କେନ୍ଦ୍ରାପଡାରେ ଶିବାନନ୍ଦଙ୍କ ପୂଣ୍ୟତିଥି ପାଳିତ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାଶ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ୬୨ତମ ପୂଣ୍ୟତିଥି ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ପ୍ରାତଃ ନଗର ସଙ୍କୀର୍ତ୍ତନ ଏବଂ ଶ୍ରୀ ଦିବ୍ୟ ବଳଦେବଜୀଉ ଓ ଶ୍ରୀଦିବ୍ୟେଶ୍ୱର ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଆଶ୍ରମର ପରାମାଧ୍ୟକ୍ଷା ଶ୍ରୀ’ମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଶ୍ରଦ୍ଧାଳୁମାନଙ୍କ ଗହଣରେ ଗୁରୁଦେବଙ୍କର ପାଦପୂଜା କରିଥିଲେ। ଏହାପରେ ବିଶ୍ୱବନ୍ଦ୍ୟ ସନ୍ଥ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କର ଦର୍ଶନତତ୍ୱ ତଥା ମାନବ ସମାଜକୁ ତାଙ୍କର ଦିଗଦର୍ଶନ ଆଧାରିତ ଆଲୋଚନାଚକ୍ର ଶ୍ରୀ’ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶ୍ରୀ’ମା ଶ୍ରଦ୍ଧାଳୁମାନଙ୍କୁ ଉପଦେଶ ଦେଇ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ଆଦର୍ଶ ଜୀବନ ଶୈଳି ତଥା ଉପଦେଶାବଳୀକୁ ପାଥେୟ କରି କାର୍ଯ୍ୟ କଲେ ଧ୍ୱଂସାଭିମୂଖୀ ମାନବ ସମାଜର ଗତିପଥ ପରିବର୍ତ୍ତନ ସମ୍ଭବ ହୋଇପାରିବ ବୋଲି କହିଥିଲେ। ଆଶ୍ରମର ସହସମ୍ପାଦକ ଶରତ ଚନ୍ଦ୍ର ବରାଳ ଗୁରୁବାଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ସୁରେନ୍ଦ୍ର ନାଥ ଆଚାର୍ଯ୍ୟ, ଶ୍ରୀଧର ରାଉତ, ଶ୍ରୀଧର ମହାନ୍ତି, ଅର୍ଚ୍ଚନା ଗୋଏଙ୍କା ପ୍ରମୁଖ ଶିବାନନ୍ଦ ଦର୍ଶନ ତତ୍ୱ ଉପରେ ଆଲୋକପାତ କରିଥିଲେ। ଗରାପୁର,କପାଳେଶ୍ୱର, ଆଳିଜଙ୍ଗା ଓ ଚାରିଗାଁ ଗ୍ରାମର ଶତାଧିକ ଶ୍ରଦ୍ଧାଳୁମାନଙ୍କ ସମେତ ପ୍ରମୋଦ କୁମାର ଦାସ, ମନମୋହନ କବି, ଶ୍ରୀବତ୍ସ କୁମାର ନାୟକ, ଶିବାନନ୍ଦ ବିଦ୍ୟାମନ୍ଦିରର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଶ୍ର’ମା ସମସ୍ତଙ୍କୁ ପ୍ରସାଦ ଓ ଆଧ୍ୟାତ୍ମିକ ପୁସ୍ତକ ପ୍ରଦାନ କରିଥିଲେ। ବ୍ରହ୍ମଚାରୀ ନୃସିଂହ ନାଥଙ୍କ ପରିଚାଳନାରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ