲାଙ୍କ ଆବଶ୍ୟକତାକୁ ଅଧିକ ଗୁରୁତ୍ୱ ଦିଅନ୍ତି ସେମାନଙ୍କ ବୃଦ୍ଧାବସ୍ଥା ବେଳେ ତାଙ୍କୁ ମଧ୍ୟ ନିଜ ସନ୍ତାନ ମନେ କରି ଉତ୍ତମ ପରିବେଶ, ଖାଦ୍ୟ, ବସ୍ତ୍ର, ସ୍ୱାସ୍ଥ୍ୟଗତ ସୁବିଧା ସୁଯୋଗ ଯୋଗେଇଦେବା ଆବଶ୍ୟକ. କବିତାଟି ଶୁଣି ସମସ୍ତେ ତାଳି ମାରୁଥିଲେ ଓ ଶିବ୍ରାଙ୍କ ଶାଶୁ ଏ ଦୃଷ୍ଟିରୁ ବହୁ ଭାଗ୍ୟବାନ ବୋଲି ମତାମତ ରଖିଥିଲେ.
ଶେଷରେ ଯେଉଁ ବ୍ୟକ୍ତି କବିତା ପଢିଥିଲେ ତାଙ୍କ ନାମ ସରୋଜ ଦାସ ଥିଲା.କବିତା ଆସର ପରେ ସମସ୍ତେ ଖାଇ ପିଇ ଚାଲିଯାଇଥିଲେ. ସରୋଜଙ୍କୁ ସମସ୍ତେ ତାଙ୍କ କବିତା ଏକ ଶିକ୍ଷଣୀୟ ବାର୍ତ୍ତା ବହନ କରୁଥିବା କବିତା କହି ପ୍ରସଂଶା କରୁଥିବା ବେଳେ ସେହି ଅନାଥାଶ୍ରମର ଲୋକମାନେ ମଧ୍ୟ ବାରପତ୍ରକୁ ନିମନ୍ତ୍ରିତ ହୋଇ ଖାଇବସିବା ବେଳେ ଜଣେ ବୃଦ୍ଧ ଆଖିରୁ ଲୁହ ଗଡେଇ ଚାଲିଥିଲେ ଖାଇବା ପତ୍ରରେ. ଶିବ୍ରାଙ୍କ ସ୍ୱାମୀ ତାଙ୍କ ପାଖକୁ ଯାଇ ଏହାର କାରଣ ପଚାରିବାରୁ ସେ ଯାହା କହିଥିଲେ ତାହା ଶୁଣି ସମସ୍ତେ ସ୍ତବ୍ଧ ଓ ଚକିତ ହୋଇ ପଡ଼ିଥିଲେ. ବୃଦ୍ଧ କହିଥିଲେ ସେ ତାଙ୍କ ଜୀବନ କାଳ ଭିତରେ ଭଲ ଘର,ଗାଡି, ଜମିବାଡି କରିଥିଲେ ମଧ୍ୟ ସେସବୁକୁ କରଗତ କରିବା ପରେ ପୁଅ ବୋହୁ ତାଙ୍କୁ ହତାଦର କରି ଅନାଥ ଆଶ୍ରମରେ ଛାଡିଯାଇଛନ୍ତି. ସେ ଆଉ କେହି ନୁହେଁ ଆପଣମାନେ ପ୍ରସଂଶା କରୁଥିବା ପିତାମାତା ଶୀର୍ଷକ କବିତାର ଲେଖକ ସରୋଜ ଦାସ. ଏଥର ସରୋଜଙ୍କ ଉପରେ ବହୁ ମତାମତ ପ୍ରକାଶ ପାଇଲା.କିଏ କହିଲା ଛଦ୍ମଵେଶଧାରୀ କୁପୁତ୍ର ତ କିଏ କହିଲା କବିତା ଲେଖି ପ୍ରସଂଶା ସାଉଣ୍ଟିବା ପରିବର୍ତ୍ତେ କର୍ତ୍ତବ୍ୟ କର୍ମ କରି ଉଦାହରଣ ସାଜିବା ଉଚିତ.ସେତେବେଳକୁ ସରୋଜ ନଥିଲେ.ନିମନ୍ତ୍ରିତ ଅସ୍ମିତା ବେହେରା ଦେବୀ କହିଥିଲେ ଆମ ଅଫିସରେ ସରୋଜ ବାବୁ ମୋର ସହକର୍ମୀ ଅଟନ୍ତି. ମୁଁ ତାଙ୍କୁ ବୁଝାଇ ନିଶ୍ଚିନ୍ତ କିଛି ପ୍ରତିକାର କରିବି. ତାଙ୍କ କଥା ଶୁଣି ମୋହନ ବାବୁ କହୁଥିଲେ ସରୋଜ ବାବୁ ମୋ ପାଖେ ଏଲ. ଆଇ. ସି ପଲିସ କରିଛନ୍ତି. ସେ ଯଦି ନବଦଳନ୍ତି ତେବେ ସବୁ ଟଙ୍କା ତାଙ୍କ ବାପା କେମିତି ପାଇପାରିବେ ସେସବୁ କାମ ମୁଁ କରିପାରିବି. ହେଲେ ସମସ୍ତଙ୍କୁ ଚକିତ କରି ସରୋଜଙ୍କ ପିତା କହିଥିଲେ ମୋର ବୟସ ହେଲାଣି. ଶୁଖିଲା ପତ୍ର ପରି କୋଉଦିନ ଝଡି ପଡିବି ମୋର ଆଉ ଟଙ୍କା ପଇସା ବା ମୋ ପ୍ରତି କର୍ତ୍ତବ୍ୟ କର୍ମର ଆବଶ୍ୟକତା ନାହିଁ ବରଂ ଏଠାରେ ଥିବା ସମସ୍ତ ବ୍ୟକ୍ତି ବିଶେଷମାନଙ୍କୁ ଏତିକି ଅନୁରୋଧ କରିବି କି କେହି ତାଙ୍କ ବୃଦ୍ଧ ପିତା ମାତାଙ୍କୁ ଅଣହେଳା କରିବେ ନାହିଁ. ଶକ୍ତି ସାମର୍ଥ୍ୟ ଭିତରେ ସେମାନଙ୍କୁ ସାହାରା ହୋଇ ତାଙ୍କ ଶେଷ ଜୀବନରେ ସହାୟ ହୋଇ ନିଜେ ଆଦର୍ଶ ହେବା ସହ ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବେ.
ଆଜି ଶିବ୍ରାଦେବୀଙ୍କ ପରିବାର ଏକ ଉଦାହରଣ. ମାଆଙ୍କୁ ଜୀବନ କାଳ ମଧ୍ୟରେ କେବେ ବି ଦୁଃଖ ନଦେଇ ପୁଣି ପରମ୍ପରା ଅନୁଯାଇ କର୍ତ୍ତବ୍ୟ କର୍ମ କରି ଖାଦ୍ୟର ସୁଷମ ବଣ୍ଟନ କରିବା ସହ, ଅନାଥାଶ୍ରମର ଅନ୍ତେବାସୀ ବୃଦ୍ଧ ବୃଦ୍ଧାଙ୍କୁ ପାରିବାରିକ ସୁଖ, ସ୍ନେହ, ଶ୍ରଦ୍ଧା ଯୋଗେଇଦେଇଥିବାରୁ ତାଙ୍କୁ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ବହୁତ ସାଧୁବାଦ ଓ ଅଭିନନ୍ଦନ.ଏମିତି ମତାମତ ସହ ସମସ୍ତେ ସାଧୁ ସାଧୁ କହୁଥିବା ବେଳେ ସରୋଜ ବାବୁଙ୍କୁ ନେଇ ପହଞ୍ଚିଥିଲେ ଅସ୍ମିତା ବେହେରା ଓ ମୋହନ ମହାନ୍ତି. ସରୋଜ ବାବୁ ପିତାଙ୍କୁ ଭୁଲମାଗି ଘରକୁ ଫେରେଇ ନେବାକୁ ଅନୁରୋଧ କରି କ୍ଷମା ମାଗିବାକୁ ଯାଇ ଦେଖିଲେ ଅବଢ଼ା ମହାପ୍ରସାଦ ପତ୍ରରେ ହିଁ ବୃଦ୍ଧ ଟଳିପଡିଛନ୍ତି.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ