ଡ୍ରେନ ସଫେଇ କଲେ ଉପ ନଗରପାଳ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ସହରର ଅନେକ ୱାର୍ଡରେ ଏବେ ଜଳବନ୍ଦୀ ସମସ୍ୟା ଲାଗି ରହିଛି । ଲଗାଣ ବର୍ଷାରେ ୧୬ ନମ୍ବର ୱାର୍ଡର କମାରଗଡାରେ ଡ୍ରେନରେ ବର୍ଷା ଜଳ ନ ଯିବାରୁ ଅନେକଙ୍କ ଘରେ ଅଳିଆ ଆବର୍ଜନା ପାଣି ପଶୁଛି । କଲେଜ ରୋଡ ମୁଖ୍ୟ ରାସ୍ତାରେ ରାମମନ୍ଦିର ସମ୍ମୁଖ ଡ୍ରେନ ଖରା ଦିନରେ ସଫେଇ କରାଯାଇନଥିବାରୁ ଲଗାଣ ବର୍ଷାରେ ଜଳ ନିଷ୍କାସନ ହୋଇ ପାରିନଥିଲା । ଏ ନେଇ ସ୍ଥାନୀୟ ଲୋକ ଉପ ନଗରପାଳ ବରଦା ପ୍ରସନ୍ନ ଦାସ ଙ୍କ କହିବା ପରେ ମଧ୍ୟ ସଫେଇ କର୍ମଚାରୀ ନ ଆସିବାରୁ ନିଜେ ବାଉଁଶ ବାଡିରେ ଡ୍ରେନ ଜାମ ହୋଇଥିବା ସଫେଇ କାମ କରିଥିଲେ । ପରେ ବହୁ ବିଳମ୍ବରେ ସଫେଇ କର୍ମଚାରୀମାନେ ସେଠାରେ ପହଁଚି ଡ୍ରେନରୁ ଅଳିଆ ଆବର୍ଜନା କାଢିବା ପରେ ଜଳ ନିଷ୍କାସନ ହୋଇଥିଲା । କେନ୍ଦୁଝରଗଡ ପୌରପାଳିକା ଏବେ ଡ୍ରେନ ସମସ୍ୟା ମଧ୍ୟ ଦେଇ ଗତି କରୁଥିବାବେଳେ ଅନେକ ରାସ୍ତା ମରଣଯନ୍ତାରେ ପରିଣତ ହୋଇଛି । କେନ୍ଦୁଝରଗଡ ପୌରପାଳିକାରେ ନା ପରିମଳ ବ୍ୟବସ୍ଥା ସୁଧୁରୁଛି ନା ସହରର ଡ୍ରେନେଜ ବ୍ୟବସ୍ଥା ସୁଧୁରୁଛି । ବର୍ଷା ଦିନ ପୂର୍ବରୁ ସହର ଭିତରେ ଡ୍ରେନ ସଫା କରାଯାଇନାହିଁ । ବର୍ଷା ପରେ ଡ୍ରେନ ଜାମ ହୋଇ ଅନେକ ସ୍ଥାନରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି କରୁଛି । ଫଳରେ ଏହାକୁ ନେଇ ଏବେ ଠାରୁ ଅନେକ ୱାର୍ଡର ଲୋକ ଛାନିଆ ହେଲେଣି । କେନ୍ଦୁଝରଗଡ ପୌରପାଳିକାର ମାଷ୍ଟର ପ୍ଲାନ ଏରିଆର ୨୭ ଟି ମୌଜାରେ ଥିବା ମାହାରା,ପ୍ରାକୃତିକ ନାଳ ଅବରୋଧ ହୋଇ ରାସ୍ତା ଏବଂ ବେଆଇନ ଘର ନିର୍ମାଣ ହେଉଥିବାରୁ ଜଳ ନିଷ୍କାସନରେ ସମସ୍ୟା ଦେଖାଦେଉଛି  । ଅଧିକାଂଶ ୱାର୍ଡରେ ଥିବା ପ୍ରାକୃତିକ ନାଳ,ମାହାରା ସଫା କରାଯାଉନି କି ଜବରଦଖଲ ମୁକ୍ତ କରାଯାଉନଥିବାରୁ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି କରୁଛି ।  ନୂଆ ନୂଆ କଲୋନୀ ଜନବସତି ଗଢି ଉଠୁଛି । କିନ୍ତୁ ଡ୍ରେନ ପାଇଁ ଯାଗା ନ ଛାଡି ଘର ନିର୍ମାଣ ହେଉଛି । ବିଲ୍ଡିଂ ପ୍ଲାନ ମଞ୍ଜୁର ସମୟରେ ଏ ସବୁ ପ୍ରତି ଦୃଷ୍ଟି ଦିଆଯାଉନାହିଁ । କେନ୍ଦୁଝରଗଡ ପୌରପାଳିକା ସହରବାସୀଙ୍କ ଠାରୁ ୟୁଜର ଫି ବାବଦ ଟଙ୍କା ଆଦାୟ କରୁଥିବାବେଳେ ଲୋକଙ୍କୁ ସେବା ଦେବାରେ ବିଫଳ ହୋଇଛି ବୋଲି ଆଇନଜୀବି ଅଶୋକ ଦାସ କହିଛନ୍ତି । ସଫେଇ ଠିକ୍ ଭାବରେ ଏବଂ ନିୟମିତ ହେଉନଥିବାରୁ ରାସ୍ତା କଡରେ କୁଢ କୁଢ ଆବର୍ଜନା ପଡିରହୁଛି । ସହରର ପ୍ରମୁଖ ତଥା ସମ୍ବେଦନଶୀଳ ଅଞ୍ଚଳମାନଙ୍କରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାବେଳେ ସାଧାରଣ ଲୋକଙ୍କର ଦୁର୍ଦ୍ଦଶା ବଢିବାରେ ଲାଗିଛି । ସ୍ପଞ୍ଜ କଲୋନୀ,ବ୍ୟାଙ୍କ କଲୋନୀ,ଭାଲୁକିପତଳା,ବଡହଳ ଆଇଟିଆଇ ରାସ୍ତା ପାଶ୍ୱର୍ରେ ଥିବା କଲୋନୀ,ବଳଦେବଜୀଉ କଲୋନୀ, ବିବେକାନନ୍ଦ କଲୋନୀରେ ବର୍ଷା ଓ ନର୍ଦ୍ଦମା ଜଳ ନିଷ୍କାସନର କୌଣସି ବ୍ୟବସ୍ଥା ନଥିବାରୁ ବହୁ ଲୋକ ଏକ ପ୍ରକାର ଜଳବନ୍ଦୀ ହୋଇ ରହୁଛନ୍ତି । କେନ୍ଦୁଝର ସହରର ଲୋକସଂଖ୍ୟା ହିସାବରେ ସହରର କଳେବର କିନ୍ତୁ ବୃଦ୍ଧି ପାଇନାହିଁ । ସେହିପରି ସହରରେ ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନଥିବାରୁ ସାମାନ୍ୟ ବର୍ଷା ହେଲେ ଲୋକଙ୍କ ଘରେ ପାଣି ପଶୁଛି । ରାସ୍ତାରେ ବର୍ଷା ପାଣି ଲହଡି ମାରୁଛି । ଲଗାଣ ବର୍ଷା ହେଲେ ଲୋକ ଜଳବନ୍ଦୀ ହେବା ସହ ମୋଟର ଲଗାଇ ପୌରପାଳିକା ଜଳ ନିଷ୍କାସନ କରୁଛି । ଅନେକ ୱାର୍ଡରେ ଜଳ ଜମି ରହିଥିବାରୁ କୂଅ ଏବଂ ଟୁ୍ୟବୱେଲ ପାଣି ପିଇବା ପାଇଁ ଅନୁପଯୋଗୀ ହୋଇ ପଡିଛି । ସହରର ବର୍ଷା ଜଳ ନିଷ୍କାସନ ସମସ୍ୟାକୁ ସମାଧାନ କରିବାକୁ ହେଲେ ପୂର୍ବରୁ ଯେଉଁ ଜାଗା ଦେଇ ଜଳ ପ୍ରବାହିତ ହେଉଥିଲା ତାହା ଚିହ୍ନଟ କରି ଆବଶ୍ୟକ ସ୍ଥଳେ ଜବରଦଖଲ ଉଚ୍ଛେଦ କରି ଡ୍ରେନ ନିର୍ମାଣ କଲେ ସହରର ଡ୍ରେନେଜ ସମସ୍ୟା ଦୂର ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ