ଗୁଣିଆ ସନ୍ଦେହରେ ଆକ୍ରମଣ ଅଭିଯୋଗ
ଦିଗପହଣ୍ଡି, (ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର କେ.ପଞ୍ଚାନନ ଙ୍କୁ ଗୁଣିଆ ସନ୍ଦେହରେ ଗ୍ରାମର ବି.ନରସିଂହ,ବି. ପାଣ,ବି.କାଳିଆ,ବି.ସାବିତ୍ରୀ ଆକ୍ରମଣ କରିବାସହ ହାତ ଗୋଡ ବାନ୍ଧି ରାସ୍ତା ଉପରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।ଏନେଇ ପଞ୍ଚାନନ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୬୨/୨୫ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ଗ୍ରାମର ଜଣେ ଯୁବତୀ ଙ୍କ ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ବିଭିନ୍ନ ହସ୍ପିଟାଲ ରେ ଚିକିତ୍ସା ହେବା ସତ୍ତ୍ବେ ବିଭିନ୍ନ ପ୍ରଳାପ କରିବା ସହ ସେ ସୁସ୍ଥ ନହେବାରୁ ତାଙ୍କୁ କେହି ଗୁଣିଆ (ତନ୍ତ୍ର ବିଦ୍ୟା) କରିଥିବା ପରିବାର ଲୋକେ ସନ୍ଦେହ କରିଥିଲେ।ଗାଁ ନିକଟସ୍ଥ ଜଣେ ତାନ୍ତ୍ରିକ ଙ୍କ ପରାମର୍ଶ କ୍ରମେ ଗ୍ରାମର ଜଣେ ବ୍ୟକ୍ତି ହିଁ ଯୁବତୀ ଙ୍କୁ ତନ୍ତ୍ର ବିଦ୍ୟା ପ୍ରୟୋଗ କରି ଗୁଣି କରିଥିବା ପ୍ରକାଶ କରୁଥିଲେ।ପରେ ପରିବାର ଓ ସମ୍ପର୍କୀୟ ଲୋକେ ପଞ୍ଚାନନ ଙ୍କୁ ସନ୍ଦେହ କରି ଗତ ବୁଧବାର ରାତିରେ ତାଙ୍କୁ ମାଡ଼ ମାରିଥିବା ଏତଲାରେ ଉଲ୍ଲେଖ ରହିଛି। ପୋଲିସ କିଛି ଅଭିଯୁକ୍ତଙ୍କୁ ଥାନା କୁ ଉଠାଇ ଆଣି ସରଜମିନ ତଦନ୍ତ ଚଳାଇଛନ୍ତି।