ଛାତ୍ରୀଙ୍କୁ ବ୍ଳାକମେଲିଂ କରି ଦୁଷ୍କର୍ମ ଅଭିଯୋଗ ; ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ଅଧିନସ୍ଥ ଏକ ଗ୍ରାମରେ ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ବ୍ଳାକମେଲିଂ କରି ଦୁଷ୍କର୍ମ ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୁକ୍ତ ଜଣକ ହେଲେ ପାଟପୁର ଥାନା ସାନଖେମୁଣ୍ଡି ବ୍ଳକ ଖୋଲଡି ଗ୍ରାମର ଜଗନ୍ନାଥ ଦୋରା । ଖବରପ୍ରକାରେ , ନାବାଳିକା ଛାତ୍ରୀ ଜଣକ ଦୁଇବର୍ଷ ପୂର୍ବେ ଏକ କଲେଜରେ ଯୁକ୍ତ ଦୁଇ ପ୍ରଥମ ଶ୍ରେଣୀ ରେ ପାଠ ପଢୁଥିବା ସମୟରେ ସେ ଗ୍ରାମରୁ ସାଇକେଲ ଯୋଗେ କଲେଜ ଯିବା ଆସିବା କରୁଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ ଛାତ୍ରୀଙ୍କ ପିଛା କରି ଆସୁଥିଲେ । କିଛିଦିନ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଯାହାର ଫାଇଦା ଉଠାଇ ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ ବିଭିନ୍ନ ସ୍ଥାନକୁ ନେଇଥିଲେ । ସେଠାରେ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ଏପରିକି ତାଙ୍କର କିଛି ଆପତ୍ତିଜନକ ଫୋଟ ଓ ଭିଡ଼ିଓ ଉତ୍ତୋଳନ କରିଥିଲେ । ଏନେଇ ଛାତ୍ରୀଙ୍କ ପରିବାର ଜାଣିବା ପରେ ତାଙ୍କ ପାଠପଢ଼ା ବନ୍ଦ କରି ଦେଇଥିଲେ। ପରବର୍ତ୍ତୀ ସମୟରେ ଛାତ୍ରୀ ଜଣକ ଅଭିଯୁକ୍ତଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ ମଧ୍ୟ ଜଗନ୍ନାଥ ତାଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରି ଆସୁଥିଲେ । ଛାତ୍ରୀ ଜଣକ ଏହାକୁ ପ୍ରତିବାଦ କଲେ ତାଙ୍କର ଅଶ୍ଳୀଳ ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ କରିଦେବାକୁ କହି ଅଭିଯୁକ୍ତ ବ୍ଳାକମେଲ କରି ଆସୁଥିଲା । ଏପରିକି ତାଙ୍କୁ ଜୀବନରେ ମାରି ଦେବା ଏବଂ ସାନ ଭଉଣୀକୁ ଅପହରଣ କରିବା ପାଇଁ ଧମକ ଦେଇ ଆସୁଥିଲେ । କିଛିଦିନ ପରେ ସେହି ଫୋଟ ଓ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ କରି ଦେଇଥିଲା । ଏନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ସେମାନେ ନିଜ ମାମୁଁ ଘରକୁ ଚାଲି ଯାଇଥିଲେ । ଅଭିଯୁକ୍ତ ସେଠାରେ ମଧ୍ୟ ପହଞ୍ଚି ଧମକ ଚମକ ଦେବାରୁ ପରିବାର ଲୋକେ ପ୍ରଥମେ ବ୍ରହ୍ମପୁର ସାଇବର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ତେବେ ଅଭିଯୁକ୍ତ ପୁଣିଥରେ ଭାଇରାଲ କରିବା ଦ୍ବାରା ଶେଷରେ ନିରୂପାୟ ହୋଇ ଦିଗପହଣ୍ଡି ପୋଲିସ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ପୋଲିସ ଦୁଷ୍କର୍ମ ମାମଲାରେ ଥାନା କେସ୍ ନଂ ୧୯୩/୨୫ ପ୍ରକାରେ ମକଦ୍ଦମା ରୁଜୁ ତଦନ୍ତ ଚଳାଇବା ସହ ଅପରାହ୍ନରେ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି।


