ବାଲାଗୋଡା-ଉଲିବୁର କାରୋ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ) : କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକର ବାଲାଗୋଡା-ଉଲିବୁର ଭାୟା ହାୟରପୁର ରାସ୍ତାର କାରୋ ନଦୀ ଉପରେ ସେତୁନିର୍ମାଣହେବଏଥିପାଇଁ ଗତକାଲି ଭିତ୍ତିପ୍ରସ୍ତର ଶୁଭଦେଇଛନ୍ତି ସାଂସଦ ଅନନ୍ତ ନାୟକ ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏଥିପାଇଁ ଟେଣ୍ଡର କରାଯାଇ ମେସର୍ସ ଜ୍ୟୋତି କନଷ୍ଟ୍ରକସନ୍ କୁ କାର୍ଯ୍ୟାଦେଶ ଦିଆଯାଇଛି । ଏହି ସେତୁ ଆଗାମୀ ୨୦୨୬ ଅପ୍ରେଲ ୩ ତାରିଖ ମଧ୍ୟରେ ଶେଷ ହେବ । ୧୦ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟ ରଖାଯାଇଥିବାବେଳେ ଆର୍ଥିକ ଅନୁଦାନ ଜିଲ୍ଲା ଖଣିଜ ପାଣ୍ଠି ପକ୍ଷରୁ ଦିଆଯାଇଛି । ସେତୁ ନିର୍ମାଣ ଦ୍ୱାରା ଆଖ ପାଖ ପ୍ରାୟ ୧୦ଟି ଗ୍ରାମର ଅଧିବାସୀମାନେ ଉପକୃତ ହେବେ । ଗମନାଗମନ,ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉକ୍ତ ସେତୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସାଂସଦ ଅନନ୍ତ ନାୟକ କହିଛନ୍ତି । ଏହି ସେତୁର ଲମ୍ବ ୯୫ ମିଟର ଏବଂ ଓସାର ୭.୫ ମିଟର ରଖାଯାଇଛି । ସେତୁର ଉଭୟ ପାଶ୍ୱର୍ରେ ୧ କିଲୋମିଟର ପିଚୁ ରାସ୍ତା ନିର୍ମାଣ କରାଯିବ ବୋଲି ନିର୍ବାହୀ ଯନ୍ତ୍ରୀ ଇଂ ଅଶୋକ କୁମାର ମାଝୀ ସୂଚନା ଦେଇଛନ୍ତି । ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ,କେନ୍ଦୁଝର ଲୋକସଭା ସାଂସଦଙ୍କ ପ୍ରତିନିଧି ହରିହର ମହାନ୍ତ,ଚମ୍ପୁଆ ବିଧାୟକଙ୍କ ପ୍ରତିନିଧି ସଞ୍ଜିବ ବେହେରା(ଲୁଲୁ),ଗ୍ରାମ୍ୟ ଉନ୍ନୟନ ବିଭାଗ(୨) ର ନିର୍ବାହୀ ଯନ୍ତ୍ରୀ ଇଂ ଅଶୋକ କୁମାର ମାଝୀ,ଚମ୍ପୁଆ ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରାମଚନ୍ଦ୍ର ପ୍ରଧାନ,ବଲାଣି ପଂଚାୟତର ସରପଂଚ ମୁଗା ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।