କାନକୁହା କାଳିଆ
ଶରଧା ବାଲିରେ
ବସିଛ ରଥରେ
କୁହ ପ୍ରଭୁ କେତେ ଖୁସି,
ମା’ ଗୁଣ୍ଡିଚାରାଣୀ
ଲକ୍ଷ୍ମୀ ସାଆନ୍ତାଣୀ
ଜଣେ ଦୁଃଖୀ ଜଣେ ଖୁସି ।
ପ୍ରଭୁ ହୋଇ ଯେବେ
ମନେ ଦିଅ ଦୁଃଖ
କୋଉ ଦୋଷ ଦେଖି କୁହ,
ଲକ୍ଷ୍ମୀ ପଚାରନ୍ତି
ତୁମ ମୁଖ ଚାହିଁ
ତୁମେ ଭକ୍ତେ ଚାହିଁଦିଅ ।
ଭକତର ଭାବ
ମାଆର ପ୍ରଭାବ
ଭାଷାରେ ନ ପାର କହି,
ଯାହା ବା କହିବ
ଭାବରେ ଭଙ୍ଗିରେ
ସବୁ ବୁଝି ହୁଏ ନାହିଁ ।
ସେହି ନ୍ଯାୟେ ପ୍ରଭୁ
କାଠଗଡେ ଠିଆ
କାଠ ନନ୍ଦିଘୋଷ ରଥେ,
ସମସ୍ତଙ୍କୁ ଶୁଣି
କାଠ ହୁଅ ପୁଣି
କାଠର ଦେବତା ସତେ ।
ବିଚାର କରୁଛ
କାଠ ରଥେ ବସି
ହୃଦୟକୁ କାଠ କରି,
ଭକତ ନିଜର
ମାଆ କ’ଣ ପର
ଲକ୍ଷ୍ମୀ ନ ବୁଝନ୍ତି କାହିଁ ।
ଯାହା ବି ଘଟିଛି
କାନେ ନ କହିଲେ
ଲକ୍ଷ୍ମୀ ହିଁ ବୁଝିବେ ନାହିଁ,
କଥା ଦେଉଅଛ
ନଅ ଦିନ ପରେ
ଶ୍ରୀମନ୍ଦିର ଯିବା ପାଇଁ ।
ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ