କାରଗିଲ୍ ବିଜୟ ଦିବସ ପାଳିତ

ଆସିକା  (ୱାଇଏନ୍‍ଏସ୍‍) : ସାରା ଦେଶରେ ପାଳିତ ହୋଇଯାଇଛି ୨୬ତମ କାରଗିଲ୍ ବିଜୟ ଦିବସ। ସାରା ଦେଶ ମନେ ପକାଇଛି ଭାରତୀୟ ସେନାଙ୍କ ବିଜୟର ଗାଥା। ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନ ସେନା ଉପରେ ଆକ୍ରମଣ କରି ବିଜୟ ଲାଭ କରି କାରଗିଲ୍‌ରେ ତ୍ରିରଙ୍ଗା ଉଡାଇଥିଲା ଭାରତୀୟ ସେନା। ଏଥିପାଇଁ ୫୨୭ଜଣ ବୀର ସୈନିକଙ୍କୁ ବଳିଦାନ ଦେବାକୁ ପଡିଥିଲା। ୧୯୯୯ ମସିହା ଜୁଲାଇ ମାସ ୨୬ତାରିଖରେ ଭାରତ ମାଟିରୁ ପାକିସ୍ତାନ ସେନାକୁ ହଟାଇ ବିଜୟ ଧ୍ୱଜା ଉଡାଇଥିଲା ଭାରତୀୟ ସେନା। ଏହି ଐତିହାସିକ ବିଜୟ ହାସଲ କରିବା ସ୍ମୃତିରେ ସାରା ଦେଶରେ ଆଜି ପାଳିତ ହୋଇଛି କାରଗିଲ୍ ବିଜୟ ଦିବସ। ଦେଶ ମାତୃକାର ରକ୍ଷାଲାଗି କାର୍‌ଗିଲ୍ ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ସହିଦ୍ ହୋଇଥିବା ଆସିକାର ବୀର ଯବାନ ଉମାକାନ୍ତ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ସରକାରୀ ଏନ୍‍ଏସି ନୋଡାଲ୍‍ ଉଚ୍ଚ ବିଦ୍ୟାଳୟ ଓ ସହରର ସଚେତନ ନାଗରିକ ଏବଂ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପକ୍ଷରୁ ସ୍ଥାନୀୟ ୧୭ନମ୍ବର ୱାର୍ଡ ସ୍ଥିତ ତାଲୁକାଛକ ନିକଟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଆସିକା ଓକିଲ ସଂଘର ସଂପାଦକ ତଥା ବରିଷ୍ଠ ଆଇନଜୀବୀ ନାରାୟଣ ମୁନି, ଓଡିଶା ଅମଲା ସଂଘର ଗଞ୍ଜାମ ଜିଲ୍ଲା ଶାଖା ସଭାପତି କିରଣ କୁମାର ପାଢୀ, ଅବସରପ୍ରାପ୍ତ ସେନା କର୍ମଚାରୀ ଅଲେଖ ବେହେରା ପ୍ରମୁଖ ସହିଦ୍ ବୀର ଯବାନ ଉମାକାନ୍ତଙ୍କ ସ୍ମୃତି ସ୍ତମ୍ଭ ନିକଟରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଯୋଗଦେଇ କାରଗିଲ୍‍ ଯୁଦ୍ଧରେ ସହିଦ୍ ହୋଇଥିବା ଯବାନ୍‌ମାନଙ୍କ ସାହସିକତା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଆସିକାର ସହିଦ୍ ବୀର ଯବାନ ଉମାକାନ୍ତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ସହିଦ୍ ବୀର ଯବାନ ମାନଙ୍କ ତ୍ୟାଗ ଓ ସମର୍ପଣ ମନୋଭାବ ଉପରେ ଆଲୋକପାତ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ସେନା କର୍ମଚାରୀ ବିପିନ୍‍ ବିହାରୀ ଦାଶ, ବିଜୟ କୁମାର ପାଣିଗ୍ରାହୀ, ସୁଶିଲ୍‍ କୁମାର ସାହୁ, ସୁବାସ ଚନ୍ଦ୍ର ମହାନ୍ତି, ବିଜୟ କୁମାର ପାଣିଗ୍ରାହୀ, ସିମାଞ୍ଚଳ ମହାନ୍ତି, ଆସିକା ଥାନାର ସବ୍‍ଇନିସପେକ୍ଟର ହିମାଂଶୁ ଶେଖର ଦାଶ, ସମାଜସେବୀ ଧିରେନ୍‍ କୁମାର ପଣ୍ଡା, ପ୍ରଦୀପ କୁମାର ଶତପଥୀ, ଲକ୍ଷ୍ମୀକାନ୍ତ ପାଣିଗ୍ରାହୀ, ଟୁକୁ ତ୍ରିପାଠୀ, ସୂର୍ଯ୍ୟନାରାୟଣ କର, ଏସ୍‍.କେ.ୟୁସୁଫ୍‍, ସୁରେନ୍ଦ୍ର ପଟ୍ଟନାୟକ, ବାଳକୃଷ୍ଣ ପାଣିଗ୍ରାହୀ, ଉମାଚରଣ ଦାଶ, ପ୍ରଶାନ୍ତ କୁମାର ପାତ୍ର, ଟୁଟୁ ମୁନି, ଦିଲୀପ କୁମାର ସ୍ୱାଇଁ, ନିର୍ମଳ ଦାଶ, ଅଶୋକ କୁମାର ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ସହରବାସୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ