ଗ୍ରୀଷ୍ମକାଳୀନ କ୍ରିକେଟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ
ଭଦ୍ରକ(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଇଷ୍ଟକୋଷ୍ଟ ରେଲୱେ ଖେଳ ପଡିଆ ଠାରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ କ୍ରିକେଟ ପ୍ରଶିକ୍ଷଣ ଶିବିର ରବିବାର ଉଦ୍ଯାପିତ ହୋଇଯାଇଛି । ଜିଲା କ୍ରିକେଟ ଆସୋସିଏସନ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଓଡିଶା କ୍ରିକେଟ ଆସୋସିଏସନ ତାଲିମଦାତାଙ୍କ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଜିଲା କ୍ରିକେଟ ଆସୋସିଏସନର ସଭାପତି ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ବିଶିଷ୍ଟ ଅତିଥି ଭାବେ ଜିଲାପାଳ ଦୀଲିପ ରାଉତରାଏ, ସମ୍ମାନୀତ ଅତିଥି ଭାବେ ଉପଜିଲାପାଳ ସୌରଭ ଚକ୍ରବର୍ତ୍ତୀ, ଜିଲା କ୍ରୀଡା ଅଧିକାରୀ ରମେଶ କୁମାର ମହାନ୍ତି, ଓଡିଶା କ୍ରିକେଟ ଏକାଡେମୀର ନିର୍ଦ୍ଦେଶକ ଭି.ଭେଙ୍କଟରାମ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲା କ୍ରୀଡା ଆସୋସିଏସନର ସାଧାରଣ ସମ୍ପାଦକ ଧୀରେନ ପଲାଇ ସୂଚନା ପ୍ରଦାନ କରିଥିବା ବେଳେ ବରିଷ୍ଠ ଅଧିବକ୍ତା ତଥା ରୋଟାରିଆନ ଅତିଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମସ୍ତ ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିବା ବେଳେ ପୂର୍ବତନ ଭାରତ-ଏ ଖ୍ୟାତି ସମ୍ପନ୍ନ କ୍ରିକେଟର ସଞ୍ଜୟ ଶତପଥୀ, ପୂର୍ବତନ ଓଡିଶା ରଣଜୀ କ୍ରିକେଟର ଦେବଦତ୍ତ ଲେଙ୍କା, ଟିମ୍ ଓଡିଶାର କୋଚ୍ କେ.ଭି. ପ୍ରସାଦ, ଜିଲାର ପ୍ରମୁଖ ୩ ପ୍ରଶିକ୍ଷକ ଚନ୍ଦନ ନାୟକ, ଅସିତ୍ ଦାସ ଓ ରାଜେଶ ନାୟକଙ୍କ ସମେତ ମୃଣ୍ମୟ ତ୍ରିପାଠୀ, ଶୁଭଦର୍ଶନୀ ରାଉତ, ସେକ୍ ସାହିଲ, ରବି ନାରାୟଣ ଓଝାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଆସୋସିଏସନର ଯୁଗ୍ମ ସମ୍ପାଦକ ସୁଦାମ ନାୟକ, ସଦସ୍ୟ ସୁଶୀଲ ପଟ୍ଟନାୟକ, କୋଷାଧ୍ୟକ୍ଷ ବ୍ୟୋମକେଶ ସେନାପତି, ପ୍ରଜ୍ଞା ପରମିତା ପଲାଇ, ଶମ୍ଭୁନାଥ ଜେନା, ସଂଗ୍ରାମୀ ଦେବଦତ୍ତ ନାୟକଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ । ଏହି ଶିବିରରେ ଜିଲାର ବନ୍ତ, ଭଣ୍ଡାରିପୋଖରୀ, ଧାମନଗର, ତିହିଡି, ଚାନ୍ଦବାଲି, ବାସୁଦେବପୁର ଓ ଭଦ୍ରକ ବ୍ଲକରୁ ମୋଟ ୧୦୭ ଜଣ ୧୫ ବର୍ଷରୁ କମ୍ ଓ ୧୨ ବର୍ଷରୁ କମ ବର୍ଗର ପ୍ରଶିକ୍ଷାର୍ଥୀ ଭାଗ ନେଇଥିଲେ । ଅପରପକ୍ଷେ ଏହି ଶିବିର କାଳରେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କ ପ୍ରତିଭା ଓ ପ୍ରଦର୍ଶନର ମୂଲ୍ୟାୟନ କରାଯାଇ ମନୋନୀତ ପ୍ରଶିକ୍ଷାର୍ଥୀଙ୍କ ପାଇଁ କଟକସ୍ଥିତ ସ୍କୁଲରେ ଅଧ୍ୟୟନ ବ୍ୟବସ୍ଥା ସହ ଓଡିଶା କ୍ରିକେଟ ଏକାଡେମୀରେ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା । ମାତ୍ର ତାହା ଆଜି କାର୍ଯ୍ୟକାରୀ କରାନଯିବାରୁ ପ୍ରଶିକ୍ଷାର୍ଥୀଙ୍କ ସମେତ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଜିଲାର ବିଭିନ୍ନ ବ୍ଲକରୁ ପ୍ରଶିକ୍ଷାର୍ଥୀ ମାନେ ୭ ଦିନ ଧରି ବହୁ କଷ୍ଟରେ ଖର୍ଚ୍ଚାନ୍ତ ହୋଇ ଆସି ଶେଷରେ ନିରାଶ ହୋଇଥିବା ଜଣାଯାଇଛି ।