ମୁମ୍ବାଇ ଗଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

କେନ୍ଦ୍ରାପଡ଼ା(ଓ୍ବାଇଏନଏସ):ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଥମ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ ବେଳେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିବା ହେଲିକପ୍ଟରଟି ୫ ସପ୍ତାହ ପରେ ମରାମତି ନିମନ୍ତେ ମୁମ୍ବାଇ କୁ ପଠାଯାଇଛି। ଏହାକୁ ଏକ ଟ୍ରଲର ଉପରେ କ୍ରେନ ସହାୟତାରେ ରଖାଯାଇ ମୁମ୍ବାଇ ନିଆଯାଇଛି। ହେଲିକପ୍ଟର ଟ୍ରକରେ ଲୋଡ ହେବା ପୂର୍ବରୁ ତା’ର ଦୁଇଟି ଡେଣାକୁ ଖୋଲି ଦିଆଯାଇଥିଲା। ଏହା ପୂର୍ବରୁ ହେଲିକପ୍ଟରରୁ ଇନ୍ଧନ ଖାଲି କରିଦିଆଯାଇଥିଲା। ଫଳରେ ହେଲିକପ୍ଟରଟି ସୁରକ୍ଷିତ ଭାବେ ମୁମ୍ବାଇ ସ୍ଥାନାନ୍ତର ହୋଇ ପାରିବ। ସେଠାରେ ଏହାର ମରାମତି କରାଯିବ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅଧିକାରୀ ଜଣକ କହିଛନ୍ତି ମୁମ୍ବାଇରୁ ଇଞ୍ଜିନିୟରମାନେ ଆସି ପ୍ରଥମେ ହେଲିକପ୍ଟରରୁ ଇନ୍ଧନ ଖାଲି କରିଥିଲେ। ଏହାପରେ ହେଲିକପ୍ଟରର ଡେଣା ଖୋଲାଯାଇଥିଲା। କ୍ରେନ୍ ସାହାଯ୍ୟରେ ହେଲିକପ୍ଟରକୁ ଟ୍ରଲରରେ ଲୋଡ କରାଯାଇଥିଲା। ଏହାପରେ ଟ୍ରଲରଟି ମୁମ୍ବାଇ ଅଭିମୁଖେ ବାହାରି ଯାଇଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁନମାସ ୯ ତାରିଖରେ ତାଙ୍କର ପ୍ରଥମ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିଥିଲେ। ଏଠାରୁ ଫେରିବା ବେଳେ ସେହି ଦିନ ଅପରାହ୍ଣରେ ବଜ୍ରପାତ ସହ ବର୍ଷା ହୋଇଥିଲା। ବଜ୍ରପାତ ପ୍ରଭାବରେ ହେଲିକପ୍ଟରରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିଲା। ଫଳରେ ହଲିକପ୍ଟରଟି ଷ୍ଟାର୍ଟ ହୋଇପାରି ନଥିଲା। ଏଥିପାଇଁ ପାଇଲଟ ହେଲିକପ୍ଟର ଉଡାଇବା ପାଇଁ ବାରଣ କରିଥିଲେ। ପାଇଲଟ ହେଲିକପ୍ଟର ଯାଞ୍ଚ କରିବା ପରେ ଜାଣିବାକୁ ପାଇଥିଲେ ଯେ ସେଥିରେ ତ୍ରୁଟି ଦେଖା ଦେଇଛି। ଏହା ଉଡ଼ି ପାରିବ ନାହିଁ। ଗୋଟିଏ ପକ୍ଷରେ ପାଗ ପ୍ରତିକୂଳ ଥିଲା ଓ ଅନ୍ୟପକ୍ଷରେ ହେଲିକପ୍ଟରରେ ତ୍ରୁଟି ଦେଖା ଦେଇଥିଲା। ଫଳରେ ବାଧ୍ୟହୋଇ ମୁଖ୍ୟମନ୍ତ୍ରୀ କାର ଯୋଗେ ଭୁବନେଶ୍ୱର ଫେରିଯାଇଥିଲେ। ସେବେଠାରୁ ହେଲିକପ୍ଟରଟି କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଥୁଆ ହୋଇଥିଲା। ଗତ ୧୨ ତାରିଖରେ ଏକ ବୈଷୟିକ ଦଳ ମୁମ୍ବଇରୁ ଆସି ହେଲିକପ୍ଟରରୁ ତେଲ ଖାଲି କରିଥିଲେ। ଆଜି ସେହି ହେଲିକପ୍ଟରଟି ମୁମ୍ବାଇ ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ