ଦିଗପହଣ୍ଡିରେ କାଳବୈଶାଖୀ ତାଣ୍ଡବ ;ଉଡ଼ିଲା ଟିଣ ଛପର
ଦିଗପହଣ୍ଡି (ଅଳକ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଶୁକ୍ରବାର ଅପରାହ୍ନ ରେ କାଳବୈଶାଖୀ ତାର ଭୀମ ତାଣ୍ଡବ ରଚିଥିବା ଜଣାପଡିଛି । ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବିରାଟ ଗଛ,ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା ସହ କିଛି ପରିବାର ଙ୍କ ଘରର ଟିଣ ଓ ଚାଳ ଛପର ଉଡ଼ି ଯାଇଥିବା ଜଣାପଡ଼ିଛି । ଅପରାହ୍ନ ପ୍ରାୟ ସାଢେ ୧ ଟା ସମୟରେ ଆକାଶରେ କଳାମେଘ ଘୋଟି ଆସିଥିଲା । ଏଥିସହ ପବନର ବେଗ ବୃଦ୍ଧି ପାଇବା ସହ ବର୍ଷା ମଧ୍ୟ ହୋଇଥିଲା । କାଳବୈଶାଖୀ ପ୍ରଭାବରେ ଦିଗପହଣ୍ଡି ଏନଏସି ୫ ନଂ ୱାର୍ଡ ଫୁଲସୁନ୍ଦରୀ ସାହିରେ ରହୁଥିବା ନରସିଂହ ବେହେରା ଙ୍କ ଘରର ଟିଣ ଛପର ସମ୍ପୂର୍ଣ୍ଣ ରୂପେ ଉଡ଼ି ଯାଇଥିଲା । ଏଥିସହ ଦିଗପହଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଏକ ବିଦ୍ୟୁତ ଖୁଣ୍ଟ ଓ ମତ୍ସ୍ୟ ସମ୍ପଦ କାର୍ଯ୍ୟାଳୟ ପରିସରରେ ଥିବା ବଡ଼ ବଡ଼ ଗଛ ଉପୁଡ଼ି ପଡିଥିଲା। ଦିଗପହଣ୍ଡି ସହର ଓ ଆଖପାଖ ଗ୍ରାମାଞ୍ଚଳ ରେ ପ୍ରାୟ ୫ ଘଣ୍ଟା ବିଦ୍ଯୁତ ସରବରାହ ବନ୍ଦ ରହିଥିଲା । ବର୍ଷା କମିବା ପରେ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉପୁଡ଼ି ପଡ଼ିଥିବା ଗଛକୁ ହଟାଇ ବିଦ୍ୟୁତ ସଂଯୋଗ କରିଥିଲେ । ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ ଏବଂ ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା କ୍ଷତିଗ୍ରସ୍ତ ନରସିଂହଙ୍କ ପରିବାରକୁ ଭେଟି ୩ ଟି ପଲିଥିନ ପ୍ରଦାନ କରିବା ସହ ଖୁବଶୀଘ୍ର ସରକାରୀ ସହାୟତା ପ୍ରଦାନ ନିମନ୍ତେ ପ୍ରତିଶ୍ରୁତି ଦେଇ ଫେରିଥିବା ଜଣାପଡିଛି ।