ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶବିର
କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଅଗ୍ରଣୀ ସମାଜସେବା ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ, ଗୋବର୍ଦ୍ଧନ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରସ୍ଥ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ସହଯୋଗରେ ଆୟୋଜିତ ଏହି ବିଶାଳ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଗୋବର୍ଦ୍ଧନ,ପଦ୍ମପୁର,ରୁକୁଣାପୁର, ବାଉରୀପଦା,ସେଣ୍ଡକାପ ଇତ୍ୟାଦି ସ୍ଥାନୀୟ ଅଂଚଳର ପ୍ରାୟ ୧୦ ରୁ ଉର୍ଦ୍ଧ୍ବ ଗ୍ରାମର ଗ୍ରାମବାସୀମାନେ ଉପସ୍ଥିତ ରହି ଅଭିଜ୍ଞ ଚିକିତ୍ସକମାନଙ୍କଠାରୁ ପରାମର୍ଶ ସହ ସୁବିଧାରେ ସ୍ୱାସ୍ଥ୍ୟ ସଂପର୍କିତ ପରୀକ୍ଷାମାନ କରାଇଥିଲେ । ହାଇଟେକ ହସ୍ପିଟାଲ ପକ୍ଷରୁ ଭେଷଜ,ହୃଦରୋଗ,ମହିଳା ଓ ପ୍ରସୂତୀ,ଶିଶୁ,ଦାନ୍ତ,ଚକ୍ଷୁ ଇତ୍ୟାଦି ବିଭାଗରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହି ଶିବିରକୁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡାକ୍ତର ବିପିନ ବିହାରୀ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରି ଫାଉଣ୍ଡେସନ ର କାର୍ଯ୍ୟକ୍ରମ ସଂପର୍କରେ କହିଥିଲେ । ହାଇଟେକ୍ ମେଡିକାଲ ର କାର୍ଯ୍ୟକର୍ତ୍ତା ସୁଶାନ୍ତ ଶତପଥି ଏବଂ ସତ୍ୟ ସ୍ୱରୂପ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଚିକିତ୍ସକମାନେ ଯୋଗଦେଇ ଶିବିର ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରିୟଦର୍ଶନ ମହାପାତ୍ର,ରବିନ୍ଦ୍ରନାଥ ରାଉତରାୟ,ମିଲନ ପ୍ରଧାନ,ଚାରୁଲତା ପାଣିଗ୍ରାହୀ,ସୁକନ୍ୟା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉପଦେଷ୍ଟା ଲାୟନ ସରୋଜ କୁମାର ପଟ୍ଟନାୟକ,ନିଶାକର ରାଉତ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ସଂପାଦିକା ଡାକ୍ତର ସୁକାନ୍ତି ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।