ପ୍ରଭୁଙ୍କର ମନ ଜିଣା
ଅଣସର ଭୋଗ ଅଲାରପୁରରେ
ପୁରୀରେ ଚକଟା ପଣା
ଯେଉଁଠାରେ ଯେଉଁ ଭୋଗ ଲାଗିହୁଏ
ପ୍ରଭୁଙ୍କର ମନ ଜିଣା ———(୦)
ଅଲାରପୁରରେ ସୂଆର ସେବକ
ପୁରୀରେ ଦଇତାପତି
ଅସୁସ୍ଥ ବେଳର ସେବା ସହାୟକ
କେବଳ ହୁଅନ୍ତି ଜ୍ଞାତି
କେତେବେଳେ କେଉଁ ସେବା ଦରକାର
ସେମାନଙ୍କୁ ଥାଏ ଜଣା
ଅଣସର ଭୋଗ ଅଲାରରପୁରରେ
ପୁରୀରେ ଚକଟା ପଣା——–(୧)
ଧଳା ଫୁଲ ଲାଗେ ଅଣସର ଘରେ
ଦର୍ଶନେ ଲାଗେ ତୁଳସୀ
ଦୟଣାର ଚୂଳ ମଲ୍ଲି ମାଳତୀରେ
ଜଗା ସଦା ଥାଏ ଖୁସି
ଏବେ ଲାଗିଅଛି ଦୁଇଠାରେ ଲୀଳା
ଭକ୍ତ ନୁହେଁ ବାଟ ବଣା
ଅଣସର ଭୋଗ ଅଲାରପୁରରେ
ପୁରୀରେ ଚକଟା ପଣା——(୨)
ଧଳାଲୁଗା ଖଣ୍ଡେ ପିନ୍ଧୁଚି ମୋ ଜଗା
ଏଠି ପାଟ ପିତାମ୍ବରୀ
ଚନ୍ଦନ ବେଶକୁ ଜାତି ଜାତି ଫୁଲେ
ଲୀଳାକ୍ଷେତ୍ର ଉଠେ ପୂରି
ପୁରୀରେ ଶୋଇଚି ଅଲାରେ ଦେଖୁଚି
ସବୁଠି ତା’ର ଠିକଣା
ଅଲାରପୁରରେ ଅଣସର ଭୋଗ
ପୁରୀରେ ଚକଟା ପଣା——(୩)
ରାଜ କିଶୋର ନାୟକ
ତଳବଙ୍ଗାଳ,କୁଶୁବେଣ୍ଟି
ବ୍ରହ୍ମଗିରି,ପୁରୀ