ଜାତୀୟ ରାଜପଥରେ ବଢୁଛି ଦୁର୍ଘଟଣାଜନିତ ମୃତୁସଂଖ୍ୟା :ଉପଖଣ୍ଡ ଚିକିତ୍ସାଳୟରେ ଟ୍ରମା କେୟାର୍‍ ସେଣ୍ଟର ପ୍ରତିଷ୍ଠା ଦାବୀ

ଆସିକା  (ୱାଇଏନ୍‍ଏସ୍‍) :ସଡକ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା କମାଇବା ଓ ଆହତଙ୍କୁ ତୁରନ୍ତ ଚିକିତ୍ସାସେବା ଯୋଗାଇଦେବା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଏକ ଟ୍ରମା କେୟାର୍‍ ୟୁନିଟ୍‍ ସ୍ଥାପନ ଦିଗରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି । ଗଞ୍ଜାମ ଜିଲ୍ଲାର ଆସିକା ହେଉଛି ଅନ୍ୟତମ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର । ଆସିକାରୁ ଭଞ୍ଜନଗର ୧୫୭ ନମ୍ବର ଜାତୀୟ ରାଜପଥ, ଆସିକା କାଳଷଣ୍ଢପୁରରୁ ସୋରଡା ୫୯ ନମ୍ବର ଜାତୀୟ ରାଜପଥ ଓ କାଳଷଣ୍ଢପୁରରୁ ବ୍ରହ୍ମପୁର ୫୯ ନମ୍ବର ଜାତୀୟ ରାଜପଥ ଯାଇଥିବା ଜଣାପଡିଛି । ଜାତୀୟ ରାଜପଥ ଗୁଡିକରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ରୋକିବା ସହ ଚିକିତ୍ସା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଟ୍ରମା କେୟାର୍‍ ସେଣ୍ଟର ସ୍ଥାପନ ସାଂପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଜରୁରୀ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ସଡକ ଦୁର୍ଘଟଣାରେ ଆହତଙ୍କୁ ନିଃଶୁଳ୍କ ଚିକିତ୍ସା ବ୍ୟବସ୍ଥା ସହ ମସ୍ତିଷ୍କଜନିତ ଆହତଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିବା ପାଇଁ ଟ୍ରମା କେୟାର୍‍ ସେଣ୍ଟରର ଭୂମିକା ଓ ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇପଡିଥିଲା ବେଳେ ଗଞ୍ଜାମ ଜିଲ୍ଲାର ଅନ୍ୟତମ ବ୍ୟବସାୟିକ କେନ୍ଦ୍ରସ୍ଥଳ ଆସିକା ଉପଖଣ୍ଡ ଚିିକିତ୍ସାଳୟରେ ଅଦ୍ୟବଧି ଟ୍ରମା କେୟାର୍‍ ସେଣ୍ଟର ସ୍ଥାପନ ନହେବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଆଲୋଚିତ ହେଉଛି । ଗତ ୨୦୨୨ ମସିହାରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଆସିକା ଓ ଭଞ୍ଜନଗର ସମେତ ରାଜ୍ୟର ୩୩ଟି ଅଞ୍ଚଳରେ ଟ୍ରମା କେୟାର୍‍ ସେଣ୍ଟର ପ୍ରତିଷ୍ଠା ପାଇଁ ପ୍ରଶାସନିକ ସ୍ତରରେ ଏକ ପ୍ରସ୍ତାବ ଉପସ୍ଥାପନ ହୋଇଥିଲା । ତେବେ ଏହି ଆଲୋଚନାକୁ ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନଥିବା ଜଣାପଡିଛି । ରାଜ୍ୟ ଦେଇ ଯାଇଥିବା ୨୫ଟି ଜାତୀୟ ରାଜପଥର ପ୍ରତି ୫୦ କି.ମି. ବ୍ୟବଧାନରେ ଟ୍ରମା କେୟାର୍‍ ସେଣ୍ଟର ସୁବିଧା ଉପଲବ୍ଧ ପାଇଁ ଲକ୍ଷ୍ୟ ବି ରଖାଯାଇଥିଲା । ଜାତୀୟ ରାଜପଥ ଗୁଡିକରେ ବିଭିନ୍ନ ସମୟରେ ସର୍ବାଧିକ ଦୁର୍ଘଟଣା ଘଟୁଥିବା ଦୃଷ୍ଟିରୁ ଏହି ରାସ୍ତା ଗୁଡିକରେ ଟ୍ରମା କେୟାର ସେଣ୍ଟର ସୁବିଧା ଉପଲବ୍ଧ କରାଇବା ଉପରେ ଗତ ୨୦୨୨ ମସିହାରେ ସରକାରୀ ସ୍ତରରେ ଯୋଜନା ହୋଇଥିଲା । ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଏହି ପ୍ରସ୍ତାବିତ ଟ୍ରମା କେୟାର୍‍ ସେଣ୍ଟର ସ୍ଥାପିତ ହେଲେ ସଡକ ଦୁର୍ଘଟଣାରେ ଆହତଙ୍କୁ ଆହୁରି ଉନ୍ନତ ମାନର ଚିକିତ୍ସାସେବା ମିଳିପାରିବ ବୋଲି ଜଣାପଡିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହଯୋଗରେ ଏର୍ମଜେନ୍ସି ଏଣ୍ଡ୍‍ ଟ୍ରମା କେୟାର୍‍ ନାମରେ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରାଯାଇସାରିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ୍‍ ସୁଦ୍ଧା ୮୯ଟି ଟ୍ରମା କେୟାର୍‍ ସେଣ୍ଟର ରହିଥିବା ଜଣାପଡିଛି । ରାଜ୍ୟ ସରକାର ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଉପଖଣ୍ଡ ଚିକିତ୍ସାଳୟର ଭିତ୍ତିଭୂମୀକୁ ଆହୁରି ସୁôଦୃଢ କରି ଟ୍ରମା କେୟାର୍‍ ସେଣ୍ଟର ସ୍ଥାପନ ପାଇଁ ପଦକ୍ଷେପ ନେବା ସହ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବିଶେଷଜ୍ଞ ଠାରୁ ଆରମ୍ଭ କରି ନର୍ସ, ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି ସାଙ୍ଗକୁ ଆବଶ୍ୟକୀୟ ଅତ୍ୟାଧୁନିକ ଯନ୍ତ୍ରାଂଶ ସ୍ଥାପନ କରିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ